ପ୍ରେମଚାନ୍ଦ

 

 

 

 

 

 

 

 

 

 

ପ୍ରେମଚାନ୍ଦ

ସଂକଳକ

ଭାଗୀରଥୀ ନେପାକ

 

।। ଜୀବନୀ ।।

ହିନ୍ଦୀ ସାହିତ୍ୟ ସାରଥି :

 

ପ୍ରେମଚାନ୍ଦ

 

ହିନ୍ଦୀ ସାହିତ୍ୟର ଉପନ୍ୟାସ-ସମ୍ରାଟ ପ୍ରେମଚାନ୍ଦ ଯେ କେବଳ ଔପନ୍ୟାସିକ ଥିଲେ ତା’ ନୁହେଁ, ସେ ଜଣେ ବିଖ୍ୟାତ ଗାଳ୍ପିକ ମଧ୍ୟ ।

ଉନବିଂଶ ଶତାବ୍ଦୀର ଶେଷ ଦଶକରେ ଯେଉଁ କେତେଜଣ ସୁନାମଧନ୍ୟ ସାହିତ୍ୟିକ ପରାଧୀନ ଭାରତର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ନିଜ ଲେଖା ବଳରେ ଉଲ୍ଲେଖଯୋଗ୍ୟ ଆଲୋଡ଼ନ ସୃଷ୍ଟି କରିପାରିଥିଲେ, ହିନ୍ଦୀ ସାହିତ୍ୟ ସମ୍ରାଟ ପ୍ରେମଚାନ୍ଦ ସେମାନଙ୍କ ମଧ୍ୟରେ ଅନ୍ୟତମ ।

୧୮୮୦ ଖ୍ରୀଷ୍ଟାବ୍ଦ ଜୁଲାଇ ୩୧ ତାରିଖ ଶନିବାର ଦିନ ବନାରସ ସହରଠାରୁ ମାତ୍ର ଚାରି ମାଇଲ ଦୂର ‘ଲମାହୀ’ ଗ୍ରାମରେ, ନିମ୍ନ ମଧ୍ୟବିତ୍ତ କୁଳୀନ କାୟସ୍ଥ ପରିବାରରେ ଶ୍ରୀ ପ୍ରେମଚାନ୍ଦ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ମୁନ୍‌ସୀ ଲାୟବ ଲାଲ । ବାଲ୍ୟକାଳରେ ପ୍ରେମଚାନ୍ଦଙ୍କର ନାମ ଥିଲା ଧନପତ ରାୟ । ସମସ୍ତେ କିନ୍ତୁ ତାଙ୍କୁ ନବାବ ବୋଲି ଡାକୁଥିଲେ ।

ସାତବର୍ଷ ବୟସରେ ପ୍ରେମଚାନ୍ଦଙ୍କର ମାତୃ ବିୟୋଗ ହୋଇଥିଲା । ଅବଶ୍ୟ ଏହାର ବହୁ ପୂର୍ବରୁ ତାଙ୍କର ଜୀବନାକାଶରେ ଦୁଃଖର ବାଦଲ ଘୋଟି ଆସିଥିଲା । ଏକ ଦିଗରେ ମାତୃ ବିୟୋଗ ଏବଂ ଅନ୍ୟ ଦିଗରେ ବିମାତାଙ୍କର ଆଗମନ ଚିରଦିନ ଲାଗି ତାଙ୍କୁ ସଂଘର୍ଷ ଓ ମନସ୍ତାପ ଭିତରେ ବୁଡ଼ାଇ ଦେଲା ।

ଗର୍ଭଧାରିଣୀ ମାଆର ସ୍ନେହ ସୋହାଗରୁ ବଞ୍ଚିତ ହୋଇ ସେ ବିମାତା ମୁହଁକୁ କାଣିଚାଏ ସ୍ନେହ ପାଇବା ସକାଶେ ଅନାଇ ରହିଥିଲେ । କିନ୍ତୁ ହାୟ, ସେ ସ୍ନେହ ଜୀବନ ସାରା ତାଙ୍କୁ ମିଳିଲା ନାହିଁ । ଏ ସବୁ ସତ୍ତ୍ୱେ ବିମାତା ପ୍ରତି କର୍ତ୍ତବ୍ୟ ପାଳନରେ ସେ କେବେହେଲେ ତ୍ରୁଟି କରିନଥିଲେ ।

ପ୍ରେମଚାନ୍ଦଙ୍କ ପିତା ଥିଲେ ଗୋଟିଏ ପୋଷ୍ଟ ଅଫିସର ସ୍ୱଳ୍ପ ବେତନଭୋଗୀ କିରାନୀ । ବାହାରେ ତାଙ୍କ ପରିବାର ନିଜର ସମ୍ମାନ ରକ୍ଷା କରି ଚଳୁଥିଲେ ମଧ୍ୟ, ଘରୋଇ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । ସେ ନିଜେ ଲେଖିଯାଇଛନ୍ତି ଯେ, ତାଙ୍କ ପିତାଙ୍କ ଜୀବିତାବସ୍ଥାରେ ବାର ଅଣାରୁ ଅଧିକ ମୂଲ୍ୟର ଜୋତା ପିନ୍ଧିନଥିଲେ ଏବଂ ଜାମାପାଇଁ ଯେଉଁ କନା କିଣା ହେଉଥିଲା ତା’ର ଗଜ ପ୍ରତି ମୂଲ୍ୟ ଚାରିଅଣା ଭିତରେ ଥିଲା ।

୧୮୯୫ ମସିହାରେ ବନାରସର ଏକ ହାଇସ୍କୁଲରେ ସେ ଭର୍ତ୍ତି ହୋଇଥିଲେ । ଏଇ ସମୟରେ ପ୍ରତ୍ୟହ ସେ ନିଜ ଗ୍ରାମ ଲମାହୀରୁ ଯିବାଆସିବା କରୁଥିଲେ । ସେ ନବମ ଶ୍ରେଣୀରେ ପଢ଼ିବା ଅବସ୍ଥାରେ ତାଙ୍କୁ ବିବାହ କରି ଦିଆଯାଇଥିଲା । ଏଇ ବିବାହ ବର୍ଷରେ କରି ତାଙ୍କର ପିତୃ ବିୟୋଗ ଘଟିଲା । ଏଇ କାରଣରୁ ନିଜର ସ୍ତ୍ରୀ, ସାବତ ମା’ ଓ ସାବତ ଭାଇର ସମସ୍ତ ବୋଝ ତାଙ୍କରି ଉପରେ ପଡ଼ିଲା । ତଥାପି ପାଠପଢ଼ା ସେ ଛାଡ଼ିଲେ ନାହିଁ । ବନାରସ ସହରରେ ବୁଲି ବୁଲି ଗୋଟିଏ ଟିୟୁସନ ଯୋଗାଡ଼ କଲେ । ମାସିକ ବେତନ ମାତ୍ର ପାଞ୍ଚ ଟଙ୍କା । ଏଇ ଟିୟୁସନ ଟଙ୍କାରୁ ପ୍ରତି ମାସ ଦୁଇ ଟଙ୍କା ନିଜ ଚଳିବା ସକାଶେ ରଖି ଅବଶିଷ୍ଟ ତିନିଟଙ୍କା ଗୃହ ଖର୍ଚ୍ଚପାଇଁ ପଠାଇବାକୁ ଲାଗିଲେ । ଏହି ଟଙ୍କାରେ ତାଙ୍କର ସ୍ତ୍ରୀ, ସାବତ ମାଆ ଓ ଭାଇର ଭରଣ ପୋଷଣ ଖର୍ଚ୍ଚ ଚଳିଲା । ଏହିଭଳି ଅଭାବ ଅନାଟନ ଭିତରେ ଗତିକରି କୌଣସି ରକମ ମାଟ୍ରିକ୍‌ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀ ପାଇ ଉତ୍ତୀର୍ଣ୍ଣ ହେଲେ । ସ୍କୁଲରେ ଦରମା ଛାଡ଼ ପାଇଥିବାରୁ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିପାରିବା ତାଙ୍କ ପକ୍ଷରେ ସମ୍ଭବ ହୋଇଥିଲା । କିନ୍ତୁ ଏହାପରେ କଲେଜରେ ନାମ ଲେଖାଇବା ଆଉ ସମ୍ଭବ ହେଲାନାହିଁ । କାରଣ ଗଣିତରେ ତାଙ୍କର ଉତ୍ତମ ପ୍ରବେଶ ନ ଥିଲା ।

 

ପ୍ରଥମାବସ୍ଥାରୁ ସେ ବିମାତାଙ୍କର ସ୍ନେହ ମମତାରୁ ବଞ୍ଚିତ ହୋଇଥିଲେ । ଆଶା କରିଥିଲେ, ବିବାହ ପରେ ତାଙ୍କ ସ୍ତ୍ରୀ ସେ ଅଭାବ ପୂରଣ କରିବେ । କିନ୍ତୁ ଚରମ ଦୁର୍ଭାଗ୍ୟର ବିଷୟ, ନିଜ ସ୍ତ୍ରୀ ମଧ୍ୟ ତାଙ୍କୁ ଇପ୍‌ସିତ ସୁଖ, ଆନନ୍ଦ ଦେଲେ ନାହିଁ ।

 

ଚରମ ଦୁଃଖ ଦୁର୍ଗତିର ଅଗ୍ନି-କୁଣ୍ଡ ଭିତରେ ଦଗ୍‌ଧ ହେଉ ହେଉ ୧୮୯୯ ମସିହାରେ ଜଣେ ଦୟାଳୁ ହେଡ଼୍‍ମାଷ୍ଟର ମାସିକ ଅଠରଟଙ୍କା ବେତନରେ ତାଙ୍କୁ ନିଜ ସ୍କୁଲରେ ସହକାରୀ ଶିକ୍ଷକ ରୂପରେ ଗ୍ରହଣ କଲେ । ଏଥିରେ ସେ ସମ୍ପୂର୍ଣ୍ଣ ସୁଖୀ ହୋଇପାରିନଥିଲେ ମଧ୍ୟ, ଆର୍ଥିକ ଅବସ୍ଥାରେ ସାଧାରଣ ଉନ୍ନତି ଦେଖାଦେଲା । ୧୯୦୪ ମସିହାରେ ସେ ଏଲାହାବାଦର ଟ୍ରେନିଂ କଲେଜରୁ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ ଓ ସେହି କଲେଜର ଅଧ୍ୟକ୍ଷ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ, ତାଙ୍କୁ କଲେଜ ମଡ଼େଲ ସ୍କୁଲର ପ୍ରଧାନଶିକ୍ଷକ ପଦରେ ମୁତୟନ କରିଥିଲେ । ୧୯୦୮ ମସିହାରେ ସେ ସ୍କୁଲ ସମୂହର ପରିଦର୍ଶକ ପଦକୁ ଉନ୍ନୀତ ହେଲେ ।

 

୧୯୧୦ ମସିହାରେ ଯେତେବେଳେ କଲେଜ ସ୍ତରରେ ଗଣିତ ପାଠ ବାଧ୍ୟତାମୂଳକ ନ ହୋଇ ଇଚ୍ଛାଧୀନ ବିଷୟରୂପେ ଗୃହୀତ ହେଲା, ସେ ପୁନର୍ବାର ଆଇ.ଏ. ଓ ବି.ଏ. ପରୀକ୍ଷା ଦେଇ ପାଶ୍‌ କଲେ ।

 

ପ୍ରେମଚାନ୍ଦ ସରଳ ନିରାଡ଼ମ୍ୱର ଜୀବନ ଯାପନର ପକ୍ଷପାତି ଥିଲେ । ଦେଖିବାକୁ ମଧ୍ୟ ସେ ଖୁବ୍‌ ସାଦାସିଧା ମଣିଷ ଥିଲେ, ବେଶଭୂଷଣରେ ଅଯଥା ଆଡ଼ମ୍ୱର ଦେଖାଇବା ତାଙ୍କ ଜାତକରେ ନ ଥିଲା । ତାଙ୍କ ଘରେ ଖଣ୍ଡେ ଚୌକି କି ଟେବୁଲ ମଧ୍ୟ ନ ଥିଲା । ମାଟି ଥିଲା ତାଙ୍କ ଆସନ ଓ ଶୟନ ସ୍ଥଳୀ । ତାଙ୍କ ନିକଟକୁ ଅନେକ ରାଜା ମହାରାଜା ଆସି ସେହି ଭୂଇଁ ଉପରେ ହିଁ ବସା ଉଠା କରି ଯାଉଥିଲେ ।

 

ପିଲାଦିନୁ ଗଳ୍ପ ଉପନ୍ୟାସ ପ୍ରତି ତାଙ୍କର ଅସୀମ ଆଗ୍ରହ ଥିଲା । ଗଳ୍ପ କିମ୍ୱା ଉପନ୍ୟାସଟିଏ ଦେଖିଲେ ସେ ଖୁବ୍‌ ଆନନ୍ଦ ଲାଭ କରୁଥିଲେ ଓ ସଙ୍ଗେ ସଙ୍ଗେ ପଢ଼ି ଶେଷ କରିଦେଉଥିଲେ । ଏଇପ୍ରକାର ଆଗ୍ରହ ତାଙ୍କୁ କଲମ ଧରାଇଲା । ସେ କ୍ରମେ ଲେଖିବା ଆରମ୍ଭ କଲେ । ୧୯୦୧ ମସିହାରେ ଉର୍ଦ୍ଦୁ ଭାଷାରେ ତାଙ୍କର ପ୍ରଥମ ଉପନ୍ୟାସ, ‘‘ହମ୍‌ ଖୁରମା ହମ୍ ସବାବ୍’’ ଧନପତ ରାୟ ନାମରେ ପ୍ରକାଶିତ ହେଲା । ୧୯୦୮ ମସିହା ତାଙ୍କର ପ୍ରଥମ ଉର୍ଦ୍ଦୁ କାହାଣୀ ସଂଗ୍ରହ ‘ସୋଜେ ବତନ୍‌’ ନବାବରାୟ ଛଦ୍ମ ନାମରେ ପ୍ରକାଶ ପାଇଲା । ‘ସୋଜେ ବତନ୍‌’ର ପ୍ରତିଟି ଗଳ୍ପ ଦେଶାତ୍ମବୋଧକ । ସୁତରାଂ ଇଁରେଜ ସରକାର ସେହି ବହିଟିକୁ ବାଜ୍ୟାପ୍ତ କରିଦେଲେ । ପ୍ରେମଚାନ୍ଦଙ୍କୁ କଠିନ ଦଣ୍ଡ ଦିଆଯିବ ବୋଲି ସ୍ଥିର ହେଲା । କିନ୍ତୁ ସେ ସରକାରୀ କର୍ମଚାରୀ ଥିବାରୁ ରକ୍ଷା ପାଇଗଲେ । ଜିଲା ହାକିମ ଏଇ ପୁସ୍ତକର ବିବରଣୀ ଶୁଣି ଡକାଇ ପଠାଇ କହିଲେ, ତୁମ ଭାଗ୍ୟ ଭଲ । ଯେହେତୁ ତୁମେ ପରମ ଦୟାଳୁ ଇଂରେଜ ସରକାରଙ୍କ ରାଜ୍ୟରେ ବସବାସ କରୁଛ, ‘ସୋଜେ ବତନ୍‍’ପରି ବହି ଲେଖି କ୍ଷମା ପାଇଗଲ । ଅନ୍ୟ କେଉଁଠି ହୋଇଥିଲେ ତୁମର ହାତ ଦୁଇଟି କାଟି ଦିଆଯାଇଥାନ୍ତା । ଭବିଷ୍ୟତରେ ଏଭଳି ଲେଖା ଲେଖିବ ନାହିଁ ।

 

ସେତେବେଳେ ଭାରତରେ ବ୍ରିଟିଶ ଶାସନ । କଥା କଥାକେ ନିୟମ କାନୁନ । ଗୋରା ଶାସନର କରାମତିରେ ସମଗ୍ର ଭାରତବର୍ଷ ଥରହର । ପରାଧୀନ ଦେଶ ଭାରତ । କଥା କହିବାର ସ୍ୱାଧୀନତା ଟିକକ ବି ନାହିଁ । ବ୍ରିଟିଶ ଶାସକର କଠୋର ଚେତାବନୀ ତାଙ୍କୁ ସାମୟିକ ଭାବରେ ବ୍ୟଥିତ କରିଥିଲେ ସୁଦ୍ଧା ତାଙ୍କ ହାତରୁ କଲମ ଛଡ଼ାଇପାରିଲା ନାହିଁ । ମନୋବଳ ତାଙ୍କର ଦୃଢ଼ ରହିଲା । ଶକ୍ତିଶାଳୀ କଲମ ବଳରେ ସେ ଅସମ୍ଭବକୁ ସମ୍ଭବ କଲେ । ପରାଧୀନ ଭାରତର ଜୀବନଯାତ୍ରାକୁ ସେ ନିର୍ଭୟରେ ଲେଖିଚାଲିଥିଲେ ।

 

ବ୍ରିଟିଶ ସରକାର ତାଙ୍କ ଲେଖାକୁ ଜବତ୍‌ କଲେ । ତାଙ୍କ ବହି ଛାପିବା ମନା, ପଢ଼ିବା ମନା ଓ ବିକିବା ମନା ହେଲା । ତେଣୁ ସେ ତାଙ୍କର ଅସଲ ନାମ ‘ନବାବ ରାୟ’ ବା ‘ଧନପତ ରାୟ’ ବଦଳରେ ‘ପ୍ରେମଚାନ୍ଦ’ ନାମରେ ଲେଖାଲେଖି କଲେ । ଏଇ ପ୍ରେମଚାନ୍ଦ ନାମରେ ସେ କେବଳ ଭାରତ ନୁହେଁ, ସମଗ୍ର ପୃଥିବୀରେ ପ୍ରସିଦ୍ଧି ଲାଭ କଲେ । ଏବେ ତାଙ୍କ ବହି କେବଳ ଭାରତୀୟ ବିଭିନ୍ନ ଭାଷାରେ ନୁହେଁ, ପୃଥିବୀର ବହୁ ଭାଷାରେ ଅନୁବାଦ ହୋଇ ଲୋକପ୍ରିୟତା ଅର୍ଜ୍ଜନ କରିପାରିଛି ।

 

ଛଦ୍ମନାମରେ ଏଭଳି ଲେଖନୀ ଚାଳନା କରିବା ପାଇଁ ସେ ସେହି ସମୟର ‘ଜମାନା’ ସମ୍ପାଦକ ଶ୍ରୀ ଦୟାନାରାୟଣ ନିଗମ୍‍ଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏହା ୧୯୦୫ ମସିହାର କଥା । ସେତେବେଳେ ପ୍ରେମଚାନ୍ଦ କାନପୁର ସହରରେ ଅବସ୍ଥାନ କରୁଥିଲେ । ଏହି ସମୟରେ ତାଙ୍କର ଶ୍ରୀ ନିଗମ୍‌ଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ଶ୍ରୀ ନିଗମ୍‍ ପ୍ରେମଚାନ୍ଦଙ୍କଠାରୁ ବୟସରେ ସାନ ହେଲେ ମଧ୍ୟ ତାଙ୍କର ପରମ ହିତୈଷୀ ଥିଲେ । ତାଙ୍କ ସହିତ ନିବିଡ଼ ସମ୍ପର୍କରେ ଆସିବାଦ୍ୱାରା ପ୍ରେମଚାନ୍ଦଙ୍କ ସାହିତ୍ୟିକ ଜୀବନର ନବୀନ ଉନ୍ନେଷ ସାଧିତ ହୋଇଥିଲା ବୋଲି ଅନେକଙ୍କର ମତ-

 

ପ୍ରେମଚାନ୍ଦଙ୍କ ସାହିତ୍ୟିକ ଜୀବନ ଏପରି ଭାବରେ ସୁଖ୍ୟାତି ଲାଭ କରୁଥିଲାବେଳେ ତାଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ଦୁର୍ବିସହ ହେବାକୁ ଲାଗିଲା । ବିବାହର ପ୍ରଥମ ଅବସ୍ଥାରେ ପ୍ରେମଚାନ୍ଦ ତାଙ୍କ ବିବାହିତା ପତ୍ନୀଙ୍କଠାରୁ ବାଞ୍ଛିତ ସ୍ନେହ ଶ୍ରଦ୍ଧା ପାଇବାରୁ ବଞ୍ଚିତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥା ଆହୁରି ଅଧିକ ଜଟିଳ ହୋଇପଡ଼ିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଲା । ମାନସିକ ଶାନ୍ତି ବ୍ୟାହତ ହେଲା । ବାଧ୍ୟହୋଇ ସେ ମନଦୁଃଖରେ ତାଙ୍କ ପତ୍ନୀଙ୍କୁ ବାପଘରକୁ ପଠାଇ ଦେଲେ । ଏହାପରେ ସେ ପୁନର୍ବାର ଶ୍ରୀମତୀ ଶିବରାନୀ ଦେବୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

 

ଶ୍ରୀମତୀ ଶିବରାନୀ ଥିଲେ ବାଲ୍ୟ ବିଧବା । ସେତେବେଳେ ସମାଜରେ ବାଲ୍ୟ ବିଧବା ବିବାହ ପ୍ରଥା ପ୍ରଚଳନ ନଥିଲା । ବାଲ୍ୟ ବିଧବାମାନେ ସାରା ଜୀବନ ନିଃସଙ୍ଗ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ସମଗ୍ର ସମାଜର ଶରବ୍ୟ ହୋଇ ନିଦାରୁଣ କଷ୍ଟ ଭୋଗ କରୁଥିଲେ । ଦୃଢ଼ମନା ପ୍ରେମଚାନ୍ଦ ଏପରି ଏକ ଅବାଞ୍ଛିତ ସାମାଜିକ ପରମ୍ପରାକୁ ବେଖାତିର କରି ବିଧବା ବିବାହ କଲେ ଓ ସାମାଜିକ ଚଳଣିରେ ଉଲ୍ଲେଖଯୋଗ୍ୟ ବ୍ୟତିକ୍ରମ ସୃଷ୍ଟି କଲେ । ଏତଦ୍ୱାରା ତାଙ୍କର ସାହସୀ ମନ ଓ ଅଗାଧ ଆତ୍ମବିଶ୍ୱାସର ସମ୍ୟକ୍‌ ପରିଚୟ ମିଳିଥାଏ ।

 

ଶିବରାନୀଙ୍କ ସହିତ ବିବାହ କରିବା ପରେ ପ୍ରେମଚାନ୍ଦଙ୍କ ବ୍ୟକ୍ତିଗତ ଜୀବନ ସୁଖମୟ ହୋଇଉଠିଲା ଓ ସେ ଇପ୍‌ସିତ ମାନସିକ ଶାନ୍ତି ପାଇବାରେ ସକ୍ଷମ ହେଲେ । ଶିବରାନୀଙ୍କ ସହଯୋଗ ଫଳରେ ତାଙ୍କ ସାହିତ୍ୟିକ ଜୀବନ ପଲ୍ଲବିତ ହୋଇଉଠିଲା । କେବଳ ସେତିକି ନୁହେଁ, ଶିବରାନୀଙ୍କ ଅଭୂତପୂର୍ବ ତ୍ୟାଗ ଓ ନିଷ୍ଠା ତାଙ୍କୁ ଯଶସ୍ୱୀ ଲେଖକରୂପେ ଛିଡ଼ା କଲା । ତାଙ୍କରି ସହଯୋଗ ଫଳରେ ପ୍ରେମଚାନ୍ଦ ତାଙ୍କ ପ୍ରଥମା ପତ୍ନୀଙ୍କ ଭରଣପୋଷଣ ପାଇଁ ଆଜୀବନ ଅର୍ଥ ବ୍ୟବସ୍ଥା କରିଥିଲେ ।

 

ପ୍ରେମଚାନ୍ଦ ସ୍କୁଲରେ ଶିକ୍ଷକତା କଲାବେଳେ ଦିନେ ସ୍କୁଲ ଇନସ୍ପେକ୍ଟର ତାଙ୍କ ସ୍କୁଲ ପରିଦର୍ଶନ କରିବାକୁ ଆସିଥିଲେ । ସେ ସ୍କୁଲ ପରିଦର୍ଶନ କରିସାରିବା ପରେ ଛୁଟିହେଲା । ପ୍ରେମଚାନ୍ଦ ନିଜ ଘରକୁ ଫେରିଆସି, ସବୁଦିନ ପରି ଦାଣ୍ଡପିଣ୍ଡାରେ ଖଟିଆ ପକାଇ ବସି ଖବରକାଗଜ ପଢ଼ିବାକୁ ଲାଗିଲେ । ଠିକ୍‌ ଏତିକିବେଳେ ବିଭାଗୀୟ ଇନସ୍ପେକ୍ଟର ସେହି ରାସ୍ତାଦେଇ ଯାଉଥିଲେ । ଇନସ୍ପେକ୍ଟର ଦେଖିଲେ, ପ୍ରେମଚାନ୍ଦ ନିଜ ଆସନରୁ ଉଠି ତାଙ୍କୁ ସମ୍ମାନ ପ୍ରଦର୍ଶନ ନ କରି ଖବରକାଗଜ ପଢ଼ିବାରେ ବ୍ୟସ୍ତ ଅଛନ୍ତି । ସେ ମନେ ମନେ ରାଗିଗଲେ ଓ ସାମନାରେ ମୋଟର ରଖି ଓହ୍ଲାଇ ପଡ଼ିଲେ । ତା’ପରେ ପ୍ରେମଚାନ୍ଦଙ୍କ ପାଖକୁ ଆସି ପ୍ରଶ୍ନ କଲେ, ଆପଣ କ’ଣ ଉପର ହାକିମଙ୍କୁ ସମ୍ମାନ ଦେବାର ସାମାନ୍ୟ ଶିଷ୍ଟାଚାର ସୁଦ୍ଧା ଜାଣନ୍ତି ନାହିଁ ? ପ୍ରେମଚାନ୍ଦ ସେ ପ୍ରଶ୍ନ ଶୁଣି ସାମାନ୍ୟତମ ବିଚଳିତ ନ ହୋଇ ମୁରୁକି ମୁରୁକି ହସିଲେ ଓ ନିର୍ଭୀକ ଭାବରେ ଉତ୍ତର ଦେଲେ, ଅଫିସ ପରିସର ମଧ୍ୟରେ ବିଭାଗୀୟ ଊର୍ଦ୍ଧ୍ୱ ହାକିମଙ୍କୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ । କିନ୍ତୁ ଅଫିସ ସମୟ ପରେ, ଅଫିସ ବାହାରେ ସମସ୍ତେ ସମାନ । ମୁଁ ମୋ’ ଘରେ ବାଦ୍‍ଶାହା । ତା’ଛଡ଼ା ଆପଣ ମୋଟରରେ ଆସୁଥିଲେ ମୁଁ ଏତେ ଦୂରରେ ବସି ଆପଣଙ୍କୁ ଚିହ୍ନି ପାରିଥାନ୍ତି କିମିତି ? ଏଥିରେ ମୋର ଦୋଷ କାହିଁ ? ସ୍କୁଲ ଇନସ୍ପେକ୍ଟର ମନେ ମନେ ଲଜ୍ଜିତ ହୋଇ ଫେରିଗଲେ । ସାମାନ୍ୟ ଜଣେ ସ୍କୁଲ ଶିକ୍ଷକ କେତେଦୂର ନିର୍ଭୀକ ଓ ବୁଦ୍ଧିମାନ୍‌ ନ ହେଲେ ଏଭଳି ଉତ୍ତର ଦେଇପାରିବ ?

 

ପ୍ରେମଚାନ୍ଦ କେବଳ ନିର୍ଭୀକ ନ ଥିଲେ, ସେ ନିର୍ଲୋଭ ମଧ୍ୟ ଥିଲେ । ତାଙ୍କ ଦୃଷ୍ଟିରେ ସବୁଠୁ ବଡ଼ ଥିଲା ଆତ୍ମସମ୍ମାନ । ତା’ପରେ ଯାଇ ଧନସମ୍ପଦ ଓ ଅନ୍ୟାନ୍ୟ ପ୍ରସଙ୍ଗ । ସେଥିପାଇଁ ଜୀବନରେ ସେ କମ୍‌ ହଇରାଣ ହୋଇ ନାହାନ୍ତି । ଶେଷରେ ବାଧ୍ୟହୋଇ ସେ ଚାକିରି ମଧ୍ୟ ଛାଡ଼ିଲେ-

 

ଜନତାର ସମ୍ମାନ ଯାହାଙ୍କ କପାଳରେ ଲେଖାଥିଲା, ଚାକିରିର ସୀମିତ ପରିସର ତାଙ୍କୁ ଅଟକାଇ ପାରିଥାନ୍ତା କେମିତି ? ବାସ୍ତବରେ ତାଙ୍କ ସ୍ୱଭାବ ଚାକିରି-ମନୋବୃତ୍ତିର ସମ୍ପୂର୍ଣ୍ଣ ପ୍ରତିକୂଳ ଥିଲା ।

 

ପରାଧୀନ ଚାକିରି ଓ ସ୍ୱାଧୀନ କଲମ, ଏ ଦୁଇଟି କେବେ ଏକାଠି ରହିପାରନ୍ତି ନାହିଁ । ସ୍ୱାଧୀନ କଲମ ଧରି ଚାକିରି କରି କାହାରି ଦିନ ଭଲରେ କଟି ନାହିଁ । ପ୍ରେମଚାନ୍ଦ ମଧ୍ୟ ତହିଁରୁ ବାଦ୍ ପଡ଼ିନଥିଲେ ।

 

ଜନ ଜାଗରଣର ନୂତନ ସ୍ପନ୍ଦନ ଦେଖା ଦେଇଥିଲା ୧୯୨୧ ମସିହାରେ । ସେ ମଧ୍ୟ ସେହି ଜାଗରଣରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ ସରକାରୀ ଚାକିରିରୁ ଇସ୍ତଫା ଦେଇ ନିଜର ସାଧନା କ୍ଷେତ୍ରରେ ପ୍ରବେଶ କଲେ ।

 

ସେ ଦେଖିଲେ ଲେଖକ ଅସୀମ ଶ୍ରମ ସ୍ୱୀକାର ପୂର୍ବକ ପୁସ୍ତକ ପ୍ରଣୟନ କରୁଛି ସତ, ମାତ୍ର ତା’ର ନ୍ୟାଯ୍ୟ ପ୍ରାପ୍ୟରୁ ସର୍ବଦା ବଞ୍ଚିତ ହେଉଛି । ସାହିତ୍ୟ ଅନଭିଜ୍ଞ ବ୍ୟବସାୟୀ-ପ୍ରକାଶକ ଲେଖକର ସରଳତାର ସୁଯୋଗ ନେଉଛି । ପ୍ରକାଶକମାନଙ୍କ ଶୋଷଣରୁ ଲେଖକ କୁଳକୁ ମୁକ୍ତ କରିବା ସକାଶେ ସେ ୧୯୨୩ ମସିହାରେ ପ୍ରସିଦ୍ଧ ସହର ବନାରସରେ ‘ସରସ୍ୱତୀ ପ୍ରେସ୍’ ସ୍ଥାପନ କଲେ । ଏଭଳି ଏକ ଦୁଃସାହସିକ କାର୍ଯ୍ୟରେ ହାତଦେଇ ତାଙ୍କୁ ଖୁବ୍‌ ପରିଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା । ୧୯୩୦ ମସିହାରେ ସେ ନିଜ ସମ୍ପାଦନାରେ ସାହିତ୍ୟ ପତ୍ର ‘ହଂସ’ ସରସ୍ୱତୀ ପ୍ରେସ୍‍ରୁ ପ୍ରକାଶ କଲେ । ନବୀନ ଲେଖକମାନଙ୍କୁ ଉତ୍ସାହିତ କରି ତଥା ଉପଦେଶ ଓ ତାଲିମ ଦେଇ, ନୂତନ ସାହିତ୍ୟିକ ଆନ୍ଦୋଳନ ଆରମ୍ଭ କରିବା ଥିଲା ଏହାର ଉଦ୍ଦେଶ୍ୟ । ସାହିତ୍ୟ ପତ୍ର ‘ହଂସ’ ସଙ୍ଗରେ ‘ଜାଗରଣ’ ନାମରେ ଏକ ସାପ୍ତାହିକ ମଧ୍ୟ ପ୍ରକାଶ ପାଇଲା । ଏତଦ୍ୱାରା ସାରା ହିନ୍ଦୀ-ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତେ କଥାସମ୍ରାଟ ପ୍ରେମଚାନ୍ଦଙ୍କ କର୍ମ କୁଶଳତାରେ ଅଭିଭୂତ ହୋଇ ପଡ଼ିଲେ ଓ ଶତକଣ୍ଠରେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । ହଂସ ପ୍ରକାଶପାଇବା ପୂର୍ବରୁ ‘ମାଧୁରୀ’ର ସମ୍ପାଦନା ଦାୟିତ୍ୱ ମଧ୍ୟ ସେ ଗ୍ରହଣ କରି ସାରିଥିଲେ ।

 

ପ୍ରେମଚାନ୍ଦ ଥିଲେ ଜଣେ ନିରୋଳା ଗାନ୍ଧୀବାଦୀ । ଗାନ୍ଧୀଙ୍କ କଥା ଓ ଆଦର୍ଶକୁ ସାହିତ୍ୟ ଭିତରେ ପୂରାଇ ସର୍ବତ୍ର ପ୍ରଚାର କରିବା ଥିଲା ତାଙ୍କର ଲକ୍ଷ୍ୟ । ଗାନ୍ଧୀ ଚାହିଁଥିଲେ ହିନ୍ଦୁ ମୁସଲମାନ ମଧ୍ୟରେ ଏକତା । ପ୍ରେମଚାନ୍ଦ ହିନ୍ଦୀ ଉର୍ଦ୍ଦୁ ମିଶା ହିନ୍ଦୁସ୍ଥାନୀ ଲେଖି ସେହି ମୂଳ ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ ରୂପ ଦେଲେ । ଗାନ୍ଧୀ ଚାହୁଁଥିଲେ ଚାଷୀ ମୂଲିଆଙ୍କର ନବଜାଗରଣ, ପ୍ରେମଚାନ୍ଦ ନିଜ ଲେଖାରେ ଚାଷୀ ମୂଲିଆଙ୍କ ସମସ୍ୟା ଓ ସୁଖ ଦୁଃଖର କାହାଣୀ ଲେଖି ସେମାନଙ୍କୁ ଚେତାବନୀ ଶୁଣାଇଥିଲେ-

 

ପ୍ରେମଚାନ୍ଦ ଚାକିରି ଛାଡ଼ିବା ପରେ ପରେ ବସି ଗଳ୍ପ ଉପନ୍ୟାସ ଲେଖାରେ ମନ ଦେଇଥିଲେ । ଦିନେ ହଠାତ୍‌ ଆଲୱାର ରାଜ୍ୟର ରାଜାଙ୍କ ପାଖରୁ ତାଙ୍କର ସେକ୍ରେଟାରୀ ହେବା ପାଇଁ ଡାକରା ଆସିଲା । ମାସକୁ ବେତନ ଚାରିଶହ ଟଙ୍କା । ମୋଟର ଗାଡ଼ି, ବଡ଼ ବଙ୍ଗଳା ସବୁକିଛି ମାଗଣା । ରାଜାଙ୍କ ସେକ୍ରେଟାରୀ ପଦବୀଟା ସାମାନ୍ୟ ନୁହେଁ । ପ୍ରଜାରାନ୍ତରେ ପ୍ରେମଚାନ୍ଦଙ୍କ ସୁଖ ସୌଭାଗ୍ୟର ରାଜଯୋଟକ ଫିଟିଥିଲା । କିନ୍ତୁ ପ୍ରେମଚାନ୍ଦ ସେ ପଦବୀ ଓ ଧନ ସମ୍ପଦକୁ ନିଜ ହାତରେ ଆଡ଼େଇ ଦେଲେ ।

 

ଆଉଥରେ ଉତ୍ତରପ୍ରଦେଶର ଲାଟ୍‌ସାହେବ ପ୍ରେମଚାନ୍ଦଙ୍କୁ ରାୟବାହାଦୁର ପଦବୀରେ ଭୂଷିତ କରିବା ପାଇଁ ଜଣେ ବନ୍ଧୁଙ୍କ ହାତରେ ନିମନ୍ତ୍ରଣ ପଠାଇଲେ । କିନ୍ତୁ ସେ ନିମନ୍ତ୍ରଣକୁ ମଧ୍ୟ ପ୍ରେମଚାନ୍ଦ ପ୍ରତ୍ୟାଖ୍ୟାନ କରିଥିଲେ । ସେ ଲାଟ୍‌ସାହେବଙ୍କ ବନ୍ଧୁଙ୍କ ହାତରେ ଖବର ପଠାଇଲେ, ସରକାରଙ୍କଠାରୁ ଉପାଧି ପାଇବା ପାଇଁ ଯୋଗ୍ୟଲୋକ ମୁଁ ନୁହେଁ । ଏ ଦେଶର ଅଗଣିତ କୃଷକ ଯଦି ମୋତେ ବାହାଦୁରି ଦିଅନ୍ତି, ତେବେ ତାହା ମୁଁ ନତମସ୍ତକରେ ଗ୍ରହଣ କରିବି । ଇଂରେଜ ଶାସକ ପାଖରୁ ରାୟବାହାଦୁର, ରାୟସାହେବ ଉପାଧି ପାଇବା ପାଇଁ ଯେଉଁମାନେ ଶାସକଙ୍କୁ ସୁହାଇବା ଭଳି ନାନାପ୍ରକାର ଅନାଚାର, ଅପକର୍ମ ଆଚରଣ କରନ୍ତି ଓ ପ୍ରଜାବର୍ଗଙ୍କ ସମ୍ମାନ କିମ୍ୱା ସୁବିଧା ସୁଦ୍ଧା ଜଗନ୍ତି ନାହିଁ, ପ୍ରେମଚାନ୍ଦ ଖୁବ୍‌ ନିର୍ଭୀକତା ସହକାରେ ହସି ହସି ତାକୁ ଆଡ଼େଇ ଦେଇ କମ୍‌ ସାହାସର କଥା କରିନାହାନ୍ତି ।

 

ପ୍ରେମଚାନ୍ଦ ତୋଷାମଦ କରି ଜାଣୁନଥିଲେ କି ମିଛକୁ ସତ ବୋଲି ପ୍ରକାଶ କରିବା ସପକ୍ଷରେ ନ ଥିଲେ । ଅନ୍ୟର ମଙ୍ଗଳ ପାଇଁ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବଳିଦାନ କରିବା ତାଙ୍କର ପ୍ରକୃତି ଥିଲା । କାହା ପାଖରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ସେ କେବେହେଲେ ପସନ୍ଦ କରିନଥିଲେ-

 

ପ୍ରେମଚାନ୍ଦ କହୁଥିଲେ, ଲେଖକର ଅସଲ ପରିଚୟ ହେଲା କଲମ । କଲମ ସବୁବେଳେ ଟାଣ ହେବା ଆବଶ୍ୟକ । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ସେ ଐଶ୍ୱରିକ ଶକ୍ତି ପାଇଛି । ଲେଖକ ଯେଉଁଦିନ ଦୁନିଆରେ ‘ହାଁ ଜୀ’ ଗୋଷ୍ଠୀର ଅନ୍ତର୍ଭୁକ୍ତ ହେବ, ବୁଝିବାକୁ ହେବ, ସ୍ୱାଧୀନତାର ଶେଷ ଅବସ୍ଥା ଆସିଗଲା । କାରଣ ଲେଖକହିଁ ଜାତୀୟ ସ୍ୱାଧୀନତାର ପ୍ରଥମ ପ୍ରଚାରକ ଓ ପ୍ରଧାନ ପ୍ରହରୀ । କାରଣ ସବୁ ଦେଶ, ସବୁ ଯୁଗରେ ଲେଖକହିଁ ସ୍ୱାଧୀନତାକୁ ରକ୍ଷାକରେ ।

 

ଜିନିଷପତ୍ରର ଜଞ୍ଜାଳ ବଢ଼ାଇବା ସପକ୍ଷରେ ସେ ନ ଥିଲେ । ତାଙ୍କର ଧାରଣା ଥିଲା, ଅଧିକ ଜିନିଷପତ୍ର ଆହରଣହିଁ ଅଧିକ ଦୁଃଖର କାରଣ । ଅଭାବ ଯେତେ ବଢ଼ାଇଲେ ବଢ଼ିବ । ଗୋଟାକ ପରେ ଆଉ ଗୋଟିଏ ଜିନିଷ ପ୍ରତି ଲୋଭ ବଢ଼ିବ । ଏ ଲୋଭ ମଲାପର୍ଯ୍ୟନ୍ତ ଲାଗି ରହିବ-। ଶେଷରେ ଏହା ମଣିଷର ସର୍ବନାଶ କରିଦେବ ।

 

କେବଳ ସେତିକି ନୁହେଁ, ପ୍ରେମଚାନ୍ଦ ନିଜ କାମ ନିଜେ କରିବାକୁ ପସନ୍ଦ କରୁଥିଲେ । ନିଜ କାମ କରିବାରେ ସେ ଏତେଦୂର ଅଭ୍ୟସ୍ତ ଥିଲେ ଯେ, ଚାକରବାକର ସବୁ ଥାଇ ସୁଦ୍ଧା, ସେମାନଙ୍କ ସାହାଯ୍ୟ ଗ୍ରହଣ ନ କରି ସେ ଆପେ ଆପେ ଆପଣା କାର୍ଯ୍ୟ କରି ଯାଉଥିଲେ ।

 

ଜଣେ ନିଷ୍ଠାପର ସାହିତ୍ୟ-ସାଧକ ଓ କର୍ମୀ ଭାବରେ ସାରାଜୀବନ ସେ ଖଟିଛନ୍ତି । ସେଥିପାଇଁ ଦାରିଦ୍ର୍ୟ ବରଣ ମଧ୍ୟ କରିଛନ୍ତି । ନାନା ଅପମାନ ଓ ଲାଞ୍ଛନାର ଶିକାର ମଧ୍ୟ ହୋଇଛନ୍ତି-। କିନ୍ତୁ ସେସବୁକୁ ସେ ସାହିତ୍ୟିକ ଜୀବନର ଅଗ୍ନିପରୀକ୍ଷା ବୋଲି ଗ୍ରହଣ କରି ପ୍ରତିଟି ପରୀକ୍ଷାରେ ବିଜୟ ହାସଲ କରିଛନ୍ତି ।

 

ସାହିତ୍ୟ ସେବା ଓ ତା’ର ଉନ୍ନତି ତଥା ପ୍ରସାର ପାଇଁ ସେ ନିଜ ଉଦ୍ୟମରେ ଆଲାହାବାଦ ଓ ବନାରସରେ ପ୍ରେସ୍‌ମାନ, ପ୍ରତିଷ୍ଠା କରିଥିଲେ । ତାଙ୍କ ପ୍ରତିଷ୍ଠିତ ‘ହଂସ’ ଓ ‘ସରସ୍ୱତୀ’ ପ୍ରେସ୍‌ ଏବେ ମଧ୍ୟ ସ୍ୱନାମଧନ୍ୟ ପ୍ରେସ୍‌ ଭାବରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁ ଅଛନ୍ତି । ପ୍ରେମଚାନ୍ଦ ହିଁ ହିନ୍ଦୀ ସାହିତ୍ୟକୁ ସର୍ବଲୋକପ୍ରିୟ କରିପାରିଥିଲେ । ଯେଉଁ ହିନ୍ଦୀଭାଷା ଏବେ ଭାରତର ରାଜଭାଷାରୂପେ ସ୍ୱୀକୃତି ପ୍ରାପ୍ତ, ସେହି ହିନ୍ଦୀ ଭାଷାର ଏତାଦୃଶ ଉନ୍ନତି ମୂଳରେ ପ୍ରେମଚାନ୍ଦଙ୍କ ଅବଦାନ କମ୍‌ ନୁହେଁ । ଅନେକ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶକ ପୂର୍ବକ, ଜନ ଚେତନାକୁ ସେ ଅପୂର୍ବ ଭାବରେ ଜାଗ୍ରତ କରିପାରିଥିଲେ । ଖାଲି ସାହିତ୍ୟ ସୃଷ୍ଟି ଓ ପ୍ରକାଶନ ନୁହେଁ, ମୁଦ୍ରଣ କ୍ଷେତ୍ରରେ ମଧ୍ୟ ସେ ଅନେକ ଉନ୍ନତି ସାଧନ କରିଥିଲେ ।

 

ହିନ୍ଦୀ ଉପନ୍ୟାସ–ସମ୍ରାଟ ପ୍ରେମଚାନ୍ଦ ଗୋଦାନ, ଗବନ, ପ୍ରେମାଶ୍ରମ, କର୍ମଭୂମି, ରଙ୍ଗଭୂମି, ସେବାସଦନ, ପ୍ରତିଜ୍ଞା ପ୍ରଭୃତି ବହୁ ପ୍ରସିଦ୍ଧ ଉପନ୍ୟାସ ରଚନା କରି କେବଳ ହିନ୍ଦୀ ନୁହେଁ, ଭାରତୀୟ ସାହିତ୍ୟକୁ ଶ୍ରୀଯୁକ୍ତ କରିଛନ୍ତି । ଅଧିକାଂଶ ବହି ଭାରତୀୟ ଏକାଧିକ ଭାଷାରେ ଅନୁବାଦ ହୋଇସାରିଛି ।

 

କେବଳ ଉପନ୍ୟାସ କିମ୍ୱା ଗଳ୍ପ ନୁହେଁ, ନାଟକ, ଜୀବନୀ, ପ୍ରବନ୍ଧ, ଶିଶୁ ସାହିତ୍ୟ ସୃଷ୍ଟି କରିବାରେ ମଧ୍ୟ ସେ ନିଜର ଉଜ୍ଜ୍ୱଳ ପ୍ରତିଭାର ସ୍ୱାକ୍ଷର ରଖିଯାଇଛନ୍ତି । ବିଶ୍ୱ ସାହିତ୍ୟର କେତେକ ଅମୂଲ୍ୟ ଗ୍ରନ୍ଥକୁ ମଧ୍ୟ ସେ ହିନ୍ଦୀ ଭାଷାରେ ଅନୁବାଦ କରିଅଛନ୍ତି ।

 

୧୯୩୪ ମସିହାରେ ବାର୍ଷିକ ଆଠ ହଜାର ଟଙ୍କା ପାଇବାକୁ ଚୁକ୍ତି କରି, ସେ ଅଜନ୍ତା ମୋଭିଟନରେ କାମ କରିବାକୁ ବମ୍ୱେ ମହାନଗରୀକୁ ଯାତ୍ରା କରିଥିଲେ । କିନ୍ତୁ ଚଳଚ୍ଚିତ୍ର ପ୍ରତିଷ୍ଠାନ ଭିତରେ ପଶି ସେ ଅଣନିଃଶ୍ୱାସୀ ହୋଇ ଉଠିଲେ । ତାଙ୍କର ମନେହେଲା, ଅଜନ୍ତା ମୋଭିଟନରେ ରହି କାମ କରିବା ତାଙ୍କ ପକ୍ଷରେ ଅନୁକୂଳ ନୁହେଁ । ସେଇଠି ତାଙ୍କର ସାହିତ୍ୟିକ ଜୀବନର ଓ ସାହିତ୍ୟର ସତ୍ତା ହଜିଗଲା । କେବଳ ସେତିକି ନୁହେଁ, ଚଳଚ୍ଚିତ୍ର ସଂସାରର ସର୍ବନାଶୀ ସ୍ୱରୂପକୁ ସେ ନିଜ ଆଖିରେ ଦେଖି ତଟସ୍ଥ ହୋଇ ଉଠିଲେ । କୌଣସି ପ୍ରକାର ସେଇଠି ଗୋଟିଏ ବର୍ଷ ରହି, ବର୍ଷକ ପରେ ବମ୍ୱେ ପରିତ୍ୟାଗ କରି ବନାରସ ଫେରି ଆସିଲେ ।

 

ଠିକ୍‌ ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ ‘ଗୋଦାନ’ ଲେଖିବା ଆରମ୍ଭ କରିଥାନ୍ତି । ନିଜର ନିଷ୍ଠା, ସାଧନା ଓ ବିଶ୍ୱାସକୁ ନେଇ ସେ ଭାରତୀୟ କୃଷକର ମହାକାବ୍ୟ ଗୋଦାନକୁ ଜୀବନ୍ତ କରି ଗଢ଼ିଲେ । ୧୯୩୬ରେ ଗୋଦାନ ପ୍ରକାଶିତ ହେଲା । କିନ୍ତୁ ଗୋଦାନ ଛପା ହେଲା ବେଳେ ସେ ରୋଗରେ ପଡ଼ି ବିଛଣା ଧରିଲେ । ଏଣେ ଗୋଦାନ ଛପା ଚାଲିଥାଏ, ତେଣେ ଆଉ ଏକ ଉପନ୍ୟାସ ମଙ୍ଗଳ-ସୂତ୍ର ଲେଖା ଆରମ୍ଭ ହୋଇଥାଏ ।

 

ପ୍ରେମଚାନ୍ଦଙ୍କ ବିରଚିତ ଉପନ୍ୟାସମାନଙ୍କ ମଧ୍ୟରେ ଗୋଦାନ ସର୍ବଶ୍ରେଷ୍ଠ ଉପନ୍ୟାସ । ଏହା ପୃଥିବୀର ବିଭିନ୍ନ ଦେଶରେ ଅନୁବାଦିତ ହୋଇ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଛି । କେବଳ ଋଷ ଭାଷାରେ ଅନୁବାଦିତ ବହି ଖଣ୍ଡକ ସେଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଉଛି ।

 

ଗୋଦାନର ବିଷୟବସ୍ତୁ ଅତି ସାଧାରଣ । ଏକ ଗ୍ରାମ୍ୟ କୃଷକର କାହାଣୀକୁ ଆଧାର କରି ଏ ପୁସ୍ତକ ଲେଖା ଯାଇଛି । ଗ୍ରାମୀଣ ଚିତ୍ର ଏଇ ଉପନ୍ୟାସରେ ଅତି ଜୀବନ୍ତ ହୋଇ ପାରିଛି । ଅନେକ କଥା, ଉପକଥାର ବିଚିତ୍ର ସମାବେଶ, ଶୈଳୀ ଓ ସଂଳାପର ତୀକ୍ଷ୍‌ଣତା ଏହାକୁ ଅତି ସୁନ୍ଦର କରି ତୋଳିଛି । ଗଳ୍ପଟି ବି ଅତି ସାଧାରଣ ଧରଣର । ‘ହୋରି’ ନାମକ ଜଣେ ଦରିଦ୍ର କୃଷକ ଗାଈଟିଏ କିଣିବ ବୋଲି ଜୀବନ ସାରା ଅକ୍ଳାନ୍ତ ପରିଶ୍ରମ ଓ ଚେଷ୍ଟା କରିଛି । କିନ୍ତୁ ସେଥିପାଇଁ କେତେବେଳେ ହେଲେ ଆବଶ୍ୟକୀୟ ଅର୍ଥ ସଂଗ୍ରହ କରିପାରି ନାହିଁ । ସାହୁକାର, ମହାଜନଙ୍କ ଦାଉରେ ତିଳେ ତିଳେ ତା’ ଜୀବନ ଜୀର୍ଣ୍ଣ ହୋଇଛି । ଦରିଦ୍ର କୃଷକ ‘ହୋରି’ର ଆତ୍ମା ଆର୍ତ୍ତନାଦ କରିଉଠିଛି । ତାରି ସେହି ଦୁଃଖର କାହାଣୀ ‘ଗୋଦାନ’ ପୁସ୍ତକକୁ ଅମର କରିଦେଇଛି । ଏଇ କାହାଣୀ ପଢ଼ିବା ପାଇଁ ଓ ଜାଣିବା ପାଇଁ ପୃଥିବୀର ଅଧିକାଂଶ ଶିକ୍ଷିତ ଲୋକ ପାଗଳ ହୋଇ ଉଠୁଛନ୍ତି-

 

କେତେକଙ୍କ ମତରେ ଭାରତର ପ୍ରେମଚାନ୍ଦ, ରୁଷିଆର ଲେଖକ ମାକ୍‌ସିମ୍‌ ଗର୍କୀଙ୍କ ସଙ୍ଗେ ପ୍ରାୟ ସମାନ । ବାସ୍ତବତଃ ଉଭୟ ଲେଖକ ଦୀନ ଦରିଦ୍ରମାନଙ୍କ ଉନ୍ନତି ପାଇଁ କଲମ ଚାଳନା କରୁଥିଲେ । ମାକ୍‌ସିମ୍‌ ଗର୍କୀଙ୍କ ‘ମା’ ପୁସ୍ତକ ଓ ପ୍ରେମଚାନ୍ଦଙ୍କ ‘ଗୋଦାନ’ ପୁସ୍ତକ ଗୋଟିଏ ମୁଦ୍ରାର ଦୁଇ ପାଖ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାକ୍‌ସିମ୍‌ଙ୍କ ‘ମା’ ପୁସ୍ତକରେ କଳକାରଖାନାର କାର୍ଯ୍ୟରତ କୁଲି ମଜୁରୀଆମାନଙ୍କର ଦୁଃଖ ଦୁର୍ଦ୍ଦଶାର କରୁଣ ଚିତ୍ର ଅଙ୍କିତ । ଗୋଦାନ ପୁସ୍ତକରେ ସେହିପରି ଭାରତୀୟ ଦରିଦ୍ର କୃଷକର ଦୁଃଖ ଦୁର୍ଦ୍ଦଶାର ମର୍ମାନ୍ତିକ ଚିତ୍ର ରହିଛି । ସେଥିପାଇଁ ୧୯୬୦ ମସିହା ଅଗଷ୍ଟ ମାସରେ ହୋଇଥିବା ମସ୍କୋର ପ୍ରାଚ୍ୟ ସମ୍ମିଳନୀରେ ଜଣେ ଋଷ୍‌ ପଣ୍ଡିତ ଯଥାର୍ଥରେ କହିଥିଲେ, ପ୍ରେମଚାନ୍ଦ ହିଁ ଭାରତର ଗର୍କୀ ।

 

ପୁଣି ଓଡ଼ିଆ କଥା ସାହିତ୍ୟର ଯୁଗସ୍ରଷ୍ଟା ଫକୀରମୋହନଙ୍କ ଜୀବନୀ ଓ କାର୍ଯ୍ୟକଳାପ ଲକ୍ଷ୍ୟକଲେ ବିସ୍ମିତ, ହେବାକୁ ହୁଏ ଯେ, ପ୍ରେମଚାନ୍ଦଙ୍କ ସଙ୍ଗରେ ଫକୀରମୋହନଙ୍କ ଅଦ୍ଭୁତ ସାମଞ୍ଜସ୍ୟ ରହିଛି । ଉଭୟେ ଥିଲେ ଚିର ରୁଗ୍‌ଣ । ବାଲ୍ୟକାଳରୁ ଉଭୟେ ମାତୃହୀନ ଓ ଦାରିଦ୍ର୍ୟ ପ୍ରପୀଡ଼ିତ । କିନ୍ତୁ ଉଭୟେ ଥିଲେ ଦୁଇଟି ଭାଷା ଓ ସାହିତ୍ୟର ସଜାଗ ପ୍ରହରୀ । ପ୍ରେସ୍‌, ପତ୍ରିକା ଓ ପୁସ୍ତକ ପ୍ରକାଶନ ଜରିଆରେ ଉଭୟେ ନିଜ ନିଜ ଭାଷାକୁ ଉନ୍ନତି ମାର୍ଗରେ ପରିଚାଳିତ କରିଅଛନ୍ତି । ଦେହର ବଳ ଅପେକ୍ଷା ମନର ବଳ ଯେ ବଡ଼ ଉଭୟେ ଏ କଥା ନିଜ ନିଜ ଜୀବନରେ ପ୍ରମାଣ କରି ଦେଇଛନ୍ତି ।

 

ସ୍କୁଲ ସମୂହର ଇନସ୍ପେକ୍ଟର ପଦରେ ଅଧିଷ୍ଠିତ ହୋଇ ହମୀରପୁର ଜିଲାରେ ବସବାସ କରୁଥିଲେ । ସେଇଠି ତାଙ୍କ ସାହିତ୍ୟ ଚର୍ଚ୍ଚା ଅଧିକ ସକ୍ରିୟ ହୋଇଉଠିଥିଲା । କିନ୍ତୁ ଅପର ପକ୍ଷରେ, ହମୀରପୁର ଜିଲାର ସୁଦୀର୍ଘ ରହଣି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ଆଚରଣ କଲା । ସେଇଠି ତାଙ୍କର ପେଟ ରୋଗ ଆରମ୍ଭ ହୋଇଥିଲା । ୧୯୩୬ ମସିହା ଅକ୍ଟୋବର ୮ ତାରିଖରେ ସେହି ପେଟରୋଗ ପ୍ରବଳ ହୋଇ ତାଙ୍କୁ ଇହଧାମରୁ ଅନ୍ୟ ଧାମକୁ ଅପହରଣ କରିନେଲା । ମାତ୍ର ୬୫ ବର୍ଷ ବୟସରେ କଥା ସମ୍ରାଟ ପ୍ରେମଚାନ୍ଦ ହିନ୍ଦୀ ସାହିତ୍ୟ ସଂସାରକୁ ଶୋକାଭିଭୂତ କରି ଇହ ସଂସାରରୁ ବିଦାୟ ନେଲେ । ତାଙ୍କର ଶେଷ ପୁସ୍ତକ ‘ମଙ୍ଗଳସୂତ୍ର’ ଆଉ ଶେଷ ହୋଇପାରିଲା ନାହିଁ-

 

ଜୀବନ କାଳ ଭିତରେ ସେ ଦରିଦ୍ର ଥିଲେ ସତ, କିନ୍ତୁ ମୃତ୍ୟୁ ପରେ ତାଙ୍କରି ନାମରେ ଲକ୍ଷେ ଟଙ୍କା ବ୍ୟୟରେ ବିରାଟ କୀର୍ତ୍ତିସ୍ତମ୍ଭ ଗଢ଼ାଯାଇଛି । ତାଙ୍କରି ସାହିତ୍ୟ ଓ ନାମ ପ୍ରଚାର କରି ଭାରତୀୟମାନେ ଏବେ ଗୌରବାନ୍ୱିତ । ବହୁ ଧନୀ ଲୋକଙ୍କ ଭିତରେ ସେ ବଡ଼ ଧନୀ ଓ ବହୁ ନବାବଙ୍କ ଭିତରେ ବଡ଼ ନବାବ । କାରଣ ସମଗ୍ର ପୃଥିବୀରେ ସେ ଜଣେ ବହୁ ସମ୍ମାନିତ ସାହିତ୍ୟିକ-

 

ତାଙ୍କର ଜନ୍ମସ୍ଥାନ ଲମାହୀ ଗ୍ରାମ ଆଜି ପୃଥିବୀର ସାହିତ୍ୟିକମାନଙ୍କ ପାଇଁ ତୀର୍ଥଭୂମି ପାଲଟି ଯାଇଛି । ପ୍ରେମଚାନ୍ଦଙ୍କ ଜୀବଦ୍ଦଶାର ସ୍ୱପ୍ନ ସାର୍ଥକ ହୋଇଛି ।

Image

 

।। ଭୂମିକା ।।

 

ପ୍ରେମଚାନ୍ଦଙ୍କ ଗଳ୍ପ

 

ପ୍ରେମଚାନ୍ଦଙ୍କ ଗଳ୍ପ, ସାଧାରଣ ଗଳ୍ପ ନୁହେଁ । ଏହା ଭିନ୍ନ ସ୍ୱାଦ, ଭିନ୍ନ ରୁଚିର ।

 

ପ୍ରେମଚାନ୍ଦ ତାଙ୍କ ଗଳ୍ପରେ ଚିରାଚରିତ ପରମ୍ପରାକୁ ଅସ୍ୱୀକାର କରି, ନୂତନ କିଛି କହନ୍ତି, ନୂତନ କିଛି କରନ୍ତି ।

 

‘କଫନ୍‌’ ଆଳସ୍ୟପରାୟଣ ପିତାପୁତ୍ର ଉପରେ ଆଧାରିତ ଏକ ଭିନ୍ନ ଧରଣର ଗଳ୍ପ । ଜୀବନ-ଦର୍ଶନର ଏକ ସୂକ୍ଷ୍ମ ଅଭିଲେଖ ବହନ କରିଥିବା ହେତୁ ସାଧାରଣ ପାଠକ ମନରେ ଏହା ନିଶ୍ଚିତ ଭାବରେ ଆଲୋଡ଼ନ ସୃଷ୍ଟି କରିଥାଏ । ଏଥିରେ ମହାତ୍ମାଗାନ୍ଧୀଙ୍କ ସାମ୍ୟବାଦର ଚିତ୍ର ସୁସ୍ପଷ୍ଟ-। ପୁଣି ସମାଜର ଅନ୍ଧ ବୁଝାମଣା ଉପରେ ସେ ଯେଉଁ ବକ୍ରୋକ୍ତି କଲେ ତାହା ସର୍ବଥା ପ୍ରଣିଧାନ ଯୋଗ୍ୟ ।

 

‘ବିମାତା’ ଓ ‘ଘର ଜୁଆଇଁ’ ଗଳ୍ପ ଦୁଇଟି ସମଶ୍ରେଣୀର ହେଲେ ମଧ୍ୟ, ବିମାତା ଗଳ୍ପରେ ଅଧିକ କାରୁଣ୍ୟ ଅଛି । ଘର ଜୁଆଇଁ ଗଳ୍ପଟି ଗ୍ରାମୀଣ ଚିତ୍ରର ବଳିଷ୍ଠ ପଟ୍ଟଭୂମି ଉପରେ ଦଣ୍ଡାୟମାନ-। ହରିଧନ ଜେଠର ଭୁଲ୍‍ ବୁଝାମଣା ସାଙ୍ଗରେ ମୁନୁର ପିତାଙ୍କର ଭୁଲ୍ ବୁଝାମଣାର ସମ୍ପର୍କ ଅଛି । ‘ବିମାତା’ ଏଇ ଦୁଇଟି ଗଳ୍ପରେ ଦାନବୀ ପରିବର୍ତ୍ତେ ‘ଦେବୀ’ର ସ୍ଥାନ ଅଧିକାର କରିଛି-

 

ଏତଦ୍‍ବ୍ୟତୀତ ପଞ୍ଚାୟତ, ଦଣ୍ଡବିଧାନ, ବଡ଼ଘରର ଝିଅ, ସଉତୁଣୀ, ଦାରୋଗା, ଉପଦେଶ ଓ ପରୀକ୍ଷା ପ୍ରଭୃତି ଗଳ୍ପଗୁଡ଼ିକ ବହୁ ବିଚିତ୍ର ଭିନ୍ନ ସ୍ୱାଦର ଅପୂର୍ବ ଭଙ୍ଗିମାରେ ପ୍ରେମଚାନ୍ଦଙ୍କର କଳା ନୈପୁଣ୍ୟର ପରିଚୟ ଦିଏ ।

 

ବିଜ୍ଞ ପାଠକମାନଙ୍କର ଚିତ୍ତ ବିନୋଦନ ହୋଇପାରିଲେ ସଂକଳନର ଶ୍ରମ ସାର୍ଥକ ହେବ-

Image

 

କଫନ୍‌

 

କୁଡ଼ିଆ ଘର ଦୁଆର ମୁହଁରେ କରି ବାପ ପୁଅ ଦି’ଟା ଗୋଟିଏ ଦରଲିଭା ଉହ୍ମେଇ ଧରି ଚୁପ୍‌ଚାପ୍‌ ବସି ରହିଥାନ୍ତି । ବୁଧିଆ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାଏ । ବେଳେ ବେଳେ ରହି ରହି ତା’ ମୁହଁରୁ ଏଭଳି କାତର ଧ୍ୱନି ବାହାରୁଥାଏ ଯେ, ସେ ଧ୍ୱନି ଶୁଣି ବାପ ପୁଅ ଉଭୟେ ତଟସ୍ଥ ହୋଇ ଉଠୁଥାନ୍ତି । ଶୂନ୍‌ଶାନ୍ ଶୀତ ରାତି । ଅନ୍ଧାର ଭିତରେ ସମଗ୍ର ଗାଁଟା ହଜିଯାଇଥାଏ ।

 

ବୁଢ଼ା ଘିସୁ କହିଲା, ମନେହେଉଛି ସେ ବୋଧହୁଏ ବଞ୍ଚିବ ନାହିଁ । ସାରା ଦିନଟା କଲବଲ ହେଲା । ଟିକେ ଯାଇ ଦେଖିଆ !

 

ପୁଅ ମାଧୋ ଏ କଥା ଶୁଣି ରାଗିଗଲା । ବିରକ୍ତ ହୋଇ କହିଲା, ମରିବା କଥା ଯଦି ଶୀଘ୍ର ମରି ଯାଉନି କାହିଁକି ? ମୁଁ ଯାଇ ଦେଖି ଆଉ ଅଧିକାଟା କରିବି କ’ଣ ?

 

ତୁ ବଡ଼ ନିର୍ଦ୍ଦୟ ଦେଖୁଛି । ବର୍ଷ ଗୋଟାକ ଯାହା ସାଙ୍ଗରେ ଭଲମନ୍ଦରେ ଚଳିଲୁ, ତା’ ପାଖରେ ଏମିତି ପୁଣି ନିର୍ଦ୍ଦୟ ହେଉଛୁ ?

 

ନାଁ ସେ କଥା ନୁହେଁ ଯେ, ସେ ତ ଦୁଃଖରେ କଲବଲ ହେଉଛି । ତା’ ସାଙ୍ଗକୁ ଯେଉଁ ଗୋଡ଼ ହାତ ଛାଟୁଛି ନାଁ, ତାକୁ ଆଉ ଦେଖି ପାରିବିନି—ମାଧୋ କହିଲା ।

 

ଗାଁ ଭିତରେ ମୋଚି ପରିବାରଟିର ଭାରୀ ବଦନାମ । ଘିସୁ ଦିନେ କାମ କଲା ତ ଆଗାମୀ ତିନି ଦିନ ଆରାମ କରେ । ମାଧୋଟା ବି’ ସେମିତି କାମରେ ଖଇଚା କରେ । ଅଧ ଘଣ୍ଟାଏ କାମ କରି ଆର ଘଣ୍ଟାକ ଚିଲମ ଟାଣେ । ସେଇଥି ପାଇଁ ସେମାନଙ୍କୁ ମଜୁରୀ ଜୁଟେ ନାହିଁ । ଖାଇବା ପାଇଁ ଯଦି ଘରେ ଗଣ୍ଡେ ଦାନା ଅଛି, ତେବେ ସେମାନେ କାମକୁ ବାହାରିବେ ନାହିଁ । ଭୋକ ଉପାସରେ ଦି’ ଚାରିଦିନ ଆଉଟୁ ପାଉଟୁ ହେବା ପରେ ସେମାନଙ୍କ ଦକା ପଶେ । ସେତେବେଳେ ଯାଇ ଘିସୁ ବାଧ୍ୟ ହୋଇ ଗଛରେ ଚଢ଼ି କାଠ ସଂଗ୍ରହ କରେ ଓ ମାଧୋ ତାକୁଇ ନେଇ ବଜାରରେ ବିକ୍ରି କରେ । ଯାହା ମିଳେ ସେସବୁ ସରିବା ଯାଏ ଦୁହେଁ ବିନା କାରଣରେ ଖାଲି ଘୂରିବୁଲନ୍ତି । ପୁଣି ଯେତେବେଳେ ପଇସା ସରିଯାଏ ଓ ଭୋକ ଉପାସର ସମୟ ଆସେ ସେତେବେଳେ ଯାଇ ସେମାନଙ୍କ ମନରେ ପୁଣି ଚିନ୍ତା ପଶେ । ସେତେବେଳେ ସେ ଦୁହେଁ କାଠ ଭାଙ୍ଗି ଯାଆନ୍ତି କିମ୍ୱା ଚାକିରି ଖୋଜିବା ଆରମ୍ଭ କରିଦିଅନ୍ତି ।

 

ଗାଆଁରେ ଯେ କିଛି କାମ ନାହିଁ, ଏପରି ନୁହେଁ । ଚାଷୀ ଗାଆଁରେ ମେହେନତ୍‌ କରିବା ଲୋକଙ୍କ ପାଇଁ ଅନେକ କାମ । ଜଣକର କାମ ଦି’ଜଣ ଲୋକଙ୍କୁ ମଜୁରୀ ଦେଇ ହାସଲ କରିବା ବ୍ୟତୀତ ଅନ୍ୟଗତି ଯାହାର ନାହିଁ, ସେହିଭଳି ଲୋକ ଏମାନଙ୍କୁ ମୂଲକାମ ପାଇଁ ବାଧ୍ୟ ହୋଇ ଡାକେ । ଦୁହେଁ ଯଦି ସାଧୁ ହୋଇଥାନ୍ତେ, ତାହାହେଲେ ସାଧୁ ଓ ଧୈର୍ଯ୍ୟବାନ୍‌ ହେବା ସକାଶେ ସେମାନଙ୍କ ପାଇଁ ସଂଯମ ତଥା ନିୟମ କାନୁନର ଆବଶ୍ୟକତା ନ ଥାନ୍ତା । ଅସାଧୁ ହେବା ସେମାନଙ୍କ ପ୍ରକୃତି ଥିଲା । ଜୀବନଟା ବି’ ବଡ଼ ବିଚିତ୍ର ଥିଲା । ଘରେ ଦୁଇ ଚାରିଟା ମାଟି ବାସନ ବ୍ୟତୀତ, ସମ୍ୱଳ ବୋଲି ଆଉ କିଛି ନ ଥିଲା । ଫଟା ଚିରାକୁ ଆଶ୍ରୟ କରି, ଯେକୌଣସି ମତେ ନିଜର ନଗ୍ନତା ଲୁଚାଇ ସେମାନେ ଚଳୁଥିଲେ । ସଂସାରର କୌଣସି ଚିନ୍ତା ସେମାନଙ୍କର ନ ଥିଲା । ଅଥଚ ମୁଣ୍ଡ ଉପରେ ଋଣର ବୋଝଟିଏ ଲଦି ହୋଇ ଯାଇଥିଲା । ଗାଳିମାଡ଼କୁ ସେମାନଙ୍କର ଏଡ଼ିକି ଟିକିଏ ଦୁଃଖ ନ ଥାଏ । ସେମାନେ ଏଡ଼େ ଗରିବ ଥିଲେ ଯେ, ସେମାନଙ୍କଠାରୁ ପଇସା ଫେରିପାଇବାର ଏତେ ଟିକେ ମଧ୍ୟ ଆଶା ନ ରଖି, ଲୋକେ ତାଙ୍କୁ କରଜ ଦେଉଥିଲେ ।

 

ମଟର, ଆଳୁ ଆମଦାନି ସମୟରେ ସେମାନେ ଲୋକଙ୍କର ବିଲରୁ ମଟର, ଆଳୁ ଚୋରି କରନ୍ତି ଏବଂ ପୋଡ଼ି ଖାଆନ୍ତି । ବେଳେ ବେଳେ ଆଖୁ କେଇଖଣ୍ଡ କାହା ବାଡ଼ିରୁ ଉପାଡ଼ି ନେଇ ଆସି, ତାକୁଇ ଚୋବାଇ ରାତି କାଟନ୍ତି ।

 

ଏଇଭଳି ଦୁର୍ବୃତ୍ତି ଅବଲମ୍ୱନ କରି ଘିସୁ ତା’ ଜୀବନର ଷାଠିଏ ବର୍ଷ କଟାଇ ଦେଇଛି । ମାଧୋ ମଧ୍ୟ ସୁପୁତ୍ର ପରି ବାପର ପଥ ଅନୁସରଣ କରିଆସିଛି । ଏପରିକି ବାପଠୁ ସେ ବଳି ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନର ଏପ୍ରକାର ବିପଦ ବେଳେ ସେମାନେ ଦରଲିଭା ଉହ୍ମେଇ ପାଖରେ ବସି, କାହା ବିଲରୁ ଚୋରି କରି ନେଇ ଆସୁଥିବା ଆଳୁ ପୋଡ଼ୁଥିଲେ ।

 

ଘିସୁ ବହୁଦିନ ହେଲା ତା’ ସ୍ତ୍ରୀକୁ ହରାଇଥିଲା । ମାଧୋ ବିବାହ କରିଥିଲା ଗତବର୍ଷ । ମାଧୋର ସ୍ତ୍ରୀ ଆସିବା ପରଠାରୁ ସେହି ବଂଶଟାକୁ କୁଳରେ ଲଗାଇବା ପାଇଁ ଯଥାସାଧ୍ୟ ଗୋଟିଏ ମୂଳଦୁଆ ପକାଇ ଆସୁଥିଲା । ପ୍ରତିଦିନ କାହା ଘରେ କିଛି ପେଷାପେଷି କରି କିମ୍ୱା ଘାସ କାଟି କୌଣସି ପ୍ରକାରେ ସେରେ ଅଧ ସେର ଅଟା ଯୋଗାଡ଼ କରି, ଘରେ ବସିଥିବା ଦୁଇ ଅଳସୁଆଙ୍କର ପେଟ ଭରୁଥିଲା । ସେ ଆସିବା ପରଠୁ ଏ ଦୁହେଁ ଆହୁରି ଅଧିକ ଅଳସୁଆ ଓ ଆରାମ-ପ୍ରିୟ ହୋଇ ପଡ଼ିଥିଲେ । ଏପରିକି ସେମାନେ ସାମାନ୍ୟ ଗର୍ବୀ ହୋଇ ପଡ଼ୁଥିବା ଜଣାଗଲା । କେହି ଯଦି ଦୁଆରକୁ ଆସି କାମ କରିବାକୁ ଡାକୁଥିଲା ତ ଏମାନେ କିଛି ବିଚାର ଆଲୋଚନା ନ କରି ସଙ୍ଗେ ସଙ୍ଗେ ଦୁଇଗୁଣ ପଇସା ଦାବି କରୁଥିଲେ । ସେଇ ବୋହୂ ଆଜି ପ୍ରସବ ଯନ୍ତ୍ରଣା ଭୋଗ କରୁଥିବା ବେଳେ ମନେହେଲା ସତେ ଅବା ସେ ଯଥାଶୀଘ୍ର ମରିଗଲେ କିପରି ଏ ଦୁହେଁ ଆରାମରେ ଶୋଇପଡ଼ିବେ ତାକୁଇ ଅପେକ୍ଷା କରିଥାନ୍ତି ।

 

ଘିସୁ ଦରଲିଭା ଉହ୍ମେଇ ଭିତରୁ ଆଳୁ ବାହାର କଲା ଓ ତା’ର ଚୋପା ଛଡ଼ାଇ କହିଲା, ଟିକେ ଯାଇ ଦେଖି ଆସିଲୁ ସେ ବର୍ତ୍ତମାନେ କେଉଁପରି ଅବସ୍ଥାରେ ଅଛି । ଯେତେଦୂର ମନେହୁଏ, ତାକୁ ଭୂତ କିମ୍ୱା ଡାହାଣୀ ଲାଗିଛି । ନାହିଁ ତ ଆଉ କ’ଣ ହୋଇପାରେ ? ତେଣେ ଦେଖିଲା ବେଳକୁ, ଗୁଣିଆ ଭୂତ ଛଡ଼ାଇ ଦେବ ବୋଲି ଟଙ୍କାଏ ଦାବି କରୁଛି ।

 

ମାଧୋ ଡରୁଥିଲା, ସେ ଯଦି ଘର ଭିତରକୁ ଯାଏ, ତାହାହେଲେ ଘିସୁ ହୁଏତ ପୋଡ଼ା ଆଳୁତକ ସଫା କରିଦେବ । ତା’ପାଇଁ କିଛି ରଖିବ ନାହିଁ । ସେଇଥିପାଇଁ କହିଲା, ତା’ପାଖକୁ ଯିବାକୁ ମୋତେ ଡର ଲାଗୁଛି ।

 

ଆରେ, ଡର ଗୋଟାଏ କ’ଣ ? ମୁଁ ପରା ଏଇଠି ବସିଛି । ଘିସୁ କହିଲା ।

 

ତାହାହେଲେ, ତମେ ଯାଇ ଦେଖୁନା ! ମାଧୋ କହିଲା ।

 

ତୁ ଜାଣୁ, ମୋ’ ସ୍ତ୍ରୀ ରୋଗରେ ପଡ଼ି ମରିଗଲା । ତା’ର ମୃତ୍ୟୁ ବେଳକୁ ମୁଁ ଦୀର୍ଘ ତିନିଦିନ ପର୍ଯ୍ୟନ୍ତ ତା’ର ପାଖ ଛାଡ଼ିନଥିଲି । ତା’ଛଡ଼ା, ମତେ ଦେଖିଲେ ବୁଧିଆ ନିଶ୍ଚୟ ଲାଜ କରିବ । ଯାହାର ମୁହଁ ମୁଁ ଏଯାଏଁ ଦେଖିନି, ଆଜି କେମିତି ତା’ର ମୁହଁ ଦେଖିବି ? ଏବେ ତା’ର ନିଜ ଶରୀର ପ୍ରତି ଏତିକି ଟିକିଏ ଜ୍ଞାନ ନ ଥିବ । ଲଙ୍ଗଳା ମୁକୁଳା ହୋଇ ପଡ଼ିଥିବ । ଏ ଅବସ୍ଥାରେ ସେ ଯଦି ମୋତେ ପାଖରେ ଦେଖେ, ତାହାହେଲେ ଫରଚାରେ ଗୋଡ଼ ହାତ ହଲାଇବା ବନ୍ଦ କରିଦେବ-। ଘିସୁ କହିଲା ।

 

ଆଚ୍ଛା, ଯଦି ପିଲା ଜନ୍ମ ହୁଏ କ’ଣ କରିବା ? ଶୁଣ୍ଠି, ଗୁଡ଼ ତେଲ ଇତ୍ୟାଦି କିଛିତ ଘରେ ନାହିଁ । ମାଧୋ ପ୍ରଶ୍ନ କଲା ।

 

ସବୁକିଛି ଯୋଗାଡ଼ ହୋଇଯିବ । ଭଗବାନ କଲେ, ଯିଏ ଆମକୁ ଆଜି ପଇସାଟିଏ ଦେବାକୁ କୁଣ୍ଠିତ ହେଉଛି, କାଲି ସେ ଆମକୁ ପାଖକୁ ଡାକି ଟଙ୍କା ବଢ଼ାଇ ଦେବ । ମୋର ନଅଟା ପୁଅ ହୋଇଥିଲେ । ଘରେ କିଛି ନ ଥିଲା । ଭଗବାନ କୌଣସି ପ୍ରକାରେ ଚଳାଇ ନେଲେତ ! ଘିସୁ କହିଲା ।

 

ଦିନରାତି ପରିଶ୍ରମ କରି ଚଳୁଥିବା ଲୋକଙ୍କ ଅବସ୍ଥା ଏମାନଙ୍କଠାରୁ ସେତେ ଅଧିକ ଭଲ ନ ଥିଲା । ଯେଉଁ ସମାଜରେ ସାହୁକାର ଏବଂ ଧନୀ ଲୋକମାନେ ଦରିଦ୍ର କୃଷକମାନଙ୍କ ଦୁର୍ବଳତା ଓ ଅସହାୟତା ଉପରେ ଫାଇଦା ଉଠାଇ ନିଜ ନିଜ ଅବସ୍ଥାକୁ କୌଣସି ପ୍ରକାରେ ସ୍ୱଚ୍ଛଳ ରଖୁଥିଲେ, ସେହି ସମାଜରେ ଏଭଳି ମନୋବୃତ୍ତି ଦେଖା ଦେବା କିଛି ଆଶ୍ଚର୍ଯ୍ୟ ନ ଥିଲା, ସେଇଥିପାଇଁ ମୁଁ କହିବି, ଘିସୁ ସାଧାରଣ କୃଷକମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ୍ ଥିଲା ଏବଂ ସେଥିପାଇଁ ବିଚାରଶୂନ୍ୟ କୃଷକମାନଙ୍କ ଭିତରେ ନ ରହି, ମଦୁଆମାନଙ୍କ ଦଳରେ ଯୋଗ ଦେଇଥିଲା । କିନ୍ତୁ ସେହି ମଦୁଆମାନଙ୍କ ନୀତି ନିୟମ ପାଳନ କରିବା ଶକ୍ତି ତା’ ପାଖରେ ନ ଥିଲା-। ସୁତରାଂ ଯେଉଁଠି କଦର୍ଯ୍ୟ ଧରଣର ଲୋକମାନେ ସରପଞ୍ଚ କିମ୍ୱା ଅନ୍ୟ କୌଣସି ମୁଖ୍ୟ ସ୍ଥାନ ଅଧିକାର କରିପାରୁନଥିଲେ, ସେଇଠି ସେ ଘୃଣ୍ୟ ବିବେଚିତ ହେଉଥିଲା । ତଥାପି ସେ ଜାଣିଥିଲା ଯେ, ଯଦିଓ ତା’ର ଅବସ୍ଥା ଖରାପ ତଥାପି ତାକୁ କୃଷକମାନଙ୍କ ପରି ହାଡ଼ଭଙ୍ଗା ଖଟଣି ପଡ଼ୁନଥିଲା ଏବଂ ତା’ର ସରଳତାକୁ ନେଇ ଅନ୍ୟମାନେ ଅନାବଶ୍ୟକ ଫାଇଦା ଉଠାଇ ପାରୁନଥିଲେ-

 

ଘିସୁ ଓ ମାଧୋ ଉଭୟେ ଉହ୍ମେଇ ଭିତରୁ ପୋଡ଼ାଆଳୁ ବାହାର କରି ତତଲା ଅବସ୍ଥାରେ ଖାଇବାକୁ ଲାଗିଲେ । ଗତକାଲିଠାରୁ ସେମାନେ କିଛି ଖାଇନଥାନ୍ତି । ଆଳୁ ଥଣ୍ଡା କରି ଖାଇବା ପାଇଁ ସେମାନଙ୍କର ଧୈର୍ଯ୍ୟ ନ ଥାଏ । ତତଲା ଆଳୁ ଖାଉ ଖାଉ ସେମାନଙ୍କର ଜିଭ ପୋଡ଼ିଗଲା । ଆଳୁ କାଢ଼ି ଦେବାପରେ ତାହା ବିଶେଷ ଗରମ ଜଣା ଯାଉନଥାଏ ସତ, କିନ୍ତୁ ତାକୁ ଚୋବାଇ ଖାଉ ଖାଉ ତତଲା ଅଂଶତକ ଜିଭ, ତାଳୁ ଆଉ ତଣ୍ଟି ଗୋଟାକଯାକ ପୋଡ଼ି ପକାଉଥିଲା-। ତେଣୁ ସେଇ ତତଲା ଆଳୁ ପାଟିରେ ପକାଉ ପକାଉ ଗିଳି ଦେବାରେ ହିଁ ଅଧିକ ନିରାପଦ ମନେହେଉଥିଲା । କାରଣ ସେ ଆଳୁ ଥଣ୍ଡା କରିବା ପାଇଁ ସେମାନଙ୍କ ପେଟରେ ଯଥେଷ୍ଟ ଶକ୍ତି ଥିଲା-। ସେଇଥିପାଇଁ ସେମାନେ ସେ ସବୁ ଶୀଘ୍ର ଶୀଘ୍ର ଗିଳି ପକାଉଥିଲେ । କିନ୍ତୁ ଏପରି କଲାବେଳେ ସେମାନଙ୍କ ଆଖିରେ ଲୁହ ଉଛୁଳି ଉଠୁଥିଲା ।

 

ଠିକ୍‌ ସେତିକିବେଳେ ଘିସୁର ମନେପଡ଼ିଲା ଠାକୁର ଘର ମହୋତ୍ସବ ସମୟର କଥା । କୋଡ଼ିଏ ବର୍ଷ ତଳେ ସେ ସେହି ଉତ୍ସବରେ ଯୋଗ ଦେଇଥିଲା । ସେତିକି ବେଳର ଭୋଜି ଖାଇ ସେ ଯେଉଁ ଆନନ୍ଦ ଲାଭ କରିଥିଲା, ତାହା ତା’ ଜୀବନର ଗୋଟିଏ ଅତି ସ୍ମରଣୀୟ ଘଟଣା । ଏବେମଧ୍ୟ ସେହି ସ୍ମୃତି ତାକୁ ସଦ୍ୟ ମନେହେଉଥିଲା । କହିଲା, ମୁଁ ସେଦିନର ସେହି ଭୋଜି କଥା ଆଉ ଭୁଲିପାରୁନି । ସେହିଦିନଠାରୁ ଆଉ ସେ ପ୍ରକାର ଭୋଜି ପେଟଭରି ଖାଇବାକୁ ମଧ୍ୟ ମିଳିନାହିଁ-। କନ୍ୟାଘର ସମସ୍ତଙ୍କୁ ପେଟଭର୍ତ୍ତି ପୁରି ଖାଇବାକୁ ଦେଇଥିଲେ । ଛୋଟ ବଡ଼ ସଭିଏଁ ପୁରି ଖାଇଥିଲେ । ସେ ପୁରି କେମିତିକା ଜାଣୁ ? ଖାଲି ଘିଅରେ ଭଜା । ଚଟଣି, ତରକାରୀ ତିନିପ୍ରକାର ଶାଗ, ଦହି, ମିଠାଇ ପୁଣି ଆହୁରି କେତେ କ’ଣ । ସେ ଭୋଜି ଯେ କି ମିଠା ଲାଗୁଥିଲା, କ’ଣ କହିବି ? ଗୋଟିଏ ଜିନିଷ ବି ଖରାପ ହୋଇନଥିଲା । ଯିଏ ଚାହିଁଲା, ମାଗିଲାମାତ୍ରେ ଦିଆଗଲା । ଲୋକେ ଏତେ ଖାଇଲେ ଯେ, ପେଟରେ ଟୋପେ ପାଣି ପଶିବାକୁ ଆଉ ଜାଗାନଥିଲା-। ପରଷିବା ଲୋକମାନେ ଖଲିପତ୍ର ଉପରେ ରକମ୍ ରକମ୍‌ର ଗୋଲିଆ ଗୋଲିଆ, ପୁରଦିଆ ମିଠେଇ ପରଷି ଯାଉଥାନ୍ତି । ଦିଅନାହିଁ ବୋଲି ମନା କଲେ ମଧ୍ୟ ମାନୁନଥାନ୍ତି । ଖାଇସାରି ମୁହଁ ଧୋଇବା ପରେ ପୁଣି ସମସ୍ତଙ୍କୁ ପାନ ଅଳାଇଚ ବଣ୍ଟାଗଲା । କିନ୍ତୁ ପାନ ନେବାକୁ ଆଉ ମୋର ଜ୍ଞାନ ନ ଥାଏ । ମୁଁ ସେତେବେଳେ ଆଉ ଛିଡ଼ା ହୋଇ ପାରୁନଥିଲି । ଶୀଘ୍ର ଯାଇ କମ୍ୱଳ ପକାଇ ଶୋଇଗଲି ।

 

ଆହା, ଠାକୁର ଜଣକ କେତେ ଉଦାର ଲୋକ ସତରେ !

 

ମାଧୋ ସେକଥା ଶୁଣୁ ଶୁଣୁ ସତେ ଅବା ସେହି ଭୋଜିର ମଜା ଚାଖି ନେଉଥିଲା । କହିଲା ଏବେ ଆଉ ଆମକୁ ସେହିଭଳି ଭୋଜି କେହି ଦେଉ ନାହାନ୍ତି ।

 

ଆଜିକାଲି କିଏ ଆଉ କ’ଣ ଖୁଆଇବ ? ସମସ୍ତେ ଖାଲି ଖର୍ଚ୍ଚକାଟ ପାଇଁ ମାତିଛନ୍ତି । କହୁଛନ୍ତି ବିବାହ ଭୋଜିରେ ଖର୍ଚ୍ଚ କରନି । କ୍ରିୟା କର୍ମରେ ଖର୍ଚ୍ଚ କରନି । ଆଚ୍ଛା, ଗରିବ ଗୁରୁବାଙ୍କଠାରୁ ଧନ ମାରିନେଇ ସେମାନେ ରଖିବେ କେଉଁଠି ? ମାରିଲା ବେଳକୁ ତ କମ୍‌ ବେଶୀ ଜଣାପଡ଼ୁନାହିଁ, ଖାଲି ଖର୍ଚ୍ଚ କଲାବେଳକୁ ଦିଶୁଛି ।

 

ଆଚ୍ଛା, ତମେ ସେଦିନ କୋଡ଼ିଏଟି ପୁରି ଖାଇଥିବ ? ମାଧୋ ପ୍ରଶ୍ନକଲା ।

 

କୋଡ଼ିଏରୁ ଅଧିକ ଖାଇଥିଲି । ଘିସୁ କହିଲା ।

 

ମୁଁ ହୋଇଥିଲେ ପଚାଶଟିରୁ ଅଧିକ ଖାଇ ଯାଇଥାନ୍ତି । ମାଧୋ କହିଲା ।

 

ମୁଁ ବି ପଚାଶରୁ କମ୍‍ ଖାଇନଥିବି । ସେତେବେଳେ ମୁଁ ମସ୍ତ ଯୁବକ । ମୋର ସେ ଅବସ୍ଥାକୁ ଦେଖିଲେ ତୁ’ ଅଧା ବି ନୋହୁଁ । ଘିସୁ କହିଲା ।

 

ଆଳୁ ଖାଇସାରି ଦୁହେଁ ପେଟେ ପେଟେ ପାଣି ପିଇଲେ । ତା’ପରେ ସେହି ଉହ୍ମେଇ ପାଖରେ ନିଜ ନିଜର ପିନ୍ଧା ଲୁଗାଟିମାନ ଘୋଡ଼ାଇ ହୋଇ, ଯାକିଯୁକି ହୋଇ ଶୋଇଗଲେ । ମନେହେଲା ସତେଅବା ଦୁଇଟି ଅଜଗର ମଳାବାନ୍ଧି ଶୋଇ ଯାଇଛନ୍ତି ।

 

ତେଣେ ବୁଧିଆ ପ୍ରସବ ଯନ୍ତ୍ରଣାରେ କଲବଲ ହେଉଥାଏ ।

 

(ଦୁଇ)

 

ପରଦିନ ସକାଳେ ମାଧୋ ଘର ଭିତରକୁ ଯାଇ ଦେଖେ ତ ତା’ର ସ୍ତ୍ରୀ ବୁଧିଆ କାଲୁଆ ହୋଇ ପଡ଼ିଛି । ମାଛି ସବୁ ମୁହଁ ଉପରେ ଭଣ ଭଣ ହେଉଛନ୍ତି । ଆଖିଦୁଇଟି ଲେଉଟି ରହିଛି । ଦେହ ଗୋଟାକ ଧୂଳିରେ ବୁଡ଼ି ରହିଛି । ପ୍ରସବ ହୋଇନପାରି ପେଟ ଭିତରେ ପିଲା ମରିଯାଇଛି ।

 

ଏ ଦୃଶ୍ୟ ଦେଖିବା ପରେ, ମାଧୋ ଘିସୁ ପାଖକୁ ଦଉଡ଼ି ଆସି ସବୁକଥା ଜଣାଇଲା । ଦୁହେଁଯାକ ଛାତି ପିଟି ଖୁବ୍‌ ବଡ଼ ପାଟିରେ କାନ୍ଦିବାକୁ ଲାଗିଲେ । ଆଖ ପାଖର ଲୋକେ ଏମାନଙ୍କର ପାଟି ଶୁଣି ଧାଇଁ ଆସିଲେ ଓ ପୂର୍ବ ପ୍ରଚଳିତ ପ୍ରଥା ମୁତାବକ ଅଭାଗା ଦୁଇଟିକୁ ସାନ୍ତ୍ୱନା ଦେବାକୁ ଲାଗିଲେ ।

 

ଛାତି ପିଟି ହୋଇ କାନ୍ଦିବାକୁ ଆଉ ସମୟନଥିଲା । କଫନ୍ ବନ୍ଦୋବସ୍ତ ଚିନ୍ତା ଆସି ପହଞ୍ଚିଗଲା । ଏଥିପାଇଁ ପଇସା କାହିଁ ? ଚିଲର ବସାରୁ ମାଂସ ଉଭେଇ ଗଲାପରି ଘିସୁର ଘରୁ ପଇସା ସବୁ ଉଭେଇ ଯାଇଥିଲା ।

 

ବାପ ପୁଅ ଦୁହେଁ କାନ୍ଦି କାନ୍ଦି ଗାଁ ଜମିଦାରଙ୍କ ପାଖକୁ ଗଲେ । ଜମିଦାର ଏ ଦୁହିଁଙ୍କୁ ଦେଖିଲେ ଘୃଣା କରନ୍ତି । ଅନେକଥର ଏମାନଙ୍କୁ ସେ ନିଜ ହାତରେ ପିଟିଛନ୍ତି । କାରଣ ଏମାନେ ବରାବର ଚୋରି କରନ୍ତି ଓ ଠିକ୍ ସମୟରେ କାମରେ ଯୋଗ ଦିଅନ୍ତି ନାହିଁ । ସେ ପଚାରିଲେ, କିରେ ଘିସୁ, କ’ଣ ହେଲା ? କାହିଁକି କାନ୍ଦୁଛୁ ? ଆଜିକାଲି ତୋର ଆଉ ଦେଖାଦର୍ଶନ ମିଳୁ ନାହିଁ ଯେ ! ଜଣା ଯାଉଛି, ଏ ଗାଁରେ ରହିବା ତୋର ଆଉ ଇଚ୍ଛା ନୁହେଁ ।

 

ଘିସୁ ତଳେ ମୁଣ୍ଡ ଲଗାଇ ଦଣ୍ଡବତ ହେଲା ଓ କାନ୍ଦି କାନ୍ଦି କହିଲା, ସରକାର, ବଡ଼ ବିପଦରେ ପଡ଼ିଛି । ମାଧୋର ସ୍ତ୍ରୀ ଗତ ରାତିରେ ଆମକୁ ଛାଡ଼ି ସେ ପୁରକୁ ଚାଲିଗଲା । ରାତି ସାରା ସେ ଯେଉଁ କଷ୍ଟ ପାଇଲା, କଥାରେ କହି ହବ ନାହିଁ । ଆମେ ବରାବର ତା’ ପାଖରେ ଜଗି ବସିଥିଲୁ । ଓଷ ଗୁଣିଆ ଯାହା କଥା କଲୁ । ତଥାପି ସେ ଆମକୁ ଦଗା ଦେଇ ଚାଲିଗଲା । ବର୍ତ୍ତମାନ ଆମକୁ ଖଣ୍ଡେ ରୁଟି ସେକି ଦେବାକୁ କେହି ନାହିଁ । ଆମେ ଭାସିଗଲୁ ସରକାର ! ଘର ଆମର ଭାଙ୍ଗିଗଲା । ଆମେ ତ ଆପଣଙ୍କର ସହଜେ ଗୋଲାମ । ଆପଣଙ୍କ ବିନା ଆଉ କିଏ ତା’ର ସଂସ୍କାର ଲାଗି ସାହାଯ୍ୟ କରିବ ? ଆମ ହାତରେ ଯାହା ଥିଲା, ଓଷ ଗୁଣିଆରେ ସବୁ ଉଡ଼ିଗଲା । ଆପଣଙ୍କର ଦୟା ହେଲେ ଯାଇ ବର୍ତ୍ତମାନ ତା’ର ସଂସ୍କାର ହବ । ଏଭଳି ଅବସ୍ଥାରେ ଆପଣଙ୍କ ପାଖକୁ ନ ଆସି ଆଉ କାହା ପାଖକୁ ଯାଆନ୍ତୁ ?

 

ଜମିଦାର ଦୟାଳୁ ଥିଲେ । କିନ୍ତୁ ଘିସୁକୁ ଦୟା କରିବା ଯାହା, କଳା କମ୍ୱଳ ଉପରେ ରଙ୍ଗ ବୋଳିବା ସେଇଆ । ତାଙ୍କର ଇଚ୍ଛାହେଲା କହିବେ, ପଳା ପଳା । ଡାକିଲେ ବି ତ ପାଖକୁ ଆସୁନଥିଲୁ ଆଜି ସେମିତି ଅଧପ୍ରାଣ ଅବସ୍ଥା ବୋଲି ଧାଇଁଆସି ଖୋସାମତ କରୁଛୁ । ସଇତାନ୍‌ କେଉଁଠିକାର । କିନ୍ତୁ ନାଁ, ରାଗିବା କିମ୍ୱା ଦଣ୍ଡଦେବା ସମୟ ଇଏ ନୁହେଁ । ମନେ ମନେ ରାଗି ଉଠୁଥିଲେ ବି, ଦୁଇଟି ଟଙ୍କା କାଢ଼ି ସେମାନଙ୍କ ଉପରକୁ ଏକ ପ୍ରକାର ଫିଙ୍ଗିଦେଲେ, କିନ୍ତୁ ସେମାନଙ୍କୁ ସାନ୍ତ୍ୱନା ଦେବାପାଇଁ ପଦେହେଲେ କଥା କହିଲେ ନାହିଁ । କଥା କହିବା ତ ଦୂରର କଥା, ସେମାନଙ୍କୁ ଟିକିଏ ବି ଚାହିଁଲେନି । ଟଙ୍କା ଦେବା ଭଙ୍ଗୀ ଦେଖି ମନେହେଲା, ସତେ ଅବା ମୁଣ୍ଡରୁ ଏକ ବୋଝ ଉତାରି ଦେଇଛନ୍ତି ।

 

ଜମିଦାର ଯେତେବେଳେ ଟଙ୍କା ଦେଲେ, ଗାଁର ଅନ୍ୟାନ୍ୟ ମହାଜନମାନେ ଅବା ମନା କରନ୍ତେ କେତେକେ ? ସେଥିପାଇଁ ସେମାନଙ୍କ ପାଖରେ ସାହସ କାହିଁ ? ଜମିଦାରଙ୍କ ନାଁରେ କେଉଁ ପ୍ରକାର ପ୍ରଶଂସା କରାଯାଇପାରେ, ସେକଥା ଘିସୁ ଭଲଭାବରେ ଜାଣେ । କିଏ ଦି’ଅଣା ଦେଲା ତ, କିଏ ଚାରଣା । ଘଣ୍ଟାକ ଭିତରେ ଘିସୁ ପାଖରେ ନଗଦ ପାଞ୍ଚଟଙ୍କା ଜମା ହୋଇଗଲା । ଆଉ କେହି କେହି ଶସ୍ୟ ଓ କାଠ ସାହାଯ୍ୟ କଲେ । ସେ ଦିନର ଦି’ପହରବେଳେ ଘିସୁ ଆଉ ମାଧୋ କଫନ୍‌ କିଣିବେ ବୋଲି ବଜାରକୁ ଚାଲିଗଲେ । ଘର ପାଖରେ ଲୋକ କାଠ ଚିରାଚିରି ଆରମ୍ଭ କରି ଦେଇଥାନ୍ତି ।

 

ଗାଆଁର କୋମଳ ହୃଦୟା ସ୍ତ୍ରୀମାନେ ବୁଧିଆର ଶବ ଦେଖିବାକୁ ଆସୁଥିଲେ ଓ ତା’ର ଦୁରବସ୍ଥା ଦେଖି ଆଖିରୁ କେଇ ଟୋପା ଲୁହ ଗଡ଼ାଇ ଚାଲି ଯାଉଥିଲେ ।

 

(ତିନି)

 

ବଜାରରେ ପହଞ୍ଚିବାପରେ ଘିସୁ କହିଲା, ମାଧୋ, ଶବ ସଂସ୍କାର ହେଲାଭଳି କାଠ ଜମା ହୋଇଯାଇଛି ତ ?

 

ମାଧୋ ଉତ୍ତର ଦେଲା, କାଠ ଯଥେଷ୍ଟ ହେଲା । ବର୍ତ୍ତମାନ କେବଳ ଗୋଟାଏ କଫନ୍ ଦରକାର ।

 

ଚାଲ ତେବେ । କଫନ୍‍ ପାଇଁ ଶସ୍ତା ଦରର ଖଣ୍ଡେ କନା ନେଇ ଫେରିଯିବା । ଘିସୁ କହିଲା ।

 

ସେଇଆ କରିବା । ଶବ ନେଉ ନେଉ ତ ରାତି ହେବ । ରାତିବେଳେ କଫନ୍ ଆଉ ଦେଖିବ କିଏ ? ମାଧୋ ସମ୍ମତ ହେଲା ।

 

ଇଏ କେମିତିକା ପ୍ରଥା ଦେଖିଲୁ ! ବଞ୍ଚିଥିଲା ବେଳେ ଦେହ ଘୋଡ଼ାଇବାକୁ ଖଣ୍ଡେ କନା ଭଲ କରି ମିଳୁନଥିଲେ ମଧ୍ୟ, ମରିଯିବା ପରେ ତା’ପାଇଁ ଗୋଟିଏ ନୂଆ କଫନ୍ ଦରକାର ପଡ଼ୁଛି । ଘିସୁ ମନ୍ତବ୍ୟ ଦେଲା ।

 

ସେହି କଫନ୍‌ଟା ବି’ତ ଶବ ସଙ୍ଗରେ ଜଳେ । ମାଧୋ ମନେ ପକାଇ ଦେଲା ।

 

ବାକି ରହେ ଆଉ କ’ଣ ଯେ ? ଆଗରୁ ଯଦି ଏଇ ଟଙ୍କା ପାଞ୍ଚଟା ମିଳିପାରିଥାନ୍ତା କିଛି ଓଷ ଗୁଣିଆ କରାଯାଇଥାନ୍ତା ।

 

ଉଭୟେ ଉଭୟଙ୍କର ମନର କଥା ବୁଝି ପାରୁଥାନ୍ତି । ଏ ସବୁ ସତ୍ତ୍ୱେ, ବଜାର ଭିତରେ ସେ ଦୁହେଁ ଘୂରା ଫେରା କରିବାକୁ ଲାଗିଲେ । କେତେବେଳେ ଏ ଲୁଗା ଦୋକାନକୁ ଆସନ୍ତି ତ ଆଉ କେତେବେଳେ ପୁଣି ଅନ୍ୟଏକ ଲୁଗା ଦୋକାନକୁ ଆସନ୍ତି । ନାନାପ୍ରକାର ରେଶମ ଓ ସୂତା ତିଆରି କନା ସେମାନେ ଦେଖିଥିବେ, କିନ୍ତୁ କେଉଁଟା ହେଲେ ସେମାନଙ୍କର ପସନ୍ଦ ହେଲାନାହିଁ । ଦିନ ଯାଇ ସନ୍ଧ୍ୟା ହେଲା । କେଉଁ ଦୈବୀ ପ୍ରଭାବରୁ କେଜାଣି ସେମାନେ ଏମିତି ଘୂରା ଫେରା କରୁ କରୁ ଗୋଟିଏ ମଦ ଦୋକାନରେ ପହଞ୍ଚିଲେ । ସତେ ଅବା ପୂର୍ବରୁ ଠିକ୍‌ ଠିକଣା କରି ଆସିଥିବା ଭଳି, ଉଭୟେ ଦୋକାନ ଭିତରେ ପଶିଗଲେ । ସେଇଠି ସେମାନେ କିଛି ସମୟ ପାଇଁ ଛିଡ଼ାହେଲେ-। ମନେହେଲା କ’ଣ କରିବେ ନ କରିବେ ଜାଣିନପାରି ଏକ ଗୋଲକଧନ୍ଦାରେ ପଡ଼ିଯାଇଛନ୍ତି ।

 

ପରେ କିନ୍ତୁ ଘିସୁ ଦୋକାନୀକୁ କହିଲା, ଆମକୁ ଗୋଟେ ବୋତଲ ଦିଅ !

 

ମଦ ବୋତଲ ପରେ କିଛି ଚାଖଣା ଜିନିଷ ଓ ମାଛଭଜା ବି’ ଆସିଲା । ଉଭୟେ ବାରଣ୍ଡାରେ ବସି ଶାନ୍ତିରେ ମଦ ପିଇବାକୁ ଲାଗିଲେ ।

 

କେତେ ସରା ମଦ ଲାଗ୍‌ ଲାଗ୍ ପିଇଯିବା ପରେ ଦୁହିଁଙ୍କୁ ନିଶାଧରିଲା ।

 

ଘିସୁ କହିଲା, କଫନ୍‌ରୁ ଆମକୁ ମିଳନ୍ତା କ’ଣ ? ଶେଷରେ ମଡ଼ା ସଙ୍ଗରେ ଜଳିଯାଇଥାନ୍ତା । ତା’ କ’ଣ ବୋହୂ ସଙ୍ଗରେ ଯାଆନ୍ତା ।

 

ନିଜେ ଯେ କିଛି ଭୁଲ୍ କରି ନାହିଁ, ଏଇୟା ପ୍ରକାଶ କରିବ ବୋଲି ଦେବାଦେବୀଙ୍କୁ ସାକ୍ଷୀ ରଖିଲା ପରି ଆକାଶକୁ ଚାହିଁ ଚାହିଁ ମାଧୋ କହିଲା, ଏହାହିଁ ତ ଦୁନିଆର ନିୟମ । ନହେଲେ ଲୋକେ ହଜାର ହଜାର ଟଙ୍କା ବ୍ରାହ୍ମଣଙ୍କ ହାତରେ ଟେକି ଦିଅନ୍ତେ କାହିଁକି ? ମୃତ ଲୋକକୁ ସେ ସବୁ ମିଳୁଛି କି ନାହିଁ ଦେଖେ ?

 

ବଡ଼ଲୋକ ପାଖରେ ଧନ ଥିଲେ ଉଡ଼ାନ୍ତୁ । କିନ୍ତୁ ତାଙ୍କପରି ଉଡ଼ାଇବାକୁ ଆମ ପାଖରେ ଅଛି କ’ଣ ? ଘିସୁ କହିଲା ?

 

ଆମେ କିନ୍ତୁ ଫେରିଯାଇ ଲୋକଙ୍କୁ କହିବା କ’ଣ ? ସେମାନେ ତ ଆମକୁ କଫନ୍ ବିଷୟରେ ନିଶ୍ଚୟ ପଚାରିବେ । ମାଧୋ କହିଲା ।

 

ଘିସୁ ହସି ହସି କହିଲା, ଆରେ ! ଏଇଟା ଗୋଟାଏ ବଡ଼କଥା ନା ? ଆମେ କହିବା, ଅଣ୍ଟାରୁ ଟଙ୍କା କୁଆଡ଼େ ଖସିପଡ଼ିଲା । ବହୁତ ଖୋଜା ଖୋଜି କଲୁ । କିନ୍ତୁ ପାଇଲୁ ନାହିଁ । ହୁଏତ ଆମ କଥା ଲୋକେ ବିଶ୍ୱାସ କରିବେ ନାହିଁ । ତଥାପି ମୋର ଧାରଣା, ସେମାନେ ଆମକୁ ପୁଣି ପଇସା ଦେବେ ।

 

ମାଧୋ ବି’ ଏପ୍ରକାର ଆଶ୍ୱାସନା ଶୁଣି ହସିଲା । ପ୍ରକାଶ କଲା, ବିଚାରୀ ଭାରି ଭଲ ମଣିଷ ଥିଲା । ମରିଯାଇ ମଧ୍ୟ ଆମକୁ ଯଥେଷ୍ଟ ଖୁଆଇଲା ।

 

ସେତେବେଳେ ଅଧେରୁ ଅଧିକ ମଦ ବୋତଲରୁ ଶେଷ ହୋଇ ଯାଇଥିଲା । ଏହାପରେ ଘିସୁ ଦି’ସେର ପୁରି ମଗାଇଲା । ତା’ ସାଙ୍ଗକୁ ଚଟଣି, ଆଚାର ଏବଂ କଲିଜା ମଧ୍ୟ ମଗାଇଲା । ମଦ ଦୋକାନ ସାମନାରେ ଖାଇବା ଦୋକାନ । ମାଧୋ ଦୁଇଟି ପତ୍ରରେ ସେ ସବୁ ଜିନିଷ ପୁଡ଼ାବାନ୍ଧି ନେଇଆସିଲା । ପୁରି ଦେଢ଼ଟି ଟଙ୍କା ଖର୍ଚ୍ଚ ହେଲା । ପାଖରେ ଆଉ ଅଳ୍ପ ପଇସା ମାତ୍ର ବାକି ଥାଏ ।

 

ଜଙ୍ଗଲ ଭିତରେ ମହାବଳ ସିଂହ ଶିକାର ଖାଇବସିଲା ପରି ମାଧୋ ଓ ଘିସୁ ମଦ ଦୋକାନରେ ବସି ପୁରି ଖାଇବାକୁ ଲାଗିଲେ । ସେମାନଙ୍କ ମନରେ ଭବିଷ୍ୟତ ଚିନ୍ତା ନ ଥିଲା କି ବଦନାମ ଭୟ ନ ଥିଲା । ସତେ ଅବା ସେମାନେ ସବୁ ଭୟ ଭାବନାକୁ ଜୟ କରି ସାରିଥାନ୍ତି ।

 

ଘିସୁ ଜଣେ ଦାର୍ଶନିକ ପରି କହିଲା, ଆମର ଆତ୍ମା ଯେତେବେଳେ ସନ୍ତୋଷ ହୋଇଉଠୁଛି, ବୁଧିଆ କ’ଣ ସେ ପୁଣ୍ୟ ଲାଭ କରିବ ନାହିଁ ?

 

ମାଧୋ ଶ୍ରଦ୍ଧାରେ ମୁଣ୍ଡ ହଲାଇ ସେ କଥା ସ୍ୱୀକାର କଲା ଓ କହିଲା, ନିଶ୍ଚୟ ସେ ପୁଣ୍ୟ ଲାଭ କରିବ । ତା’ପରେ ଭଗବାନଙ୍କ ନାମ ଧରି କହିଲା, ଭଗବାନ ! ତୁମେ ସାକ୍ଷାତ୍ ଅନ୍ତର୍ଯ୍ୟାମୀ । ବୁଧିଆକୁ ସ୍ୱର୍ଗକୁ ନେଇଯାଅ । ଆମେ ଅନ୍ତରର ସହିତ ଆଶୀର୍ବାଦ କରୁଛୁ । ଆଜି ଯେଉଁ ଖାଇବାକୁ ମିଳିଲା, ସେଭଳି ଖାଇବା ଆମ ଜୀବନରେ କେବେ ଘଟିନଥିଲା ।

 

ଟିକକ ପରେ ମାଧୋ ମନରେ ଶଙ୍କା ଜାତ ହେଲା ସେ କହିଲା, ବାପା, ଆମକୁ ମଧ୍ୟ ଦିନେ ନାଁ ଦିନେ ସେଠାକୁ ଯିବାକୁ ହବତ !

 

ଘିସୁ କିନ୍ତୁ ମାଧୋ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । ପରଲୋକ ବିଷୟରେ ଚିନ୍ତାକରି ଉପସ୍ଥିତ ଆନନ୍ଦ ଅନୁଭବରେ ବାଧା ଆଣିବା ତା’ର ଇଚ୍ଛା ନ ଥିଲା ।

 

ସେଠାରେ ଯଦି ତା’ ସଙ୍ଗେ ଦେଖାହୁଏ ଏବଂ ସେ ଯଦି ଆମକୁ ପଚାରେ, ‘‘କାହିଁକି ତୁମେ ମୋତେ କଫନ୍ ଦେଲ ନାହିଁ ? ବୋଲି, ଆମେ କ’ଣ କହିବା ? ମାଧୋ ପୁଣି ପ୍ରଶ୍ନ କଲା ।

 

ତୋ’ ମୁଣ୍ଡ କହିବା । ଘିସୁ ବିରକ୍ତ ହୋଇ ଉତ୍ତର ଦେଲା ।

 

କିନ୍ତୁ ସେ ତ ନିଶ୍ଚୟ ପଚାରିବ । ମାଧୋ କହିଲା ।

 

ତାକୁ କଫନ୍ ମିଳିବ ନାହିଁ ବୋଲି ତୁ କିପରି ଜାଣିଲୁ ? ତୁ ମୋତେ ଏତେ ବୋକା ଠଉରାଇଛୁ ନାଁ ? ଜାଣିଲୁ, ଏ ଦୁନିଆରେ ଖାଲି ଘାସକାଟି ଷାଠିଏ ବର୍ଷ କଟାଇଛି ? ଜାଣିରଖ, ତାକୁ କେବଳ କଫନ୍ ନୁହେଁ, ତା’ଠୁ ଅଧିକା କିଛି ବି ମିଳିବ । ଘିସୁ କହିଲା ।

 

ମାଧୋ କିନ୍ତୁ ବିଶ୍ୱାସ କରିପାରିଲା ନାହିଁ । ପ୍ରଶ୍ନକଲା, କିଏ ଆଉ ଦେବ ? ଟଙ୍କାତକ ତ ସବୁ ଉଡ଼ାଇ ଦେଇଛ । ସେ କିନ୍ତୁ ମୋତେ ନିଶ୍ଚୟ ପଚାରିବ । ମୁଁ ପରା ତା’ କପାଳରେ ସିନ୍ଦୂର ନାଇଥିଲି ।

 

ଘିସୁ ରାଗିଯାଇ କହିଲା, ମୁଁ କହୁଛି ତାକୁ କଫନ୍ ନିଶ୍ଚୟ ମିଳିବ । ତୁ ମାନୁନୁ କାହିଁକି ?

 

ତାକୁ କିଏ ଆଉ କଫନ୍ ଦେବ ଯେ ? ମାଧୋ ପଚାରିଲା ।

 

ସେଇମାନେ ଦେବେ, ଯେଉଁମାନେ ଆମକୁ ଟଙ୍କା ଦେଲେ । ଅବଶ୍ୟ ଟଙ୍କା ଆଉ ଆମ ହାତକୁ ଆସିବ ନାହିଁ । ଘିସୁ କହିଲା ।

 

ଅନ୍ଧାର ଯେତିକି ବଢ଼ୁଥିଲା, ଆକାଶରେ ସେତିକି ତାରା ଚମକି ଉଠୁଥିଲେ, ମଦ ଦୋକାନର ସୌନ୍ଦର୍ଯ୍ୟ ବି’ ସେତିକି ବୃଦ୍ଧି ପାଉଥିଲା । କିଏ ଗୀତ ଗାଉଥିଲା ତ ଆଉ କେହି ବଡ଼ ବଡ଼ ବକ୍ତୃତା ଛାଟୁଥିଲା । ପୁଣି କେହି ନିଜ ସାଙ୍ଗର ବେକ ଧରି ଓହଳି ପଡ଼ୁଥିଲା । କିଏ ପୁଣି ନିଜ ସାଙ୍ଗର ଓଠ ପାଖରେ ମଦ ପାତ୍ରଟିକୁ ନେଇ ଲଗାଇ ଦେଉଥିଲା ।

 

ସେଠାକାର ପରିବେଶରେ ମଦ ନିଶାର ମାଦକତା ପୂରି ରହିଥିଲା । କେତେଜଣ ଆଗନ୍ତୁକ ସାମାନ୍ୟ ମଦ ପିଇ ମାତାଲ ହୋଇଯାଇଥିଲେ । ପରିବେଶ ଏମିତି ଥିଲା ଯେ, ମଦ ନିଶା ଅପେକ୍ଷା ଅଧିକ ମାଦକତା ଯୋଗାଇ ଦେଉଥିଲା । ଦୁଃଖମୟ ଜୀବନହିଁ ପ୍ରତ୍ୟେକଙ୍କୁ ଏଠାକୁ ଭିଡ଼ି ଆଣୁଥିଲା ଏବଂ ସେମାନେ ସେଠାରେ ପହଞ୍ଚି କିଛି ସମୟ ସକାଶେ ଜୀବନ ଓ ମୃତ୍ୟୁ କଥା ଭୁଲି ଯାଉଥିଲେ । କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନେ ଜୀଉଁ ନ ଥିଲେ କି ମରୁ ବି ନ ଥିଲେ ।

 

ବାପ ପୁଅ ଦୁହେଁ ଖୁସିରେ ମଦପିଇ ଚାଲିଥାନ୍ତି । ସମସ୍ତେ ପ୍ରାୟ ଏ ଉଭୟଙ୍କୁ ହିଁ ଚାହିଁ ରହିଥାନ୍ତି । ଭାବୁଥାନ୍ତି, ଏ ଦୁହେଁ କେଡ଼େ ଭାଗ୍ୟବାନ୍‌ ! ପୂରା ବୋତଲ ମଦ ମଝିରେ ଥୁଆ ।

 

ସେମାନେ ଦୁହେଁ ପେଟେ ପେଟେ ଖାଇସାରିବା ପରେ ବଳକା ପୁରି ପୁଡ଼ାଟାକୁ ମାଧୋ ଗୋଟିଏ ଭିକାରିକୁ ଦାନ କରିଦେଲା । ଭିକାରିଟି ଠିଆ ହୋଇ ଭୋକିଲା ଚାହାଣିରେ ଏମାନଙ୍କୁ ଚାହିଁ ରହିଥିଲା । ମାଧୋ ଜୀବନରେ ଏଇମାତ୍ର ପ୍ରଥମ କରି ଦାନ କରିବାର ଆନନ୍ଦ, ଗୌରବ, ଉଲ୍ଲାସ ସବୁକିଛି ଅନୁଭବ କରିବାରେ ସକ୍ଷମ ହେଲା ।

 

ଘିସୁ ଭିକାରି ଉଦ୍ଦେଶ୍ୟରେ କହିଲା, ନେ, ଖାଇ ଯା । ଆଉ ଆଶୀର୍ବାଦ କର । ଯାହାପାଇଁ ଏ ଧନ ମିଳିଥିଲା, ସେ ମରିଯାଇଛି । ତଥାପି, ତୋର ଆଶୀର୍ବାଦ ତା’ ପାଖରେ ପହଞ୍ଚିବ-। ତୋର ପ୍ରତିଟି ଲୋମ କୂପରୁ ତା’ପାଇଁ ଆଶୀର୍ବାଦ ଅଜାଡ଼ି ଦେ । ଏ ଧନ ଯେ ଅତ୍ୟନ୍ତ କଷ୍ଟ ଉପାର୍ଜିତ ।

 

ମାଧୋ ଆଉ ଥରେ ଆକାଶ ଆଡ଼କୁ ଚାହୁଁ ଚାହୁଁ କହିଲା, ସେ ସ୍ୱର୍ଗକୁ ଯିବ ଓ ସ୍ୱର୍ଗର ରାଣୀ ହେବ ।

 

ଘିସୁ ଠିଆହେଲା । ତା’ର ମନେହେଲା, ସତେ ଅବା ସେ ଆନନ୍ଦ ଓ ଉଲ୍ଲାସର ଢେଉ ଭାଙ୍ଗୁଛି । କହିଲା, ହଁରେ ବାପ ! ବୁଧିଆ ସ୍ୱର୍ଗକୁ ଯିବ । ସେ କାହାକୁ କଷ୍ଟ ଦେଇନି । କାହାର ତଣ୍ଟି ଚିପିନି । ମରି ମଧ୍ୟ ଆମ ଜୀବନର ଏକ ମହାନ୍‌ ଆଶା ପୂରଣ କରିଛି । ସେ ଯଦି ସ୍ୱର୍ଗକୁ ଯିବ ନାହିଁ ତ ଆଉ ଯିବ କିଏ ? ଏଇ ମୋଟା ମୋଟା ଲୋକମାନେ, ଯେଉଁମାନେ ଗରିବଙ୍କର ଧନ ଲୁଟନ୍ତି ଓ ନିଜ ପାପକୁ ଧୋଇ ଦେବା ଲାଗି ଗଙ୍ଗାସ୍ନାନ କରି ମନ୍ଦିର ଭିତରେ ଜଳ ଚଢ଼ାନ୍ତି ।

 

ସେମାନଙ୍କର ଏଇ ଆନନ୍ଦ ଅତିଶୀଘ୍ର ବଦଳି ଗଲା । ମଦ ନିଶାର ପ୍ରଧାନ ବିଶେଷତ୍ୱ ହେଉଛି ଅସ୍ଥିରତା । ଆନନ୍ଦ ଉଲ୍ଲାସ ପରେ ଦୁଃଖ ଓ ନୈରାଶ୍ୟର ଢେଉ ଦେଖାଦେଲା ।

 

ବାପା ! ବିଚାରୀ ବୁଧିଆ ଜୀବନରେ କେତେ ଦୁଃଖ ଭୋଗ କଲା, ଆଉ କେଡ଼େ ଦୁଃଖରେ ମଲା ସତରେ ! ମାଧୋ କହିଲା । ଆଖି ଦୁଇଟିକୁ ହାତରେ ଜଡ଼ାଇ ଧରି ସେ ଉଚ୍ଚ କଣ୍ଠରେ କାନ୍ଦିବାକୁ ଲାଗିଲା ।

 

ଘିସୁ ବୁଝାଇବାକୁ ଲାଗିଲା, ତୁ ଆଉ କାନ୍ଦି ବସିଛୁ କାହିଁକି ? ମାୟାଜାଲରୁ ସେ ମୁକ୍ତି ପାଇଗଲା । ଏ ଜଞ୍ଜାଳ ଭିତରୁ ସେ ରକ୍ଷାପାଇଛି । ଏଥିପାଇଁ ବରଂ ତୁ ଖୁସିହେବା ଉଚିତ । ସତରେ ସେ ବଡ଼ ଭାଗ୍ୟବତୀ । କେତେ ଶୀଘ୍ର ସେ ଏଇ ମାୟାଜାଲର ଜଞ୍ଜାଳ କାଟି ଚାଲିଯାଇ ପାରିଲା ।

 

ପୁନର୍ବାର ଉଭୟେ ଉଠି ଛିଡ଼ା ହେଲେ ଆଉ ଗୀତ ଗାଇବାକୁ ଲାଗିଲେ ।

 

ମଦ ଦୋକାନରେ ଭିଡ଼ ଲଗାଇଥିବା ମଦୁଆଙ୍କ ଆଖି ଏ ଦୁହିଁଙ୍କ ଉପରେ ଥାଏ । ଏ ଦୁହେଁ କିନ୍ତୁ ମସ୍ତ ମିଞ୍ଜାସରେ ଗାଇ ଚାଲିଥାନ୍ତି । ପୁଣି ସେମାନେ ନାଚିବାକୁ ଆରମ୍ଭ କଲେ ।

 

ସେମାନେ ଖାଲି ନାଚିଲେ, କୁଦିଲେ, ତଳେ ପଡ଼ି ଗଡ଼ିଲେ, ମୁଣ୍ଡ ଟୁଙ୍ଗାରିଲେ, ବିଚିତ୍ର ଭାବ ଭଙ୍ଗି କଲେ, ଅଭିନୟ କଲେ ଏବଂ ସର୍ବଶେଷରେ ମଦ ନିଶାରେ ପାଗଳଙ୍କ ପରି ଟଳମଳ ହୋଇ ତଳେ କଚାଡ଼ି ହୋଇ ପଡ଼ିଲେ ।

Image

 

ବିମାତା

 

ସ୍ତ୍ରୀ ମରିବାର ତିନିମାସ ପରେ ଯଦି ସ୍ୱାମୀ ଆଉଥରେ ବିବାହ କରେ, ତାହାହେଲେ ସ୍ତ୍ରୀର ମୃତଆତ୍ମା ପ୍ରତି ଯେ ଅନ୍ୟାୟ କରାଗଲା, ସେ ଅନ୍ୟାୟ ଅକ୍ଷମଣୀୟ ହୋଇଥାଏ । ମୁଁ ଏତବ୍ଦ୍ୱାରା ପ୍ରକାଶ କରୁନାହିଁ ଯେ, ମୋର ପତ୍ନୀ ମୋ’ ଜୀବନରେ ପ୍ରେରଣାର ଉତ୍ସ ଥିଲା ଏବଂ ମୋର ଛୋଟ ସନ୍ତାନଟି ପାଇଁ ଗୋଟିଏ ମାଆର ଉପସ୍ଥିତି ଏକାନ୍ତ ଆବଶ୍ୟକ ଥିଲା । କାରଣ ମୁଁ ଜାଣେ ମୋର ଏ ବକ୍ତବ୍ୟ ବିଶ୍ୱାସ ଯୋଗ୍ୟ ହେବନାହିଁ । କିନ୍ତୁ ମୋର ବିଶ୍ୱାସ, ମୋର ଏତାଦୃଶ ନିର୍ମମ ଆଚରଣ ଯୋଗୁଁ, ସ୍ୱର୍ଗଲୋକରେ ମୋର ଏ କାର୍ଯ୍ୟର ନିର୍ଦ୍ଦୟ ଆଲୋଚନା ହେବନାହିଁ । ଅସଲ କଥା ହେଲା, ପତ୍ନୀର ମୃତ୍ୟୁ ପରେ ମୁଁ ବିବାହ କଲି । ନବ ବିବାହିତା ବଧୁକୁ ମାତୃତ୍ୱର ଉପଦେଶ ଦେବା ଯଦିଓ ଅନୁଚିତ, ଏହା ଜାଣି ମଧ୍ୟ ପ୍ରଥମ ବାସର ରାତିରେ ହିଁ ସ୍ତ୍ରୀ ଅମ୍ୱାକୁ କହିଲି, ତୁମେ ମୋର ଏହି ମାତୃହରା ସରଳ ଶିଶୁ ସନ୍ତାନର ମା’ ଭାବରେ, ତା’ ହୃଦୟରୁ ମାତୃଶୋକ ଦୂର କରିବ, କେବଳ ସେଇଥିପାଇଁ ତୁମକୁ ବିବାହ କରିଛି ।

 

(ଦୁଇ)

 

ବିବାହର ଦୁଇମାସ କଟିଗଲା ।

 

ମୁଁ ପ୍ରତିଦିନ ପୁଅ ମୁନୁକୁ ସଙ୍ଗରେ ନେଇ ସନ୍ଧ୍ୟା ଭ୍ରମଣ ଉଦ୍ଦେଶ୍ୟରେ ଯାତ୍ରା କରୁଥିଲି । ଭ୍ରମଣ ସାରି ଫେରିବାବେଳେ, କେତେଜଣ ବନ୍ଧୁଙ୍କ ସଙ୍ଗରେ ସାକ୍ଷାତ କରୁଥିଲି । କାହା ସଙ୍ଗରେ ଆଳାପ ଆଲୋଚନା କଲାବେଳେ, ମୁନୁ କୋଇଲି ପରି ଚଞ୍ଚଳ ହୋଇପଡ଼ୁଥିଲା । ସତ କହୁଛି ବନ୍ଧୁ ମିଳନରେ ମନୋରଞ୍ଜନ କରିବା ଇଚ୍ଛା ମୋର ନ ଥିଲା । କେବଳ ପୁଅ ମୁନୁର ଅସାଧାରଣ ବୁଦ୍ଧି ପ୍ରଦର୍ଶନ କରିବା ମୋର ଅସଲ ଉଦ୍ଦେଶ୍ୟ ଥିଲା । ବନ୍ଧୁମାନେ ମୁନୁକୁ ଗେଲ କରି ତା’ର ବିଚକ୍ଷଣ ବୁଦ୍ଧିର ପ୍ରଶଂସା କଲାବେଳେ ମୋର ମନ ଓ ହୃଦୟ ଅତିଶୟ ସନ୍ତୋଷ ଲାଭ କରୁଥିଲା ।

 

ଦିନକର କଥା । ସେଦିନ ମୁଁ ମୁନୁ ସଙ୍ଗରେ ବାବୁ ଜ୍ୱାଳା ସିଂହଙ୍କ ଘରେ ବସିଥିଲି । ସେ ଥିଲେ ମୋର ଜଣେ ଘନିଷ୍ଠ ବନ୍ଧୁ । ତାଙ୍କ ମୋ’ ଭିତରେ କୌଣସି ପ୍ରକାର ମନାନ୍ତର ନ ଥିଲା । ଆମେ କିନ୍ତୁ କେବେହେଲେ ଛୋଟ ଛୋଟ ପ୍ରସଙ୍ଗ କିମ୍ୱା ପାରିବାରିକ ଅଶାନ୍ତି ନେଇ କଥାବାର୍ତ୍ତା କରୁନଥିଲୁ । ଆମେ ଆମର ଏଇ ସାକ୍ଷାତ ଓ ଆଳାପ ଆଲୋଚନା ବେଳେ ନିଜ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରୁଥିଲୁ ଏବଂ ଆମର ଦୁରବସ୍ଥାର କାହାଣୀକୁ ଆଲୋଚନା ଭିତରେ ସ୍ଥାନ ଦେଉ ନଥିଲୁ । ଆମେ ନିଜ ନିଜର ଦୁର୍ବଳତାକୁ ସବୁବେଳେ ଘୋଡ଼ାଇ ରଖୁଥିଲୁ । ତେଣୁ ଆମର ଏକତା ଭିତରେ ଯେ ଭିନ୍ନତା ଥିଲା ଏବଂ ଘନିଷ୍ଠତା ଭିତରେ ଯେ ସ୍ୱାତନ୍ତ୍ର୍ୟ ଥିଲା ଏକଥା ସୁସ୍ପଷ୍ଟ ।

 

ସେ ଦିନ ହଠାତ୍ ବାବୁ ଜ୍ୱାଳା ସିଂହ ମୁନୁ ଉଦ୍ଦେଶ୍ୟରେ ପ୍ରଶ୍ନକଲେ, କିହୋ ମୁନୁବାବୁ ! ତୁମର ମାଆ ତୁମକୁ ଭଲପାଆନ୍ତି ତ ?

 

ଏ ପ୍ରଶ୍ନ ପରେ ମୁନୁ ମୁହଁକୁ ମୁଁ ହସି ହସି ଚାହିଁଲି । ମୁଁ ଜାଣିଥିଲି, ଅମ୍ୱା ମୁନୁକୁ ଖୁବ୍ ସ୍ନେହ କରେ । ତେଣୁ ତା’ର ଉତ୍ତର ସମ୍ପର୍କରେ ମୋର କୌଣସି ସନ୍ଦେହ ନ ଥିଲା । କିନ୍ତୁ ସେ ପ୍ରଶ୍ନର ଉତ୍ତର ଯେତେବେଳେ ମୁନୁ ମୁହଁରେ ନ ଦେଇ ଆଖିରେ ଦେଲା, ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଆଖିରୁ ତା’ର ଲୁହ ଝରିପଡ଼ିଲା । ଲାଜରେ ମୁଁ ସଢ଼ିଗଲି । ମୋ’ ହୃଦୟରେ ଅମ୍ୱାର ଯେଉଁ ସୁନ୍ଦର ଚିତ୍ରକୁ ଆଙ୍କି ରଖିଥିଲି, ତାହା ମୁନୁର ଏଇ ଆଖି ଲୁହରେ ଧୋଇ ହୋଇଗଲା ।

 

ବାବୁ ଜ୍ୱାଳା ସିଂହ ମୋ’ ମୁହଁକୁ ଥରେ ସମ୍ଭ୍ରମ ଆଖିରେ ଚାହିଁଦେଇ ମୁନୁକୁ ପୁନର୍ବାର ପ୍ରଶ୍ନ କଲେ ତୁ ଏମିତି କାହିଁକି କାନ୍ଦୁଛୁ ପୁଅ ? ମୁନୁ ଉତ୍ତର ଦେଲା, ମୁଁ କାନ୍ଦୁନି ଯେ, ଆଖିରେ ମୋର ଧୂଆଁ ଲାଗିଗଲା ।

 

ବିମାତାର ସ୍ନେହ ଶ୍ରଦ୍ଧା ଉପରେ ସନ୍ଦେହ ପ୍ରକାଶ କରିବା ଜ୍ୱାଳା ସିଂହଙ୍କ ପକ୍ଷରେ ସ୍ୱାଭାବିକ ଥିଲା । କିନ୍ତୁ ଏ ଘଟଣା ପରେ ଅମ୍ୱା ପ୍ରତି ମୋର ମଧ୍ୟ ସନ୍ଦେହ ଜାତ ହେଲା ।

 

ଅମ୍ୱାର ସ୍ନେହ ଓ ଶ୍ରଦ୍ଧାକୁ ନେଇ ପ୍ରଶଂସା ଗାନ କରିବାରେ ମୁଁ ଶତ ଜିହ୍ୱ ହୋଇ ଉଠୁଥିଲି । ମୋର ଏବେ ମନେହେଲା, ଅମ୍ୱା ପ୍ରଚୁର ପରିମାଣରେ ବଦଳି ଯାଇଛି । ସେ ସ୍ଥାନ ଛାଡ଼ି ଉଠିଲାବେଳେ ମୋର ଛାତି ଭିତରଟା ଭାରି ଭାରି ଲାଗୁଥିଲା ଏବଂ ଲଜ୍ଜାରେ ମୁଣ୍ଡ ଟେକି ହେଉନଥିଲା ।

 

(ତିନି)

 

ଘରକୁ ଫେରୁ ଫେରୁ ମନେ ମନେ ଭାବୁଥିଲି, କିଭଳି ଅମ୍ବା ପାଖରେ ମୋର ଏ କ୍ରୋଧ ପ୍ରକାଶ କରିପାରିବି ? ମୁହଁ ଘୋଡ଼ାଇ ଶୋଇଗଲେ କେମିତି ହୁଅନ୍ତା ? ଅମ୍ୱା ପଚାରିଲେ କହିବି, ମୁଣ୍ଡ ବଥାଉଛି । ମୋତେ ମୋଟେ ବିରକ୍ତ କରନା । ଖାଇବାକୁ ଡାକିଲେ ସଙ୍ଗେ ସଙ୍ଗେ ଚିଡ଼ିଯିବି । ଅମ୍ୱା ବୁଝିବ, ଏଭଳି କିଛି ଘଟଣା ଘଟିଛି, ଯାହା ମୋ’ ମନକୁ ପାଇନି । ସେ ତା’ପରେ ହୁଏତ ମୋର ପାଦ ଧରିବ । ଠିକ୍ ସେତିକିବେଳେ ମୁଁ ତାକୁ ତିରସ୍କାର କରିବି । ମୁଁ ତାକୁ ଏପରି କହିବି ଯେ ତା’ର କଲିଜା କଟିଯିବ । ଏମିତି ଭାବରେ କନ୍ଦାଇବି ଯେ ଜୀବନସାରା ମନେରଖିଥିବ ।

 

କିନ୍ତୁ ତା’ର ହସିଲା ମୁହଁକୁ ଚାହିଁଲେ, ନିଜ ମନକୁ ଆୟତ୍ତରେ ରଖିପାରିବି କି ନାହିଁ, ସେଇ କଥା ମନେପକାଇ ସନ୍ଦେହରେ ପଡ଼ିଗଲି । ତା’ର ପ୍ରେମପୂର୍ଣ୍ଣ କଟାକ୍ଷ ପାତ, ସୁମି କଥା ଓ ରସପୂର୍ଣ୍ଣ ଠାଣି ମୋର ପଥର ସମାନ କଠିନ ମନଟା ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇପାରେ । ମୋର ଏଇ ମାନସିକ ଦୁର୍ବଳତା କଥା ସ୍ମରଣ କରି ମୋ’ ନିଜ ଉପରେ ବି’ ବିରକ୍ତ ଦେଖାଗଲା । ଭାବିବାକୁ ଲାଗିଲି, ମୋର ହେଇଛି କ’ଣ ? ହେଲେ, ଏତେଶୀଘ୍ର ଏ ମନ ବଦଳିଯାଆନ୍ତା ନାଁ ? ମୋର ଧାରଣା ଥିଲା, ତା’ର ମିଷ୍ଟାଳାପ ଓ ଇଙ୍ଗିତ ଭରା କଟାକ୍ଷ ଇନ୍ଦ୍ରଜାଲ ଭିତରେ ନିଜକୁ ଦମ୍ଭିଲା ଭାବରେ ରଖିପାରିବି । କି ବର୍ତ୍ତମାନ ମନେହେଉଛି, ଅତି ସାଧାରଣ ଧକ୍‌କାଟିଏ ସମ୍ଭାଳିବା ପାଇଁ ବି’ ମୋର ଏତିକିଟିକିଏ ଶକ୍ତି ନାହିଁ ।

 

ଏ ସମସ୍ତ କଥା ବିଚାର କଲାବେଳେ ମୋ’ ହୃଦୟ ଭିତରେ ସାଧାରଣ ଦୃଢ଼ତା ଦେଖା ଦେଉଥିଲେହେଁ, କ୍ରୋଧ ମାତ୍ର ସତେ ଅବା ପ୍ରତି ମୁହୂର୍ତ୍ତରେ କମି କମି ଯାଉଥିଲା । ଶେଷରେ ମୁଁ ନିଜକୁ ନିଜେ ଧିକ୍‌କାର କଲି ଏବଂ କୃତ୍ରିମ ଗାମ୍ଭୀର୍ଯ୍ୟ ରକ୍ଷା ପୂର୍ବକ କ୍ରୋଧ ମନୋଭାବ ପୋଷଣ କଲି । ସ୍ଥିର କଲି ଯେ, ଘରେ ପଶିବା ମାତ୍ରକେ ପ୍ରଳୟ କରିଦେବି ।

 

ପୁଣି ମନେ ମନେ ଭାବିଲି, ଏ ରାଗ ରହିଲେ ହେଲା । ବିଳମ୍ୱ-ପବନ କ୍ରୋଧ-ମେଘକୁ ଉଡ଼ାଇ ନ ନେଲେ ହେଲା ।

 

ଯେମିତି ଘରେ ପାଦ ଦେଇଛି, ଅମ୍ୱା ଦଉଡ଼ିଆସି ମୁନୁକୁ କୋଳକୁ ନେଲା ଓ ସ୍ନେହ ପଖଳା କୋମଳ କଣ୍ଠରେ କହିଲା, ଆଜି ଏତେ ଡେରି କଲୁ ଯେ ! କୁଆଡ଼େ ବୁଲୁଥିଲୁ ଶୁଣେ । ଚାଲ୍‌ ଦେଖିବୁ, ତୋ’ପାଇଁ କେମିତି ସୁନ୍ଦର ଜିଲାପି କରି ରଖିଚି ।

 

ମୋର କୃତ୍ରିମ କ୍ରୋଧ କ୍ଷଣକ ଭିତରେ ମଉଳି ଗଲା । ଭାବିଲି, ଅମ୍ୱା ଉପରେ ରାଗିବା ଅନ୍ୟାୟ ହେବ । ମୁନୁ ସହଜେ ବାଳୁତ ପିଲା । ବୋଧହୁଏ ସେତେବେଳେ ତା’ ମାଆକୁ ମନେପକାଇ କାନ୍ଦି ପକାଇଲା । ଏଥିରେ ଅମ୍ବାର ଦୋଷ କ’ଣ ? ଆମର ମନୋଭାବ ବିଚାର ନିୟନ୍ତ୍ରିତ ନୁହେଁ । କିନ୍ତୁ ଆମର ମନୋଭାବକୁ ପ୍ରକାଶ କରିବା ସକାଶେ କେତେକ ଶବ୍ଦର ଆଶ୍ରୟ ନେଉ । ସମୟ ପଡ଼ିଲେ ଏଇ ଶବ୍ଦମାନ ଆମକୁ ଠକନ୍ତି ଏବଂ ଆମର ଭାବନା ସବୁ ସ୍ୱାଭାବିକ ରୀତିରେ ପ୍ରକାଶ ପାଏ ।

 

ମୁଁ ସେଦିନ ଅମ୍ୱାକୁ ତିରସ୍କାର କରିପାରିଲି ନାହିଁ । କିମ୍ୱା ରାଗରେ ମୁହଁ ଘୋଡ଼ାଇ ଶୋଇପାରିଲି ନାହିଁ । ବରଂ ଓଲଟା ମିଠା କଣ୍ଠରେ କହିଲି, ବୁଝିଲ ଅମ୍ବା, ମୁନୁ ଆଜି ମୋତେ ଖୁବ୍ ଲଜ୍ଜା ଦେଲା । ଜ୍ୱାଳା ସିଂହ ଯେତେବେଳେ ତାକୁ ପଚାରିଲେ, ‘ତୁମର ନୂଆ ମା’ ତୁମକୁ ସ୍ନେହ କରନ୍ତି କି ନାହିଁ’ ବୋଲି, ମୁନୁ କାନ୍ଦିଲା । ତା’ କାନ୍ଦ ଦେଖି ଲାଜରେ ମୁଁ ସଢ଼ିଗଲି । ତୁମେ ତାକୁ କିଛି କହିଛ ବୋଲି, ମୁଁ ଚିନ୍ତା କରିପାରୁ ନାହିଁ । ଅନାଥ ବାଳୁତର ହୃଦୟ ଚିତ୍ରପଟ ଉପରେ ଏପରି ଏକ ସାଧାରଣ ପରଦାଟିଏ ପଡ଼ିଥାଏ, ଯାହା ଏତେ ଟିକେ ପବନ ବାଜିଲେ ବି ଉଡ଼ିଯାଏ ।

 

ମୁଁ ଖୁବ୍ ମିଠା କଣ୍ଠରେ ଏହା ପ୍ରକାଶ କରିଥିଲେ ମଧ୍ୟ ଅମ୍ୱାର ହସ ହସ ମୁହଁ ହଠାତ୍ ମଉଳିଗଲା । ଲୁହ ଛଳ ଛଳ ହୋଇ ସେ କହିଲା, ଆମର ପ୍ରଥମ ବାସର ରାତିଠାରୁ ଏ କଥାକୁ ଯଥାସାଧ୍ୟ ବିଚାର ଆଲୋଚନା କରି ଦେଖିଛି । ମୋର ମନେହୁଏ, ମୁନୁର ମନ ଭିତରୁ ତା’ର ମାତୃଶୋକକୁ ଯେ ମୁଁ ବିବାକ ପୋଛିଦେଇ ପାରିବି, ଏହା ଅସମ୍ଭବ । ମୁଁ ତାକୁ ମୋର ସର୍ବସ୍ୱ ଅର୍ପଣ କରି ଦେଇପାରେ, ତଥାପି ମୋ’ ଉପରେ ଯେ ବିମାତାର ଛାପ ରହିଛି, ତାହା ଲିଭିବ କେମିତି ?

 

(ଚାରି)

 

ଏ ଘଟଣାର ପରିଣାମ ହୁଏତ ବିପରୀତ ହୋଇପାରେ । ଏ ଭୟ ମୋର ଥିଲା ।

 

କିନ୍ତୁ ପରଦିନ ଅମ୍ୱାର ବ୍ୟବହାରରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଲା । ସକାଳୁ ସଞ୍ଜ ପର୍ଯ୍ୟନ୍ତ ସେ କେବଳ ମୁନୁର ସେବାରେ ନିଜକୁ ବୁଡ଼ାଇ ରଖିଲା । ମୁନୁର ସେବାରେ ବ୍ୟସ୍ତ ରହି, ସେ ନିଜର କଥା ବି ଭୁଲିଗଲା । ମୋ’ ବ୍ୟକ୍ତିଗତ ଜୀବନର ସୁଖ ସମ୍ଭୋଗକୁ ମୁନୁ ହାତରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେବା ଭଳି ତ୍ୟାଗ ମୋର ନଥିଲା । ବେଳେ ବେଳେ ଅମ୍ବାର ମୋ’ପ୍ରତି ଏପ୍ରକାର ଅବହେଳା ପ୍ରଦର୍ଶନ ଭଲ ଲାଗୁନଥିଲା । ମୁଁ କିନ୍ତୁ ଭୁଲରେ ସୁଦ୍ଧା ଏକଥା ପ୍ରଘଟ କଲିନାହିଁ ।

 

ଦିନେ ମୁଁ କଚେରିରୁ ସହଳ ଫେରିଆସିଲି । ଦୁଆର ପାଖରେ ପହଞ୍ଚି ଦେଖିଲି, ମୁନୁ ଘର ଭିତରକୁ ମୁହଁ କରି ଛିଡ଼ା ହୋଇଛି । ମୁନୁ ସଙ୍ଗରେ ପିଲାଙ୍କ ପରି ଲୁଚକାଳି ଖେଳିବା ପାଇଁ ଇଚ୍ଛା ହେଲା । ଧୀରେ ଯାଇ ପଛରୁକିନା ମୁନୁର ଆଖି ବନ୍ଦ କରିଦେଲି । କିନ୍ତୁ ଏ କ’ଣ ? ମୁନୁ କାନ୍ଦୁଥିଲା । ଲୁହରେ ତା’ ଗାଲ ଭିଜି ଯାଇଥିଲା । ସଙ୍ଗେ ସଙ୍ଗେ ତା’ ଆଖିରୁ ହାତ ଦି’ଟାକୁ କାଢ଼ି ଆଣିଲି । ମନ ଭିତରେ ଅନେକ ଦୁଃଖ । ମୁନୁକୁ କୋଳକୁ ନେଇ ପଚାରିଲି, କାହିଁକି କାନ୍ଦୁଛୁ ମୁନୁ ? ତୋର କ’ଣ ହେଲା ? ଏହା କହୁ କହୁ ମୋ’ ଆଖି ଦି’ଟା ବି’ ଲୁହରେ ଛଳ ଛଳ ହୋଇ ଆସିଲା ।

 

ନାଁ ତ ମୁଁ କାନ୍ଦୁନି । ମୁନୁ କହିଲା ।

 

ନୂଆ ମା’ ତୋତେ କିଛି କହିନାହିଁ ତ ? ମୁଁ ସନ୍ଦେହ କରି ପଚାରିଲି ।

 

ମୁନୁ ସେ କଥା ଶୁଣି ଆହୁରି କାନ୍ଦି ଉଠିଲା । ଧଇଁସଇଁ ହୋଇ କହିଲା, ନା, ସେ ମୋତେ ଖୁବ୍‌ ଭଲପାଏ ।

 

କିନ୍ତୁ ତା’ କଥାରେ ମୋର ଜମା ବିଶ୍ୱାସ ହେଲା ନାହିଁ । ପଚାରିଲି, ସେ ଯଦି ତୋତେ ଭଲପାଏ, ତୁ କାନ୍ଦୁଛୁ କାହିଁକି ? ସେଦିନ ସରାବ୍‌ ସାହେବଙ୍କ ଘରେ ବି’ କାନ୍ଦିଲୁ । ତୁ ମୋତେ ଲୁଚାଉଛୁ । ତୋର ନୂଆ ମା’ ତୋ ଉପରେ ନିଶ୍ଚୟ ରାଗିଛି ।

 

ମୁନୁ ମୋ’ ଆଡ଼କୁ ଅତି ବିକଳ ଚାହାଣିରେ ଚାହିଁ କହିଲା, ନାଁ, ସେ ମୋ’ ଉପରେ କେବେ ରାଗେ ନାହିଁ । ସେ ମୋତେ ଖୁବ୍ ଭଲପାଏ ବୋଲି, ମୋତେ ସବୁବେଳେ କାନ୍ଦ ମାଡ଼େ । ମୋର ମା’ ମୋତେ ଖୁବ୍ ଭଲପାଉଥିଲା । କିନ୍ତୁ ସେ ମୋତେ ଛାଡ଼ି ଚାଲିଗଲା । ନୂଆ ମା’ ତା’ଠାରୁ ଆହୁରି ଅଧିକ ଭଲପାଏ । କାଳେ ଇଏ ପୁଣି ମୋତେ ଛାଡ଼ି ଚାଲିଯିବ, ସେଥିପାଇଁ ମୋତେ ଖୁବ୍ ଡରମାଡ଼ୁଛି ବାପା !

 

ଏହା କହି ମୁନୁ ପୁଣିଥରେ ଧକେଇ ଧକେଇ କାନ୍ଦିଲା । ତା’ କାନ୍ଦ ସଙ୍ଗରେ ମୁଁ ବି କାନ୍ଦି ପକାଇଲି । ମୁଁ ଭାବି ବିସ୍ମିତ ହେଲି ଯେ, ଅମ୍ୱାର ସ୍ନେହଶୀଳ ବ୍ୟବହାର ମୁନୁର ହୃଦୟରେ ଗଭୀର ରେଖାପାତ କରିଛି ।

 

‘ପବିତ୍ର ଆତ୍ମା ସବୁଦିନ ସଂସାରରେ ରହେ ନାହିଁ, କୌଣସି ବିଶିଷ୍ଟ କବିଙ୍କର ଏହି ମହନୀୟ ବାଣୀ ମୋର ସ୍ମରଣ ହେଲା । ମୋର ମନେହେଲା, ଏଇ ସରଳ ବାଳକ ମୁନୁର ଜିଭରେ କିଏ ଯେମିତି ଭବିଷ୍ୟବାଣୀ ଶୁଣାଇ ଦେଇଛି । ମନେ ମନେ ଭଗବାନଙ୍କୁ ସ୍ମରଣ କରି କହିଲି, ଭଗବାନ, ଏ ଅଘଟଣ ଯେମିତି ନ ଘଟେ !

 

ପୁଣି ପରକ୍ଷଣରେ ତର୍କଦ୍ୱାରା ଏ ଆଶଙ୍କାକୁ ମୁଁ ମୋର ମନୋରାଜ୍ୟରୁ ଦୂରୀଭୂତ କରିଦେଲି । ଭାବିଲି, ମାଆର ମୃତ୍ୟୁ, ପ୍ରେମ ଓ ବିଚ୍ଛେଦ ଭିତରେ ମୁନୁର ମନ ଭିତରେ ଏକ କାଳ୍ପନିକ ମାନସିକ ସମ୍ପର୍କ ସ୍ଥାପନ ହୋଇଛି ମାତ୍ର ! ମୁନୁକୁ କାଖେଇ ନେଇ ଅମ୍ୱା ପାଖକୁ ଗଲି ଏବଂ ହସି ହସି କହିଲି, ଇଏ କାହିଁକି କାନ୍ଦୁଛି ପଚାରିଲି ! ଅମ୍ୱା ଚମକି ପଡ଼ିଲା । ତା’ର ମୁଖର ସରସତା ମଳିନ ପଡ଼ିଗଲା । କହିଲା, ତମେ ପଚାରୁନା ! ଉତ୍ତର ଛଳରେ ମୁଁ ପ୍ରକାଶ କଲି, ତମେ ତାକୁ ଖୁବ୍ ଭଲପାଅ ବୋଲି ସେ କାନ୍ଦୁଛି । ତା’ର ଭୟ, ତା’ର ମାଆଭଳି ତୁମେ ମଧ୍ୟ ତାକୁ ଛାଡ଼ି ଚାଲିଯିବ ।

 

ମଇଳା କିମ୍ୱା ଜମି ଉଠିଥିବା ଧୂଳି ପୋଛି ପକାଇଲେ ଦର୍ପଣ ଯେମିତି ଝଲସି ଉଠେ, ଅମ୍ୱାର ମୁଖମଣ୍ଡଳ ସେମିତି ବିକଶିତ ହୋଇଉଠିଲା । ସେ ମୁନୁକୁ ମୋରି କାଖରୁ ଛଡ଼ାଇ ନେଇ ନିଜେ କୋଳେଇ ଧରିଲା ଓ ମୋର ମନେହେଲା, ଜୀବନରେ ହୁଏତ ପ୍ରଥମଥର ପାଇଁ ସେ ମୁନୁର ମୁହଁକୁ ସ୍ନେହ ଓ ମମତାପୂର୍ଣ୍ଣ ଭାବରେ ଅତି ନିବିଡ଼ ଚୁମ୍ୱନ କଲା ।

 

(ପାଞ୍ଚ)

 

କେବଳ ବିପଦ ନୁହେଁ, ବିପତ୍ତି !

 

ମୁନୁର ଅଶୁଭ କଳ୍ପନା ଯେ ଏତେଶୀଘ୍ର ସତ୍ୟରେ ପରିଣତ ହେବ ସେ କଥା ମୁଁ କେବେହେଲେ ଭାବି ପାରି ନଥିଲି । ମନେହେଲା, ଅମ୍ୱାକୁ ପାଇବା ପରେ, ହଠାତ୍ ହୁଏତ ତା’ର ବାଳୁତ ଚାହାଣିରେ ଅନାଗତ ଭବିଷ୍ୟତକୁ ଦେଖି ନେଇଥିଲା ଏବଂ ତା’ର ବାଳୁତ କର୍ଣ୍ଣ ମୃତ୍ୟୁ ଦୂତର ବିକଟାଳ ଆହ୍ୱାନ ସହିତ ପରିଚିତ ଥିଲା ।

 

ମାସ ଛଅଟା ଯାଇଛି କି ନାହିଁ, ଅମ୍ୱା ରୋଗରେ ପଡ଼ିଲା ଓ ସେ ରୋଗ କ୍ରମେ ଇନ୍‌ଫ୍ଳୁଏଞ୍ଜାରେ ପରିଣତ ହୋଇ ତାକୁ ଆମ ଭିତରୁ ସବୁଦିନ ପାଇଁ ଛଡ଼ାଇ ନେଲା । ଅମ୍ୱାର ଆଗମନିରେ ଶ୍ୟାମଳ ବନାନୀରୂପେ ଶୋଭା ପାଉଥିବା ଗୃହସ୍ଥଳୀ ପୁନର୍ବାର ମରୁଭୂମିରେ ପରିଣତ ହେଲା ଏବଂ ନୂଆରେ ତୋଳା ହୋଇଥିବା ଘରଟି ଭାଙ୍ଗି ଚୂରମାର ହୋଇଗଲା ।

 

ଅମ୍ୱା ନିଜକୁ ମୁନୁ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲା ଏବଂ ଅବଶେଷରେ ପୁତ୍ର ପ୍ରତି ଚରମ ସ୍ନେହର ଆଦର୍ଶରୂପ ଦେଖାଇ ଚାଲିଗଲା ।

 

ଶୀତଋତୁରେ ରାତି ନପାହୁଣୁ ପୁଅ ମୁନୁ ପାଇଁ ରାନ୍ଧିବ ବୋଲି ସେ ବିଛଣା ଛାଡ଼ୁଥିଲା । ତା’ର ଏପ୍ରକାର ସ୍ନେହର ପ୍ରାବଲ୍ୟ ମୁନୁ ଉପରେ ବି ଯଥେଷ୍ଟ ପ୍ରଭାବ ପକାଇଥିଲା । ସେହି କାରଣରୁ ମୁନୁ ବି’ ବଡ଼ ଏକଜିଦିଆ ପାଲଟି ଯାଇଥିଲା । ଅମ୍ୱା ତାକୁ ନିଜ ହାତରେ ନ ଖୁଆଇବା ପର୍ଯ୍ୟନ୍ତ ସେ ଅନ୍ନ ଛୁଉଁ ନ ଥିଲା ଓ ସେହିପରି ଅମ୍ୱା ପଙ୍ଖା ନ କଲା ପର୍ଯ୍ୟନ୍ତ ସେ ଖଟ ଉପରେ ପାଦ ଦେଉନଥିଲା । ମୁନୁ ତାକୁ ବାରମ୍ୱାର ବିରକ୍ତ କରି ହଇରାଣ କରୁଥିଲା । କିନ୍ତୁ ଅମ୍ୱା ଏଥିରୁ ଭଗବତ୍ ଆନନ୍ଦ ପାଉଥିଲା ବୋଲି ମନେହେଲା ।

 

ଅମ୍ୱା ଇନ୍‌ଫ୍ଳୁଏଞ୍ଜାରେ ପଡ଼ି ମଧ୍ୟ ସେ ମୁନୁ ଉଦ୍ଦେଶ୍ୟରେ ବିକଳ ଭାବରେ ପାଟି କରୁଥିଲା । ଦେହରେ ଖଇ ଫୁଟିଲା ବେଳେ ଓ କଡ଼ ଲେଉଟାଇବାକୁ ବଳ ନ ଥିଲା ବେଳେ ମଧ୍ୟ ସେ ବାରମ୍ୱାର ମୁନୁର ସକାଳ ଖାଇବା ବିଷୟରେ ଚିନ୍ତିତା ଥିଲା ।

 

ହାୟ, ମୁନୁ ପାଇଁ ସବୁ ଶୂନ୍ୟ ହୋଇଗଲା । ତା’ର ସେହି ନିଃସ୍ୱାର୍ଥ ବାତ୍ସଲ୍ୟ ମମତା ବର୍ତ୍ତମାନ ସ୍ୱପ୍ନରେ ପରିଣତ ହେଲା । ସେ ସ୍ୱପ୍ନ ସ୍ମରଣ କଲାବେଳେ ଏବେ ମଧ୍ୟ ହୃଦୟ ଆଲୋଡ଼ିତ ହୋଇଉଠୁଛି । ଅମ୍ବା ସଙ୍ଗରେ ମୁନୁର ବାଲ୍ୟ କ୍ରୀଡ଼ା ସମାପ୍ତ ହେଲା ।

 

ବର୍ତ୍ତମାନ ସେହି ଦାରୁଣ ଶୋକ ସନ୍ତାପର ଜୀବନ୍ତ ବିଗ୍ରହ ସଦୃଶ ମୁନୁ ଦଣ୍ଡାୟମାନ । ସେ ଆଉ କାନ୍ଦୁ ନାହିଁ । ନାଁ କେବେହେଲେ କାନ୍ଦୁ ନାହିଁ । ତା’ ଜୀବନର ଏକ ଅମୂଲ୍ୟ ପଦାର୍ଥ ହଜାଇ ଦେବା ପରେ ତା’ ମନରେ ଆଉ କୌଣସି ଭୟ କି ଦୁଃଖ ରହିଲା ନାହିଁ ।

Image

 

ଘର ଜୁଆଇଁ

 

ହରିଧନ ଜେଠ ଉପରଓଳି ଆଖୁ ଖେତରେ ଯାଇ ପାଣି ମଡ଼ାଇଲା । ସେଇଠୁ ଫେରିଆସି, ଘର ଭିତରେ ନ ପଶି ବାହାରେ ବସିରହିଲା । ବସି ବସି ଦେଖିଲା, ରୋଷେଇ ଘରୁ ଧୂଆଁ ଉଠୁଛି । ଘର ଭିତରୁ କିଛି କିଛି ଶବ୍ଦ ବି’ ଶୁଣାଯାଉଛି । ସେ ଫେରିଆସିବା ପରେ ତା’ର ଦୁଇଟିଯାକ ଶାଳକ ଆସିଲେ ଓ ସିଧା ଘର ଭିତରେ ପଶିଗଲେ । ଶାଳକମାନଙ୍କର ପୁଅମାନେ ବି’ ଫେରିଆସି ଘର ଭିତରକୁ ଚାଲିଗଲେ । କିନ୍ତୁ ହରିଧନ ପଶିପାରିଲା ନାହିଁ ।

 

ଗତ ମାସେହେଲା ତାକୁ କେନ୍ଦ୍ରକରି ଘର ଭିତରେ କଳିଗୋଳ ଲାଗିଛି । ବିଶେଷ କରି କାଲି ତାକୁ ଯେଉଁପ୍ରକାର କଥା ଶୁଣିବାକୁ ପଡ଼ିଲା, ତା’ର ଫଳରେ ତା’ର ପାଦ ଦୁଇଟା ସତେଅବା ବାନ୍ଧି ହୋଇପଡ଼ିଛି ।

 

କାଲି, ଆଉ କେହି ନୁହେଁ, ନିଜର ଶାଶୁ ଆସି କହିଲା, ତୁମକୁ ନେଇ ମୋ’ ମନ ଘର ଧରିଲାଣି । ମୁଁ କ’ଣ ଜୀବନସାରା ତୁମକୁ ଚଳାଇବାର ଠିକା ନେଇଛି ? ଖାଲି ସେତିକି ନୁହଁ, ଯାର ହାତ ଧରି ବିଭା ହୋଇଥିଲା, ସେହି ସ୍ତ୍ରୀ ମୁହଁରୁ ନିଷ୍ଠୁର ବାକ୍ୟ ସବୁ, ସମଗ୍ର ହୃଦୟଟାକୁ ଖିନ୍‌ଭିନ୍ କରିଦେଲା । ସେହି ସ୍ତ୍ରୀ, ମା’ର ଗାଳିତକ କେବଳ ବସି ବସି ଶୁଣୁଥିଲା । ଥରେହେଲେ ପକ୍ଷ ନେଇ ତା’ ମା’କୁ କହିଲା ନାହିଁ, ତୁ କାହିଁକି ତାଙ୍କର ଅପମାନ କରୁଛୁ ମାଆ ? ସେ କ’ଣ ନିଜ ଲୋକ ନୁହଁ-? ତା’ର ସେ ଢଙ୍ଗ ଦେଖି ମନେହେଲା, ସତେଅବା ଏଇ ଗାଳିମନ୍ଦ ଶୁଣି ସେ ଆନନ୍ଦଲାଭ କରୁଛି-

 

ଏଭଳି ଅବସ୍ଥାରେ ଘର ଭିତରକୁ ଯିବା କ’ଣ ଭଲ ହବ ? କ’ଣ କାଲି ପରି ଗାଳିମନ୍ଦ ଶୁଣିବାକୁ ଯିବ ? ଜୀବନର ସୁଦୀର୍ଘ ଦଶବର୍ଷ ବିତାଇଦେବା ପରେ ଏଇ ଦଶା ଭୋଗ କରିବାକୁ ପଡ଼ିଲା ।

 

ହରିଧନ ମନକୁ ମନ କହିହେଲା, ମୁଁ କାହାଠୁ ହେଲେ କମ୍ କାମ କରୁଛି ? ଶଳା ଦୁଇଟିଯାକ ସୁଖ ନିଦ ଯାଇଥିବେ, ଅଥଚ ମୋତେ ବଳଦ ଚର୍ଚ୍ଚା କରିବାକୁ ପଡ଼ୁଛି । ସମସ୍ତେ ଆରାମରେ ଚିଲମ ଲଗାଇଲାବେଳେ, ମୁଁ କୁଆଡ଼ିକି ନଜର ନ ଦେଇ ନିଜ କାମ କରିଯାଉଛି । ସନ୍ଧ୍ୟାବେଳେ ଘରର ସମସ୍ତେ ଗାନା ବାଜଣା କରିବାକୁ ଚାଲିଗଲେ, ମୁଁ ପହରେ ରାତି ପର୍ଯ୍ୟନ୍ତ ଗାଈ ମହିଷୀଙ୍କ ଦୁଧ ଦୁହୁଁଛି । ମୋତେ ଶେଷକୁ ପୁଣି ଏଇ ପୁରସ୍କାର ମିଳୁଛି ? କେହିଜଣେ ହେଲେ ମୋର ଖାଇବା କଥା ପଚାରନ୍ତେ ଭଲା । ଓଲଟି ଗାଳି ଖାଇବା ସାର ହେଉଛି ।

 

ଠିକ୍‌ ଏତିକିବେଳେ ହରିଧନର ସ୍ତ୍ରୀ ଘରଭିତରୁ ମାଠିଆ ନେଇ ବାହାରିଲା ଆଉ କହିଲା, ଘରେ ଏତିକି ଟିକିଏ ପାଣିନାହିଁ ଗଲ, କୂଅଁରୁ ମାଠିଏ ପାଣି ନେଇଆସିବ ।

 

ହରିଧନ ମାଠିଆ ନେଇ କୂଅରୁ ମାଠିଏ ପାଣି ନେଇଆସିଲା । ତାକୁ ଖୁବ୍ ଭୋକ ଲାଗୁଥିଲା । ଭାବୁଥିଲା, ଏଇଲେ ହୁଏତ ତା’ର ସ୍ତ୍ରୀ ତାକୁ ଖାଇବାକୁ ଡାକିବ । କିନ୍ତୁ ସ୍ତ୍ରୀ ପାଣି ମାଠିଆ ନେଇ ଘର ଭିତରେ ପଶିଛି ତ ପଶିଛି । ଆଉ ତା’ର ଦେଖା ନାହିଁ । ହରିଧନ କ୍ଳାନ୍ତି ଓ କ୍ଷୁଧାରେ ଜର୍ଜରିତ ହୋଇ ସେଇଠି ଟିକିଏ ଗଡ଼ପଡ଼ ହେବାକୁ ଲାଗିଲା ।

 

ପରେ ପରେ ହରିଧନର ସ୍ତ୍ରୀ ଗୁମାନୀ ଆସି ହରିଧନକୁ ଉଠାଇଲା ।

 

ହରିଧନ ଶୋଇ ଶୋଇ କହିଲା, କ’ଣ ନୀରବରେ ଟିକିଏ ଶୋଇବାକୁ ଦେବନି ? କଥା କ’ଣ କୁହ ? ଆହୁରି ପାଣି ଦରକାର ?

 

ଗୁମାନୀ କଠୋର କଣ୍ଠରେ ଉତ୍ତର ଦେଲା, ମିଛରେ ଗରଗର ହେଉଛ କାହିଁକି ? ମୁଁ ତ ଖାଇବାକୁ ଡାକି ଆସିଥିଲି ।

 

ହରିଧନ ଦେଖିଲା, ତା’ର ଦୁଇଟିଯାକ ଶାଳକ ଓ ବଡ଼ ଶାଳକର ଦୁଇଟିଯାକ ପୁଅ ଖାଇସାରି ଫେରି ଆସିଲେଣି । ଏହା ଦେଖି ତା’ ଦେହରେ ନିଆଁ ଲାଗିଗଲା । ମନକୁ ମନ କହିହେଲା, ଶେଷକୁ ମୋ ଭାଗ୍ୟରେ ଏଇଆ ଘଟିବାକୁ ଥିଲା ? ମୁଁ ଏବେ ସମସ୍ତଙ୍କ ସଙ୍ଗରେ ଏକାଠି ବସି ଖାଇବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ଏମାନେ ହେଲେ ମାଲିକ । ଆଉ ମୁଁ ଏମାନଙ୍କର ଅଇଁଠା ଥାଳି ଚାଟି କୁକୁର ପରି ରହିବା ଲୋକ । ଘରେ କୁକୁରଟିଏ ଥିଲେ, ତାକୁ ଯେମିତି ସମସ୍ତଙ୍କ ଖାଇବା ଶେଷରେ ଅଇଁଠା ରୁଟି କେଇଖଣ୍ଡ ଫିଙ୍ଗି ଦିଆଯାଏ ମୋତେ ସେମିତି କଲେଣି । ଏଇ ସେହି ଘର, ଯେଉଁଠି ଦଶବର୍ଷ ପୂର୍ବେ ବହୁତ ସତ୍କାର ମିଳୁଥିଲା । ଶଳାମାନେ ଚାକର ପରି ଚଳୁଥିଲେ । ଶାଶୁ ମୁହଁ ଫିଟାଉ ନ ଥିଲା । ସ୍ତ୍ରୀ ଦେବତା ପରି ପୂଜା କରୁଥିଲା । ସେତେବେଳେ ପାଖରେ ଟଙ୍କା ପଇସା, ଧନ ସମ୍ପତ୍ତି ଥିଲା । ଏବେ ଟଙ୍କା ପଇସା ସରିଗଲା । ଏକାବେଳକେ ଦରିଦ୍ର । ଟଙ୍କା ପଇସା ସବୁ ଶାଶୁଘର ଲୋକ ଉଜୁଡ଼ି ଦେଲେ ।

 

ଏ ସବୁ ଭାବିଲା ବେଳେ ତା’ ଦେହରେ ନିଆଁ ଲାଗିଗଲା । ଭାବିଲା, ଘର ଭିତରକୁ ଯାଇ ଝଗଡ଼ା କରିବ । କିନ୍ତୁ ସେ କିଛି ନ କରି ବାହାରଟାରେ ପଡ଼ି ରହିଲା । ଶୋଇ ଶୋଇ ସ୍ତ୍ରୀ ଗୁମାନୀକି ଉତ୍ତର ଦେଲା, ମୋତେ ଭୋକ ଲାଗୁନି । ଆଜି ଖାଇବି ନାହିଁ ।

 

ଗୁମାନୀ କହିଲା, ମୁଁ ଡାକୁଛି ଆଉ ଖାଇବ ନାହିଁ । ନ ଖାଅ । ଖାଇଲେ ତୁମ ପେଟ ପୂରିବ ନାଁ ମୋ’ ପେଟ ପୂରିବ ?

 

ହରିଧନର ସମସ୍ତ କ୍ରୋଧ ଅଶ୍ରୁ ପାଲଟି ଗଲା । ଭାବିଲା ଏଇ ସ୍ତ୍ରୀଟା ପାଇଁ ମୋର ସର୍ବସ୍ୱ ସମର୍ପଣ କଲି । ମାନ ଇଜ୍ଜତ ସବୁ ମାଟି ହେଲା । ମୋତେ ବୋକା ବନାଇ ଏବେ ସମସ୍ତେ ତଡ଼ିବାକୁ ବସିଛନ୍ତି । କରିବି କ’ଣ ? କୁଆଡ଼େ ଯିବି ? କ’ଣ ବା କହିବି ।

 

ହରିଧନର ଶାଶୁ ଆସି କହିଲା, ଖାଇବାକୁ ଯାଉନା କାହିଁକି ଯେ ? କାହା ଉପରେ ଏତେ ରାଗ ? ଯାହା ଆମକୁ କୁଢ଼େଇ ପକଉଛ, ଆଉ ଦବନି । ସେତିକି ତ ! ତୁମ ସଙ୍ଗରେ ଝିଅର ବାହାଘର ଦେଇଛୁ । ତା’ ବୋଲି ତ ତୁମକୁ ଚଳାଉଥିବୁ ବୋଲି ଠିକା ନେଇନୁ ।

 

ହରିଧନ ମର୍ମାହତ ହୋଇ କହିଲା, ହଁ ମାଆ ! ସେଇଆ ଭାବି ଚଳୁଥିଲି । ସେଇଠି ମୋର ଭୁଲ୍ ରହିଗଲା ।

 

ଏବେ ମୋ ପାଖରେ ଆଉ କ’ଣ ବାକି ଅଛି ଯେ ମୋତେ ଜୀବନ ସାରା ଚଳାଇବ ? ଯେତେବେଳେ ମୋ’ ପାଖରେ ଧନ ଥିଲା, ସବୁ ଥିଲା । ଏବେ ଦରିଦ୍ର ହୋଇଗଲି । କାହିଁକି ଆଉ ପଚାରିବ ?

 

ଏହା ଶୁଣି ବୁଢ଼ୀ ଶାଶୁ ମୁହଁ ଫୁଲାଇ ଘର ଭିତରକୁ ଚାଲିଗଲା ।

 

(ଦୁଇ)

 

ପୁଅ ଝିଅଙ୍କ ପାଇଁ ବାପ କେଉଁ କ୍ଷେତର ଢେଲା ! ସେ ଏକ ବିଳାସ ବସ୍ତୁ ଯେମିତି ! ଘୋଡ଼ା ପାଇଁ ଚଣା ଓ ବାବୁମାନଙ୍କ ପାଇଁ ମହନଭୋଗ ଯେମିତି, ପିଲାମାନଙ୍କ ପାଇଁ ବାପ ସେମିତି-

 

ମା’ ହେଲା ଭାତ ଡାଲି । ଜୀବନସାରା ମହନଭୋଗ ନ ମିଳିଲେ ବି’ ଚଳିଯିବ । କିନ୍ତୁ ଗୋଟାଏ ଦିନ ଭାତ ଡାଲି ନ ମିଳିଲେ ଅବସ୍ଥା କ’ଣ ହେବ ଯେ ?

 

ବାପ ସଙ୍ଗେ ସଙ୍ଗେ କେବେ କେବେ ସକାଳ ସଞ୍ଜ ଦି’ଓଳି ଦେଖା ହୋଇଯାଏ । ପିଲାଙ୍କ ପାଇଁ ସେ ଏକ ଆନନ୍ଦର କଥା ! କେବେ କେବେ ବାପ, ପୁଅ ଝିଅଙ୍କୁ କୋଳରେ ବସାଇ ଗେଲକରେ ବା ହାତଧରି ବୁଲାଇବାକୁ ନେଇଯାଏ ଏବଂ ଏଇଥିରେ ହିଁ ତା’ର କର୍ତ୍ତବ୍ୟ ଶେଷ ହୁଏ-

 

ବାପା ବିଦେଶ ଚାଲିଗଲେ, ପିଲାଙ୍କର ପରୁଆ ନ ଥାଏ । କିନ୍ତୁ ମା’ ଯେ ପୁଅଝିଅଙ୍କ ପାଇଁ ସର୍ବସ୍ୱ । ତେଣୁ ମା’ର ବିଚ୍ଛେଦ, ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ପୁଅ ଝିଅଙ୍କ ପାଇଁ ଅସହ୍ୟ । ବାପା ଯେ କେହି ଲୋକ ହେଲେ ଚଳିବ । ବାପା ନ ହୋଇ ଆଉ କେହି ଲୋକ ହସାଇ ଖେଳାଇ ପାରିଲେ ହେଲା । କିନ୍ତୁ ମାଆଟି ଷୋହଳ ଅଣା ନିଜର ହେବା ଆବଶ୍ୟକ । ଠିକ୍ ସେହି ରୂପ, ସେହି ରଙ୍ଗ, ସେହି ସ୍ନେହ । ମାଆ ପରି ଗୋଟାକଯାକ । ଆଉ ସେ ସମସ୍ତ ନ ଥିଲେ ପିଲାର ଜୀବନ ସ୍ରୋତ ଶୁଖିଲା ପଡ଼ିଯାଏ ।

 

ହରିଧନର ମାଆ ଦଶବର୍ଷ ହେବ ପରଲୋକ ଗମନ କରିସାରିଥିଲେ । ସେତେବେଳେ ହରିଧନର ବାହାଘର ସରିଲାଣି । ବୟସ ଷୋହଳ ବର୍ଷ । କିନ୍ତୁ ମାଆଙ୍କର ମୃତ୍ୟୁ ପରେ ତା’ର ମନେପଡ଼ିଲା ଯେ, ସେ କେତେ ନିଃସହାୟ ହୋଇପଡ଼ିଛି ! ଘର ଭିତରେ ଆପଣାର ହୋଇ କେହି ନାହିଁ । ସତେଅବା ସେ ଘରେ ତା’ର କୌଣସି ଅଧିକାର ନାହିଁ ।

 

ସେତେବେଳେ ଭଉଣୀମାନଙ୍କର ବାହାଘର ଶେଷ ହୋଇଯାଇଥିଲା । ଭାଇ କେହି ନାହିଁ । ବିଚାରା ଏକା ଏକା ଘର ଭିତରକୁ ପଶିବାକୁ ମଧ୍ୟ ଭୟ ପାଉଥିଲା । ମା’ପାଇଁ କାନ୍ଦୁଥିଲା । ଅଥଚ ମା’ର ପ୍ରେତାତ୍ମା ସଙ୍ଗେ ଭେଟ ହୋଇଯାଇ ପାରେ ଭାବି ଭୟ କରୁଥିଲା । ଯେଉଁ ଘରେ ମାଆର ମରଣ ହୋଇଥିଲା, ସେଇ ଘର ଭିତରକୁ ଭୟରେ ସେ ଚାହିଁ ପାରୁ ନ ଥିଲା ।

 

ଘରେ ବୁଢ଼ୀଟିଏ ଥିଲା । ସେ ହରିଧନକୁ ଖୁବ୍ ସ୍ନେହ କରୁଥିଲା । ମାଆ ମଲାପରେ ହରିଧନକୁ ଖାଇବାପାଇଁ ଦୁଧ ଇତ୍ୟାଦି ପ୍ରଚୁର ମିଳୁଥିଲା । ବୁଢ଼ୀଟି ବାରମ୍ୱାର ପଚାରୁଥିଲା, ପୁଣି ଭୋକ କଲାଣି ? ଖାଇବୁ ?

 

ବାପା ମଧ୍ୟ ହରିଧନକୁ ଅଧିକ ସ୍ନେହ ଦେଖାଉଥିଲା । ସେ କ୍ଷୀର ଖାଇବ ବୋଲି ତାରି ପାଇଁ ଅଲଗାରେ ଗାଈ ଆଣି ବାନ୍ଧିଲା । କେବେ କେବେ ମନଇଚ୍ଛା ଖର୍ଚ୍ଚ କରିବ ବୋଲି ଟଙ୍କା ପଇସା ମଧ୍ୟ ଦେଇଦେଉଥିଲା ।

 

ଏସବୁ ସତ୍ତ୍ୱେ ହରିଧନର ମନରେ ସୁଖ ନାହିଁ ।

 

ମାଆର ମୃତ୍ୟୁରେ ତା’ ଆତ୍ମାରେ ଆଘାତର ଯେଉଁ କ୍ଷତ ହୋଇଥିଲା, ସେ କ୍ଷତ କୌଣସି ବାହ୍ୟିକ ଉପଚାରରେ ଭଲହେବାର ନୁହେଁ । ମାଆର ସ୍ନେହ ଓ ଭଲପାଇବା ତା’ର ବାରମ୍ୱାର ମନେପଡ଼ି ଯାଉଥିଲା । ମାଆର ଗାଳିମନ୍ଦ ଓ କଥାରେ କେତେ ଆନନ୍ଦ ଥିଲା, ଅନ୍ୟର ସ୍ନେହରେ ସେହି ଆନନ୍ଦ କାହିଁ ? ମାଆଠୁ ମାଗି, ବଳାତ୍କାର କରି, କଜିଆ କରି ବା ଅଭିମାନ କରି ଯେଉଁ ଆନନ୍ଦ ମିଳୁଥିଲା, ଅନ୍ୟର ସ୍ନେହ ଭିକ୍ଷାରେ ସେ ସବୁ ମିଳିବା ଅତୀବ କଷ୍ଟକର ।

 

ମାଆ ବଞ୍ଚିଥିଲା ବେଳେ ମାଗି ମାଗି ଖାଇ, ବା କଳିଗୋଳ କରି ଛଡ଼ାଇ ଖାଇ ସେ ଯେଉଁ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥିଲା, ଏବେ ସବୁଠୁ ଭଲ ଜିନିଷ ଜଚାଇ ଖୁଆଇଲେ ମଧ୍ୟ ସେ ସ୍ୱାସ୍ଥ୍ୟ ହେଲା ନାହିଁ । ତାକୁ ସତେଅବା ନ ଖାଇବା ରୋଗ ଧରିଥିଲା । ଯେତେ ଯାହା କଲେ ମଧ୍ୟ ପେଟରେ ଭୋକ ନଥିଲା ।

 

ମାଆ ମରିବାର ବର୍ଷଟା ଯାକ ସେ ଦଶା ଭୋଗିଲା ।

 

ପରେ ପରେ ଦୁନିଆ ବଦଳି ଗଲା ।

 

ହରିଧନର ବାପ ନୂଆ ବାହା ହେଲା । ହରିଧନର ଘରକୁ ତା’ର ନୂଆ ମା’ ଆସିଲା । ଦେଖୁ ଦେଖୁ ସେହି ଛୋଟ ଘର ଉପରେ କଳାମେଘର ଛାଇ ଘୋଟିଗଲା । ସମସ୍ତ ସ୍ୱପ୍ନ ଓ କଳ୍ପନା ଉପରେ ଅନ୍ଧାରର ପରଦା ପଡ଼ିଗଲା ।

 

ହରିଧନ ଏଇ ନୂଆ ମା’ ସଙ୍ଗରେ କଥାବାର୍ତ୍ତା କରିବା ତ ଦୂରର କଥା, ତା’ପାଖକୁ ସୁଦ୍ଧା ଗଲା ନାହିଁ । ଦିନେ ସେ ଘରୁ ପଳାଇଯାଇ ଶଶୁର ଘରେ ପହଞ୍ଚିଲା ।

 

ବାପା ତାକୁ ଅନେକଥର ଡାକିଲା । କିନ୍ତୁ ବାପର ଜୀବିତାବସ୍ଥାରେ ସେ ଘରକୁ ଗଲା ନାହିଁ । ଯେଉଁଦିନ ସେ ଜାଣିଲା ଯେ ବାପର ଅବସ୍ଥା ସଂକଟାପନ୍ନ, ସେହିଦିନ ସେ ବରଂ ଆନନ୍ଦିତ ହୋଇଥିଲା । ସେହି ଆନନ୍ଦ ଈର୍ଷା, କ୍ରୋଧର ସମାହାର ଥିଲା । ବାପର ଏ ଦୁର୍ଦ୍ଦଶାରେ ସେ ମୋଟେହେଲେ ଦୁଃଖ ପ୍ରକାଶ କରିନଥିଲା ।

 

ଶଶୁର ଘରର ନୂଆ ସଂସାରରେ ପାଦଦେବା ପରେ ତାକୁ ପ୍ରଚୁର ଆନନ୍ଦ ମିଳିଲା । ଶାଶୁର ମାତୃପ୍ରତିମ ସ୍ନେହ ଶ୍ରଦ୍ଧା ତା’ର ମାଆ-ରଙ୍କା ମନରେ ମାତୃ ବିଚ୍ଛେଦର କ୍ଷତକୁ ପ୍ରଶମିତ କରିଦେଲା । ସତେଅବା ମରୁଭୂମିରେ ସବୁଜିମାର ଲହରୀ ଖେଳିଗଲା । ଶାଳୀମାନଙ୍କର ପରିହାସ, ଶାଶୁଙ୍କର ସ୍ନେହ, ଶାଳକମାନଙ୍କର କଥା ଚାତୁର୍ଯ୍ୟ ଓ ସର୍ବୋପରି ସ୍ତ୍ରୀର ପ୍ରେମରେ ତାରି ଜୀବନର ସବୁ ଇଚ୍ଛା ଫଳବତୀ ହେଲା ।

 

ହରିଧନ ଉଦ୍ଦେଶ୍ୟରେ ଶାଶୁ କହୁଥିଲା, ପୁଅ, ଏ ଘରକୁ ନିଜ ଘର ବୋଲି ଭାବ । ତୁଯେ ମୋର ନୟନପିତୁଳା । ହରିଧନ ଭାବୁଥିଲା, ଶାଶୁ ତାକୁ ତା’ ନିଜର ପୁଅମାନଙ୍କଠୁ ବଳି ସ୍ନେହ କରେ । ତେଣୁ ବାପ ମରିବା ପରେ ପରେ, ସେ ଘରକୁ ଯାଇ ନିଜ ଅଂଶର ଭୂ ସମ୍ପତ୍ତି ବିକ୍ରି କଲା ଓ ସଙ୍ଗରେ ଟଙ୍କା ଥଳି ନେଇ ପୁନର୍ବାର ଶାଶୁଘରକୁ ଫେରିଆସିଲା, ପରେ ପରେ ଦେଖାଗଲା ଯେ, ତା’ପ୍ରତି ସେ ଘରର ସମସ୍ତଙ୍କର ଆଦର ସତ୍କାର ଦି’ଗୁଣ ହୋଇଯାଇଛି । ସେ ଏହା ଦେଖି ସଙ୍ଗରେ ଆଣିଥିବା ସମସ୍ତ ଟଙ୍କା ପଇସା ଶାଶୁଙ୍କର ପାଦତଳେ ଅର୍ପଣ କରି ନିଜକୁ ସାର୍ଥକ ମନେକଲା ।

 

ସେ ପର୍ଯ୍ୟନ୍ତ ତା’ର ବେଳେ ବେଳେ ଘରକଥା ମନେ ପଡ଼ି ଯାଉଥିଲା । କିନ୍ତୁ ସଙ୍ଗରେ ଟଙ୍କା ପଇସା ଆଣି ଶାଶୁଙ୍କ ପାଦତଳେ ସେତକ ଅର୍ପଣ କରିସାରିବା ପରେ, ଘରର ସବୁକଥା ପାସୋରି ଦେଲା । ତା’ର ମନେହେଲା, ଘରକଥା ସ୍ମରଣ କରିବା ସତେଅବା ତା’ ଜୀବନର ଏକ ଭୀଷଣକାୟ ଘଟଣା ଏବଂ ସେକଥା ଭୁଲିଯିବା ତା’ପକ୍ଷରେ ଏକାନ୍ତ ଉଚିତ ଥିଲା ।

 

ହରିଧନ ଶଶୁରଘରେ ସମସ୍ତଙ୍କଠୁ ଆଗେ ଉଠୁଥିଲା, ସମସ୍ତଙ୍କ ଅପେକ୍ଷା ଅଧିକ କାମ କରୁଥିଲା । ତା’ର କାମରେ ଏପ୍ରକାର ମନଯୋଗ ଓ ପରିଶ୍ରମ ଦେଖି ଲୋକେ ବିସ୍ମୟ ପ୍ରକାଶ କରୁଥିଲେ । କହୁଥିଲେ ହରିଧନର ଶଶୁରଟା କପାଳିଆଟିଏ । ନ ହେଲେ ହରିଧନ ପରି ଜୁଆଁଇ ପାଇଥାନ୍ତା କୁଆଡ଼ୁ ?

 

କିନ୍ତୁ ଦିନକୁଦିନ ତା’ର ମାନ ସମ୍ମାନ ହ୍ରାସ ପାଇବାକୁ ଲାଗିଲା । ପ୍ରଥମେ ହରିଧନ ଶଶୁରଘରେ ଦେବତାର ସମ୍ମାନ ପାଉଥିଲା । ତା’ପରେ ସେଇଘରର ଆଉ ଏକ ଲୋକ ପାଲଟିଗଲା । ସବା ଶେଷକୁ ଘରର ଚାକରଟିଏ ହୋଇଗଲା । ପେଟକୁ ଖାଇବାକୁ ମିଳିଲା ନାହିଁ । ଅପମାନ ଭୋଗିବାକୁ ପଡ଼ିଲା । ଯଦି ଘରେଥିବା ସବୁ ଲୋକ ଭୋକରେ ମରୁଥାନ୍ତେ, ସେ ସେମାନଙ୍କ ସଙ୍ଗରେ ଜଣେ ହୋଇ ମରିବାକୁ ପ୍ରସ୍ତୁତ ଥିଲା । ଏଥିରେ କାହା ବିରୁଦ୍ଧରେ କିଛି ଅଭିଯୋଗ କରିବାର ନାହିଁ । କିନ୍ତୁ ସେ ଯେତେବେଳେ ଦେଖୁଥିଲା ସେ ତା’ ବ୍ୟତୀତ ଅନ୍ୟ ସମସ୍ତେ ବେଶ୍‌ ଆରାମ ଓ ଆନନ୍ଦରେ ଚଳୁଛନ୍ତି ଓ ତାକୁଇ କେବଳ ଭୋକ ଦୁଃଖରେ ଚଳିବାକୁ ପଡ଼ୁଛି, ତା’ ଅନ୍ତସ୍ଥଳ ବିଦାରି ହୋଇଉଠୁଥିଲା । ସେ ଏଥିପାଇଁ ଦୁଃଖରେ ଦୀର୍ଘ ନିଃଶ୍ୱାସ ନିକ୍ଷେପ କରୁଥିଲା ।

 

ଏବେ ହରିଧନର ବୟସ ମାତ୍ର ପଚିଶ ବର୍ଷ । ଜୀବନର ଅବଶିଷ୍ଟାଂଶ କଟିବ କେମିତି-?

 

ଆଉ ଯାହା ହେଲା ହେଲା, ଏବେ ବିବାହିତା ସ୍ତ୍ରୀ ମଧ୍ୟ ଆଡ଼ ଆଖିରେ ଚାହୁଁ ନାହିଁ । ତା’ଉପରେ ଯେଉଁ ବିପତ୍ତି ଆସି ପଡ଼ିଛି, ସ୍ତ୍ରୀର ଏତାଦୃଶ ବ୍ୟବହାର ତା’ର ଏକ ନିଷ୍ଠୁରତମ ଦୃଶ୍ୟ ନୁହେଁ କି ?

 

(ତିନି)

 

ଏପଟେ ହରିଧନ ଭୋକ ଶୋଷରେ ଚିନ୍ତା କରୁ କରୁ ଜଳିପୋଡ଼ି ଯାଉଥିଲେ ମଧ୍ୟ, ତେଣେ ଶାଶୁ ଓ ଶଳାମାନଙ୍କ ଭିତରେ ତାକୁ କେନ୍ଦ୍ର କରି କଥା ପଡ଼ିଥିଲା । ଗୁମାନୀ ସେମାନଙ୍କ ପ୍ରତ୍ୟେକ କଥାକୁ ସମର୍ଥନ କରୁଥିଲା ।

 

ବଡ଼ ଶଳାଟି କହୁଥିଲା, ଆମେ ତାକୁ ଆମ ସଙ୍ଗରେ ଚଳେଇ ନେଇଛୁ । ଏତିକି ସେ ବୁଝୁନି ଯେ ଆମେ ତାକୁ ଜୀବନସାରା ଏମିତି ଚଳାଇବୁ କେମିତି ? ଦେଖୁ ଦେଖୁ ଦଶବର୍ଷ ବିତିଗଲା ଏଇ ଦଶବର୍ଷ ଭିତରେ କ’ଣ ତା’ ପିଛା ଦୁଇ ତିନିହଜାରରୁ ଅଧିକ ଖର୍ଚ୍ଚ ହୋଇଥିବ ?

 

ଛୋଟ ଶଳାଟି କହୁଥିଲା, କୁଲି ମଜୁରୀଆ ହୋଇଥିଲେ ଗାଳି ଦିଆଯାଇ ପାରନ୍ତା, କିମ୍ୱା ଦି’ପଦ କଡ଼ା କରି ଶୁଣାଇ ହୁଅନ୍ତା । କିନ୍ତୁ ୟାକୁ କ’ଣ କିଛି କହିହେଲା ? କେବେ ମରୁ କି ନାହିଁ କେଜାଣି ! ମନେ ମନେ ଭାବୁଥିବ, ମୁଁ କ’ଣ ଦୁଇହଜାର ଟଙ୍କା ଦେଇନାହିଁ ? କିନ୍ତୁ ଦି’ହଜାର ଟଙ୍କା ଖର୍ଚ୍ଚ ହେବାକୁ ବାକି ଅଛି ? ପାଞ୍ଚପା’ ଚାଉଳ ନ ହେଲେ ଜଣକର କ’ଣ ପେଟ ପୂରିବ ?

 

ଶାଶୁ ଗମ୍ଭୀର ହୋଇ କହିଲା, କେତେ ଖାଏ ସେ । ତା’ ମାଆ ମୁଣ୍ଡରୁ ଉକୁଣୀ ବାଛୁଥିଲା, କହିଲା, ଅଳସୁଆ ଲୋକ ଖାଇବା ଛଡ଼ା ଆଉ କି କାମ ଅଛି ଯେ ।

 

ବଡ଼ ଶଳା ଉତ୍ତର ଦେଲା, ଖାଇବାରେ କିଛି କଥା ନାହିଁ । ଯାହାକୁ ଯେତିକି ଭୋକ ସେତିକି ଖାଉ । କିନ୍ତୁ କିଛି ଉପାର୍ଜନ ତ’ ପୁଣି କରିବାକୁ ହେବ ।

 

ଛୋଟ ଶଳା ସଂଯୋଗ କଲା, ମୁଁ ତ ନିଶ୍ଚୟ ଦିନେ ଭଲକରି ଶୁଣାଇଦେବି । କହିବି, ଏବେ ତୁମ ରାସ୍ତା ଦେଖ । ଆମେ ତୁମର ଋଣ ଖାଇନୁ ।

 

ଗୁମାନୀ ଘର ଲୋକଙ୍କର ଏଇଭଳି କେତେକ ଏଣୁତେଣୁ କଥା ଶୁଣି ସ୍ୱାମୀ ଉପରେ ବିରକ୍ତ ଥିଲା । ଭାବୁଥିଲା, ଯଦି ସେ ବାହାରୁ ପାଞ୍ଚପଇସା ରୋଜଗାର କରି ଆଣୁଥାନ୍ତା ତ, ଏ ଘରେ ତା’ର କେତେ ମାନ ସମ୍ମାନ ବଢ଼ନ୍ତା ! ସେ ବି’ ରାଣୀ ପରି ଚଳୁଥାନ୍ତା । କାହିଁକି ଯେ ସେ ବାହାରକୁ ଯାଇ ଦି’ପଇସା ଭିଆଇ ପାରୁନି ।

 

ଗୁମାନୀର ଏପର୍ଯ୍ୟନ୍ତ ପିଲାଳିଆ ମନୋବୃତ୍ତି ଥିଲା । ତା’ର ନିଜର ବୋଲି ଖଣ୍ଡେ ଘରନଥିଲା । ତେଣୁ ତାରି ମାଆ ଘରର ସୁଖ ଦୁଃଖ ତା’ପାଇଁ ପ୍ରଧାନ ଥିଲା । ସେଇଥିପାଇଁ ହରିଧନକୁ ନେଇ ତାରି ମାଆ ଭାଇ ଯେଉଁ ପ୍ରକାରର ବିଚାର ଆଲୋଚନା କରୁଥିଲେ ଓ ଯାହାକୁ ଯେଉଁଭଳି ଆଖିରେ ଦେଖୁଥିଲେ, ସେ ମଧ୍ୟ ତାକୁ ଠିକ୍‌ ସେଇ ଧରଣର ଭାବୁଥିଲା ଓ ଦେଖୁଥିଲା ।

 

ଗୁମାନୀ ଭାବୁଥିଲା, ସତକୁ ସତ ଦୁଇହଜାର ଟଙ୍କା ବା କେତେ ? ତହିଁରେ କ’ଣ ମିଲ୍ କାରଖାନା କିଣିବା ପରି ବହୁତ କିଛି କରିହେବ ? ଦଶବର୍ଷ ଚଳିବାକୁ ଦୁଇହଜାର ଟଙ୍କା କେତେ ? ବର୍ଷକୁ ଦୁଇଶହ ଟଙ୍କା ପଡ଼ୁଛି । କ’ଣ ଦୁଇଜଣ ଲୋକ ବର୍ଷକ ଭିତରେ ଦୁଇଶହ ଟଙ୍କା ଖାଇବେ ନାହିଁ ? ଖାଲି ଖାଇବେ ନାହିଁ ତ, ଲୁଗାପଟା, ଦୁଧ ଘିଅ ଇତ୍ୟାଦି ଯାବତୀୟ ଖର୍ଚ୍ଚ ରହିଛି । ଦଶବର୍ଷ ହୋଇଗଲା, କିଛି ଉପାର୍ଜନ ହେଲା ନାହିଁ । ଘରୁ ଗୋଡ଼ କାଢ଼ିଲେ ସତେଅବା ପ୍ରାଣ ପଳାଇ ଯାଉଛି-। ସେ ବୁଝୁଛି, ଯେମିତି ପ୍ରଥମେ ପ୍ରଥମେ ଆଦର ପାଉଥିଲା, ଜୀବନ ସାରା ସେମିତି ଆଦର ମିଳୁଥିବ । ଏ କଥା ବୁଝୁନାହିଁ ଯେ ଆଗର କଥା ଆଉ ନାହିଁ ।

 

ଗୁମାନୀ ପୁଣି ଭାବୁଥିଲା, ଶାଶୁଘରକୁ ନୂଆ କରି ବୋହୂଟିଏ ଗଲେ କେତେ ଆଦର ପାଏ । ସବାରୀରୁ ସେ ଓହ୍ଲାଇବା ମାତ୍ରେ ବାଜା ବାଜେ । ସାହି ପଡ଼ିଶା ମାଇପିମାନେ ବୋହୂର ମୁହଁ ଦେଖିବାକୁ ଆସି ଟଙ୍କା ଧରାନ୍ତି । ମାସେ ଦି’ମାସ ସବୁଠୁ ଭଲ ଖାଇବାକୁ ମିଳେ । ଭଲ ପିନ୍ଧିବାକୁ ମିଳେ । ପ୍ରଥମେ ପ୍ରଥମେ କିଛି କାମବି କରାଇଦିଅନ୍ତିନି । କିନ୍ତୁ ଦିନ ଛଅଟାକୁ ସେ କଥା ଆଉ ନ ଥାଏ । କେହି ତା’ କଥା ପଚାରନ୍ତିନି । ଘରର ଏକ ପୋଇଲି ହୁଏ ସେ । ତାଙ୍କ ଘରକୁ ବୋହୂ ହୋଇ ଯାଇଥିଲେ ମୋର ବି ତ ସେଇ ଦଶା ହୋଇଥାନ୍ତା । ତେବେ ଏ ନାକ କାନ୍ଦଣା କାହିଁକି ? କହିବ, ମୁଁ ବି ତ ସମସ୍ତଙ୍କ ସଙ୍ଗରେ କାମ କରୁଛି । କିନ୍ତୁ ସେ କାମ କାହିଁକି ପାଏ ? କ’ଣ ସେ ମଜୁରୀଆଙ୍କ ପରି କଡ଼ା କାମ ? ମଜୁରୀଆ ହୋଇଥିଲେ, ଲୋକେ ତା’ଠୁ କାମ ହାସଲ କରିବା ସକାଶେ, ଦି’ପଦ କଡ଼ାକରି ଶୁଣାନ୍ତି । ସମୟ ପଡ଼ିଲେ ଦି’ ଚଟକଣା ବସାନ୍ତି । ଇଚ୍ଛାହେଲେ କାମ କରାନ୍ତି ନ ହେଲେ ମନକୁ ନ ପାଇଲେ ଘଉଡ଼ି ଦିଅନ୍ତି । କଷି କରି କାମ ହାସଲ କରନ୍ତି । ଇଚ୍ଛାହେଲେ କାମକୁ ଯିବ, ଇଚ୍ଛା ନ ହେଲେ ଶୋଇ ରହିବ, ଏହା କେଉଁ କାମିକା ଲୋକଙ୍କୁ ପାଏ-?

 

(ଚାରି)

 

ହରିଧନ ଶୋଇ ଶୋଇ ଭିତରେ ଭିତରେ କୁହୁଳି ଉଠୁଥିଲା । ଠିକ୍ ଏତିକିବେଳେ ଶଳା ଦୁଇଜଣ ବାହାରୁ ଆସିଲେ । ବଡ଼ଶଳା ସାହେବ କହିଲା, ଓଃ ଭାଇ ! ଉଠିପଡ଼ । ଆଉ କେତେବେଳ ଯାଏଁ ଶୋଇବ ?

 

ତୃତୀୟ ପହର ଗଡ଼ି ଗଲାଣି । ତେଣେ ସାରା ଖେତ ପଡ଼ିଛି ।

 

ହରିଧନ ଏହା ଶୁଣି ଧଡ଼ପଡ଼ ହୋଇ ଉଠି ବସିଲା ଆଉ ତୀବ୍ର କଣ୍ଠରେ ପ୍ରଶ୍ନ କଲା, କ’ଣ ତୁମେ ସମସ୍ତେ ମୋତେ ବୋକା ଭାବିଛ ?

 

ଭାଇ ଦୁଇଜଣ ହଡ଼ବଡ଼ାଇ ଗଲେ । ଯେଉଁ ଲୋକ କେବେହେଲେ ପାଟି ଖୋଲିନଥିଲା, ଡାକିଲେ ଗୁଲାମ ପରି ହାତ ଯୋଡ଼ି ପାଖରେ ଛିଡ଼ା ହେଉଥିଲା, ସେହି ଲୋକ ଆଜି ଏକା ନିଃଶ୍ୱାସରେ ଏତେଗୁଡ଼ିଏ ନିଜ ପକ୍ଷ ନେଇ କହିପାରିଲା ? ଏହାହିଁ ଭାଇ ଦୁଇଟିକୁ ବିବ୍ରତ କରିବାରେ ଯଥେଷ୍ଟ ଥିଲା । ସେମାନେ ଜବାବ ଦେଇପାରିଲେ ନାହିଁ ।

 

ହରିଧନ ଦେଖିଲା, ଶଳା ଦି’ଜଣ ବିବାକ ନୀରବ ହୋଇଯାଇଛନ୍ତି । ଇତ୍ୟବସରରେ ସେ ସେମାନଙ୍କୁ ଆଉ ଏକ ଧକ୍‌କା ଦେବାର ଇଚ୍ଛାକୁ ଅବଦମନ କରିପାରିଲା ନାହିଁ । ଠିକ୍ ପୂର୍ବ ପରି କହିଲା, ମୋର ବି ଆଖି ଅଛି । ଅନ୍ଧ ନୁହଁ କି କାଲ ନୁହଁ । ଛାତି ପତାଇ କାମ କରିବି, ତଥାପି କୁକୁର ଭିତରେ ଗଣା ହେବି ! ଏମିତି ଗଧ ମୁଁ ନୁହଁ ।

 

ବଡ଼ ଶଳାଟି ଇତିମଧ୍ୟରେ ଖୁବ୍ ରାଗିଯାଇଥିଲା । କହିଲା, ତୁମକୁ ଏଠାରେ କେହି ବାନ୍ଧି ରଖିନି ।

 

ଏ କଥା ଶୁଣି ହରିଧନ ନିରୁତ୍ତର ହେଲା । ତା’ ମୁହଁରେ କୌଣସି କଥା ପଇଟିଲା ନାହିଁ-

 

ବଡ଼ ଶଳାଟି ପୁଣି ସେହି ପୂର୍ବ କଣ୍ଠରେ କହିଲା, ତୁମେ ଯଦି ଚାହୁଁଥାଅ ଯେ ଆମର ଏଠି ସବୁଦିନ ପାଇଁ ରହିଥିବ ଓ ତୁମର ଆଦର ସତ୍କାର କରୁଥିବୁ, ସେକଥା ହୋଇପାରିବ ନାହିଁ ।

 

ହରିଧନ ଆଖିଦେଖାଇ ପ୍ରଶ୍ନ କଲା, କ’ଣ ମୁଁ ତୁମମାନଙ୍କଠାରୁ କମ୍ କାମ କରୁଛି ?

 

ବଡ଼ ଶଳା କହିଲା, ଏ କଥା କିଏ କହିଲା ?

 

ହରିଧନ ପ୍ରଶ୍ନ କଲା, ଯିଏ ତୁମ ଘରେ ସବୁଠୁ ବେଶୀ କାମ କରିବ, ତାକୁ ଭୋକରେ ମାରିବା କ’ଣ ତୁମ ଘରର ନୀତି ?

 

ବଡ଼ ଶଳା ଉତ୍ତର ଦେଲା, ତୁମେ ନିଜେ ତ ଖାଇବାକୁ ମନା କଲ ! କିଏ ଆସି ତୁମ ମୁହଁରେ ଖାଇବା ଜିନିଷ କ’ଣ ଗିଳାଇ ଦେଇଥାନ୍ତା ?

 

ହରିଧନ ଓଠ ଚାପି କହିଲା, ମୁଁ ନିଜେ ଖାଇବାକୁ ଗଲି ନାହିଁ । ନୁହଁ ? ଏଇଆ କହିଲାବେଳେ ତୁମକୁ କ’ଣ ଲାଜ ମାଡ଼ୁନି ।

 

ମୋ’ ଭଉଣୀ କ’ଣ ତୁମକୁ ଖାଇବାକୁ ଡାକି ଆସି ନ ଥିଲା ? ଶଳା ପ୍ରଶ୍ନ କଲା ।

 

ହରିଧନର ରକ୍ତ ଗରମ ହୋଇଗଲା । ସେ ଦାନ୍ତ ରଗଡ଼ି ରହିଗଲା ।

 

ଛୋଟ ଶଳାଟି କହିଲା, ମାଆ ବି ତ ଖାଇବାକୁ ଡାକି ଆସିଥିଲା । କିନ୍ତୁ ତୁମେ କହିଲ, ଭୋକ ନାହିଁ । ସେ ଆଉ କରନ୍ତା କ’ଣ ?

 

ଇତ୍ୟବସରରେ ଶାଶୁ ଠାକୁରାଣୀ ଘର ଭିତରୁ ବାହାରି ଆସୁଥିଲା । ଏ ସବୁ କଥା ଶୁଣି କହିଲା, କେତେ କହି କହି ହାରିଗଲି । ସେଇ ଗୋଟିଏ କଥା, ଖାଇବି ନାହିଁ ! ଖାଇବାକୁ ନ ଉଠିଲେ ଆଉ କରନ୍ତି କ’ଣ ?

 

ହରିଧନ ତା’ ସ୍ୱରରେ ବିଷ, ରକ୍ତ ଓ ଅଗ୍ନି ମିଶାଇ ପ୍ରଶ୍ନକଲା, ମୁଁ କ’ଣ ତୁମ ପୁଅମାନଙ୍କର ଉଚ୍ଛିଷ୍ଟ ଖାଇବାକୁ ଅଛି ? ମୁଁ କ’ଣ କୁକୁର ହୋଇଛି ଯେ ତୁମେ ସବୁ ଖାଇସାରିବା ପରେ ମୋ ସାମନାକୁ ଶୁଖିଲା ରୁଟି ଖଣ୍ଡେ ଫୋପାଡ଼ି ଦେବ ?

 

ବୁଢ଼ୀ, ଏହାପରେ ରାଗିଯାଇ କହିଲା, ତୁମେ କ’ଣ ମୋ ପିଲାଙ୍କ ସଙ୍ଗରେ ସମାନ ହେବ ?

 

ହରିଧନ ଏହା ଶୁଣି ପରାସ୍ତ ହୋଇଗଲା । ବୁଢ଼ୀ ମାତ୍ର ପଦଟିଏ କଥାରେ ତା’ କାମ ଶେଷ କରିଦେଲା ।

 

ହରିଧନର ବୁଦ୍ଧି ଗୁଡ଼ୁମ୍ ମାରିଗଲା । ଆଖିରୁ ତା’ର ଜଳିଲା ନିଆଁ ଲିଭିଗଲା । ଆହତ ମଣିଷ ପରି ଦୁଲକିନା ଭୂଇଁଉପରେ କଚାଡ଼ି ହୋଇପଡ଼ିଲା । ତା’କାନରେ ପ୍ରତିଧ୍ୱନିତ ହେଉଥିଲା, ବୁଢ଼ୀର ସେହି ହୃଦୟହୀନ କଥା ପଦକ, ‘‘କ’ଣ ତୁମେ ମୋ’ ପୁଅମାନଙ୍କ ସଙ୍ଗେ ସମାନ ?’’

 

(ପାଞ୍ଚ)

 

ଘରର ସମସ୍ତେ ଖାଇସାରିଲେ । କିନ୍ତୁ ହରିଧନ ଉଠିଲା ନାହିଁ । ଶାଶୁ, ଶଶୁର, ଶଳା, ଶାଳୀମାନେ ସମସ୍ତେ ମନାଇଲେ । କିନ୍ତୁ ହରିଧନ ବୁଝିଲା ନାହିଁ । ଦୁଆରମୁହଁରେ ବାଉଁଶ ତାଟଟିଏ ପଡ଼ିଥିଲା । ତାକୁ ବୋହିନେଇ ଅଲଗାରେ ଥିବା ଗୋଟିଏ କୁଅର ଚାନ୍ଦିନୀ ଉପରେ ପକାଇ ହରିଧନ ତା’ରି ଉପରେ ଶୋଇ ରହିଲା ।

 

କ୍ରମେ ରାତି ହେଲା । ଅନନ୍ତ ଆକାଶ ମାର୍ଗରେ ଉଜ୍ଜ୍ୱଳ ତାରକାପନ୍ତି ଛୋଟ ସନ୍ତାନମାନଙ୍କ ପରି କ୍ରୀଡ଼ାରତ ଥିଲେ । କେହି ନାଚୁଥିଲା ତ କେହି ହସୁଥିଲା । ପୁଣି କିଏ ଆଖି ମିଟି ମିଟି କରି ଅନାଉଥିଲା । ରହି ରହି କୌଣସି ଶିଶୁ-ତାରକା ଆକାଶର ବିସ୍ତୃତ କ୍ଷେତ୍ରରେ ଚିଲାମାରି ଛପି ଯାଉଥିଲା ।

 

ସେ ଦୃଶ୍ୟ ଦେଖି ହରିଧନର ପିଲାବେଳ କଥା ମନେପଡ଼ିଗଲା । ସେ ମଧ୍ୟ ଏଇ ତାରାମାନଙ୍କ ପରି ଦିନେ ଖେଳୁଥିଲା । ତା’ର ସମସ୍ତ ବାଲ୍ୟ-ସ୍ମୃତି ଆକାଶର ତାରାମାନଙ୍କ ପରି ପ୍ରଜ୍ୱଳିତ ହୋଇଉଠିଲା । ସେହି ଆପଣାର ଛୋଟ ଘର, ଆମ୍ୱତୋଟା ପଡ଼ିଆ ଇତ୍ୟାଦି ମନେପଡ଼ିଲା, ଯେଉଁଠି ସେ ପିଲାଦିନେ ଚାଲବୁଲ କରୁଥିଲା, ଡୁଡୁ ଖେଳ ଖେଳୁଥିଲା । ପୁଣି ମନେପଡ଼ିଲା, ନିଜର ସ୍ନେହମୟୀ ମାଆର କଥା । ମାତାର ସଦୟ ପ୍ରତିମୂର୍ତ୍ତି ତାରି ସାମନାରେ ଆସି ଛିଡ଼ାହେଲା । ଆଃ, ମାଆର ସେହି ଆଖିଦୁଇଟି । ସେଇଠି କେତେ କରୁଣା, କେତେ ଦୟା ! ତାକୁ ଜଣାପଡ଼ିଲା, ମାଆର ଆଖିରେ ସତେଅବା ଲୁହ ଭରିଯାଇଛି । ସେ ତାକୁ ଆଲିଙ୍ଗନ କରିବାକୁ ହସ୍ତ ପ୍ରସାରଣ ପୂର୍ବକ ଆଗେଇ ଆସୁଛନ୍ତି ।

 

ସେହି ମଧୁର ଚିନ୍ତାରେ ବିଭୋର ରହି ହରିଧନ ନିଜକୁ ବି’ ଭୁଲିଗଲା । ତାକୁ ଜଣାପଡ଼ିଲା, ମାଆ ସତକୁ ସତ ତାକୁ ଛାତିରେ ଜଡ଼ାଇ ନେଇଛନ୍ତି ଓ ତା’ ମଥା ଉପରେ ସ୍ନେହର ସ୍ପର୍ଶ ଦେଉଛନ୍ତି ।

 

ହରିଧନ ଖାଲି କାନ୍ଦିବାକୁ ଲାଗିଲା । ଉଚ୍ଚ ସ୍ୱରରେ ସେ ଖାଲି କାନ୍ଦିଲା । ସେହି ଆତ୍ମବିସ୍ମୃତ ଅବସ୍ଥାରେ ସେ ଖାଲି କହିବାକୁ ଲାଗିଲା, ମାଆ ତୁ ମୋତେ ଏମିତି ଭୁଲିଗଲୁ କେମିତି-? ତୋର ସ୍ନେହଶୀଳ ପୁଅର ଏ କି ଦଶା ହେଲା ଦେଖୁଛୁତ ? ତୋ’ ପୁଅକୁ କେହିହେଲେ ପଚାରୁ ନାହାନ୍ତି । ମୋତେ କ’ଣ ତୋରି ପାଖକୁ ନେବୁନି ?

 

ଠିକ୍‌ ଏତିକିବେଳେ ଗୁମାନୀ ଆସି ଚିତ୍କାରକଲା, କ’ଣ ଶୋଇଗଲ ? ଏମିତି ରାକ୍ଷସୀ ନିଦ ତୁମକୁ କେମିତି ଘୋଟି ଆସେ କେଜାଣି ! ଯାଇ ଖାଇନେଉନା କାହିଁକି ? ତୁମ ପାଇଁ କିଏ କେତେବେଳ ଯାଏଁ ଜଗି ବସିବ ଯେ ?

 

ହରିଧନ ତା’ର କାଳ୍ପନିକ ଜଗତରୁ ସହସା କ୍ରୂର, ବାସ୍ତବ ଜଗତକୁ ଓହ୍ଲାଇ ଆସିଲା । ସେ ଦେଖିଲା, ମାଆ ନାହିଁ । ଅଛି କେବଳ ତାରି ସାମନାରେ କୂଅର ଚାନ୍ଦିନୀ, ଫଟା ଚାଳ, ତାଟି ଆଉ ଗୁମାନୀର ସେହି କ୍ରୂର ପ୍ରଶ୍ନ, ‘‘ତୁମପାଇଁ କିଏ କେତେବେଳ ଯାଏଁ ଜଗି ବସିବ ଯେ ?’’

 

ହରିଧନ ଉଠି ବସିଲା ଆଉ ଉତ୍ତର ଦେଲା, କହିଲି ପରା, ମୋତେ ଭୋକ ନାହିଁ, ଖାଇବି ନାହିଁ ବୋଲି !

 

ଗୁମାନୀ ପ୍ରଶ୍ନକଲା, କେତେଦିନ ଖାଇବ ନାହିଁ ଶୁଣେ ?

 

ହରିଧନ ଉତ୍ତର ଦେଲା, ଆଉ ଏ ଘରେ ପାଣି ପିଇବି ନାହିଁ । ତୁ ମୋ’ ସଙ୍ଗରେ ଯିବୁ କି ନାହିଁ ଶୁଣେ ?

 

ହରିଧନ କଣ୍ଠରେ ଦୃଢ଼ତା ଥିଲା । ଗୁମାନୀ ପ୍ରଶ୍ନ କଲା କେଉଁଠିକି ଯିବ କହିଲ ?

 

ହରିଧନ ମାତାଲଙ୍କ ପରି କହିଲା, ତୁ ତହିଁରୁ କ’ଣ ପାଇବୁ ଯେ ? ମୋ’ ସଙ୍ଗରେ ଯିବୁ ନାଁ ନାହିଁ ? ପୁଣି ପଛରେ କହିବୁ ନାହିଁ, ମୋତେ ପଚାରିଲା ନାହିଁ ବୋଲି ।

 

ଗୁମାନୀ ଆପତ୍ତି କଲାପରି କହିଲା, କେଉଁଠିକୁ ଯିବ, କହୁନ କାହିଁକି ?

 

ତୁ ମୋ’ ସଙ୍ଗରେ ଯିବୁ ନା ନାହିଁ ? ହରିଧନ ଅଡ଼ି ବସିଲା ।

 

ଯେତେବେଳ ପର୍ଯ୍ୟନ୍ତ କୁଆଡ଼େ ଯିବ ନ କହିଛ, ମୁଁ ଯିବି ନାହିଁ । ଗୁମାନୀ ଉତ୍ତର ଦେଲା ।

 

ହରିଧନ କହିଲା, ଜାଣିଲି, ତୁ ମୋ’ ସଙ୍ଗରେ ଯିବୁ ନାହିଁ । ତମେତ ଏଇକଥା ଖାଲି ପଚାରି ନେବାର ଥିଲା ବୋଲି ଅଟକି ଯାଇଥିଲି । ନହେଲେ ଏତେବେଳକୁ କେତେଦୂର ଚାଲିଯାଇ ସାରନ୍ତିଣି ।

 

ଏହା କହିସାରି ହରିଧନ ଧଡ଼ପଡ଼ ହୋଇ ଉଠି ଛିଡ଼ାହେଲା ଓ ନିଜ ଗାଁ, ନିଜଘର ଉଦ୍ଦେଶ୍ୟରେ ଯାତ୍ରା କଲା ।

 

ଗୁମାନୀ ପଛରୁ ରହି ଡାକୁଥିଲା, ଶୁଣିଯାଅ, ଶୁଣିଯାଅ !

 

କିନ୍ତୁ ହରିଧନ ଥରକପାଇଁ ହେଲେ ବି’ ପଛକୁ ଫେରି ଚାହିଁଲା ନାହିଁ ।

 

(ଛଅ)

 

ହରିଧନ ଖୁବ୍ ଜୋରରେ ଚାଲିଥିଲା । ପାଞ୍ଚଘଣ୍ଟା ଭିତରେ ସେ ତିରିଶ ମାଇଲ ରାସ୍ତା ଅତିକ୍ରମ କରିପାରିଥିଲା । ସେ ଯେତେବେଳେ ନିଜ ଗାଁ ମୁଣ୍ଡରେ ଆସି ପ୍ରବେଶ ହେଲା, ସେତେବେଳେ ତା’ ମାଆର କଥା ସ୍ମରଣ ହେଲା । ଗାଁ ମୁଣ୍ଡର ପରିଚିତ ବୃକ୍ଷଲତା ଦେଖି ତା’ର ବିହ୍ୱଳ ହୃଦୟ ନାଚିବାକୁ ଲାଗିଲା । ଗାଁ ମନ୍ଦିରର ସୁନା କଳସୀ ଦେଖି ସେ ଖାଲି ଦୌଡ଼ିବାକୁ ଲାଗିଲା । ମନେହେଲା, ସତେଅବା ଗୋଟିଏ ଲମ୍ଫରେ ସେ ସେହି ସୁନା କଳସୀକୁ ଛୁଇଁଦେବ । ତା’ର ଚାଲିବାର ବେଗ ଦେଖି ମନେହେଲା, ସତେଅବା ମାଆ ତା’ର କୋଳ ଲମ୍ବାଇ ତାକୁ ବସିବାକୁ ଡାକୁଛି ।

 

ହରିଧନ ଯେତେବେଳେ ଗାଁର ପରିଚିତ ଆମ୍ୱତୋଟା ଭିତରେ ପ୍ରବେଶ କଲା ସେତେବେଳେ ତା’ଭିତରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖାଗଲା । ତା’ର ମନେପଡ଼ୁଥିଲା, ଏଇ ଆମ୍ୱଗଛ ଡାଳରେ ବସି ଦିନେ ସେ ହାତୀ ଉପରେ ବସିବା ଆନନ୍ଦ ଆହରଣ କରୁଥିଲା ।

 

ଛୋଟ ଛୋଟ କଞ୍ଚା ଆମ୍ୱ ଭିତରେ ସେ ସ୍ୱର୍ଗୀୟ ସୁଧାର ସ୍ୱାଦ ଲାଭ କରୁଥିଲା । ସେ ସେହି ପରିଚିତ ଆମ୍ୱଗଛ ତଳେ ବସି ତଳକୁ ମୁହଁ ପୋତି ଖାଲି କାନ୍ଦିବାକୁ ଲାଗିଲା । ମନେହେଲା, ସତେଅବା ସେ ତା’ର ମାଆ ସାମନାରେ ବସି ନିଜର ଦୁଃଖ ଦୁର୍ବିପାକ କଥା ଶୁଣାଉ ଶୁଣାଉ କାନ୍ଦୁଅଛି ।

 

ସେଇଠି, ସେଇ ପବନ ଓ କିରଣ ଭିତରେ, ମା’ର ବିରାଟ ଅସ୍ତିତ୍ୱ ପରିବ୍ୟାପ୍ତ ରହିଛି । ସେଇ ମାଟିର ପ୍ରତିଟି ଧୂଳିକଣାରେ ମା’ର ପବିତ୍ର ପଦଚିହ୍ନ ରହିଛି । ମା’ର ସ୍ନେହ-ପଖଳା ଶବ୍ଦ ଏବେସୁଦ୍ଧା ଆକାଶ ମାର୍ଗରେ ପ୍ରତିଧ୍ୱନିତ ହେଉଛି । ସେହି ପବନ ଓ ଆକାଶରେ ସେ କେଉଁ ସଂଜୀବନୀ ସୁଧା ଭରି ରହିଥିଲା କେଜାଣି, ଯାରି ଫଳରେ ତା’ର ଶୋକାର୍ତ୍ତ ହୃଦୟ ସ୍ନେହ ପଲ୍ଲବିତ ହୋଇଉଠିଲା ।

 

ହରିଧନ ହଠାତ୍ ଏକ ଆମ୍ୱଗଛ ଉପରକୁ ଚଢ଼ିଗଲା ଏବଂ ଆମ୍ୱଡାଳରୁ ଗୋଟିଏ ଗୋଟିଏ ଆମ୍ବ ତୋଳି ଖାଇବାକୁ ଲାଗିଲା । ଶାଶୁର ସେହି କର୍କଶ କଥା, ସ୍ତ୍ରୀର ନିଷ୍ଠୁର ଆଘାତ ଇତ୍ୟାଦି ସମସ୍ତ ଅପମାନ ସେ ଭୁଲିଯିବାରେ ସମର୍ଥ ହେଲା । ବାଟ ଚାଲି ଚାଲି ପାଦ ଦି’ଟା ଫୁଲିଯାଇଥିଲା ଓ ତଳିପାଦ ଦି’ଟା ଜଳିଉଠୁଥିଲା । କିନ୍ତୁ ଗାଁରେ ପହଞ୍ଚି ଆନନ୍ଦରେ ସେ ଏତେଦୂର ଅଭିଭୂତ ହୋଇପଡ଼ିଥିଲା ଯେ, ଯାତ୍ରାଜନିତ ସମସ୍ତ କ୍ଳାନ୍ତି ସହସା ଦୂରୀଭୂତ ହୋଇଗଲା ।

 

ଠିକ୍ ଏତିକିବେଳେ ତୋଟା ଜଗୁଆଳ ପାଟିକଲା, ଗଛଉପରେ କିଏରେ ? ଓହ୍ଲା କହୁଛି ନ ହେଲେ ପଥର ମାରି ଥଣ୍ଡା କରିଦେବି ।

 

କେବଳ ସେତିକି ନୁହଁ, ଜଗୁଆଳ ହରିଧନକୁ ଅନେକ ଗାଳି ଗୁଲଜ ମଧ୍ୟ କଲା । କିନ୍ତୁ ସେ ଗାଳି ଶୁଣି ଦୁଃଖିତ ହେବା ପରିବର୍ତ୍ତେ, ହରିଧନ ମନ ଭିତରେ ଅଶେଷ ଆନନ୍ଦଲାଭ କଲା । ସେ ଆମ୍ୱଗଛ ଡାଳରେ ଲୁଚିଗଲା । ଗୋଟିକ ପରେ ଗୋଟିଏ ଆମ୍ୱ ତୋଳି ମୁହଁରେ ପୂରାଇଲା ଓ ଦାନ୍ତ ବସା ଆମ୍ୱରୁ କେତୋଟି ତଳେ ଫିଙ୍ଗିବାକୁ ଲାଗିଲା । ସେଇଠି ବସି ବସି ସେ ଖୁବ୍‌ ଜୋରରେ ହସୁଥିଲା । ଏମିତି ଆନନ୍ଦଭରା ହସ ବହୁଦିନ ହେଲା ସେ ହସି ନଥିଲା ।

 

ଜଗୁଆଳ ପାଇଁ ହରିଧନର ହସ ଖୁବ୍‌ ପରିଚିତ । କିନ୍ତୁ ହରିଧନର ଉପସ୍ଥିତି ପ୍ରତି ସେ ସନ୍ଦେହ ପ୍ରକାଶ କଲା । ସେ ତ ଶଶୁର ଘରେ ଯାଇ ପୋଷିଆ ଜୁଆଁଇ ହୋଇ ରହିଛି । କେତେ ହସୁରା ଥିଲା ସେ ! ଏବେ କେମିତି ଥିବ କେଜାଣି ! ଗଛ ଡାଳରୁ ପୋଖରୀ ପାଣିକୁ ଡେଇଁ ପଡ଼ୁଥିଲା । ଏବେ ହରିଧନ ପରି ଗାଁରେ କିଏ ଅଛି ?

 

ଜଗୁଆଳ ଚଢ଼ାଗଳାରେ ତାଗିଦ୍ କଲା, ସେଇଠି ବସି ବସି ହସିବୁ ତ, ଗଲେ ତୋ’ ହସିବା ଛଡ଼ାଇ ଦେବି । ଭଲ ଗତି ଥିଲେ, ଶୀଘ୍ର ଓହ୍ଲାଇଯା । ସେ ଏମିତି ଗାଳି ଗୁଜବ କରୁଛି ଗୋଟିଏ ଆମ୍ବ ଆସି ତା’ର ମୁଣ୍ଡ ଉପରେ ପଡ଼ିଲା । ଏଥର ସେ ପାଟି କରି କହିଲା, ସୈତାନ୍‌ଟା ମାନୁନାହିଁ । ରହ ମୁଁ ଯାଇ ତୋ’ କଥା ବୁଝିନେଉଛି ।

 

ଜଗୁଆଳ ଚାହୁଁ ଚାହୁଁ ମାଙ୍କଡ଼ଟିଏ ପରି ଚଟାପଟ ଗଛ ଉପରକୁ ଉଠିଯାଇ ଦେଖିଲା, ହରିଧନ ଡାଳ ଉପରେ ବସି ହସୁଛି । ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ ହରିଧନ ଯେ ! ତୁମେ ଏଠାକୁ ଆସିଲ କେବେ ? ଗଛ ଉପରେ କେତେବେଳୁ ଆସି ବସିଛ ?

 

ଉଭୟେ ବାଲ୍ୟ ବନ୍ଧୁ ଥିଲେ । ସେଇତ, ସେହି ଗଛ ଡାଳରେ ସେମାନେ ପରସ୍ପରକୁ ଆଲିଙ୍ଗନ କଲେ । ଏଠିକି କେତେବେଳେ ଆସିଲ ? ଚାଲ, ଘରକୁ ଚାଲ । ଭଲ ଲୋକ ତ ଦେଖୁଛି । କ’ଣ ସେଇଠି ଆମ୍ବ ମିଳୁନଥିଲା ? ଜଗୁଆଳ ବନ୍ଧୁ ପ୍ରଶ୍ନ କଲା ।

 

ହରିଧନ ହସି ହସି ଉତ୍ତର ଦେଲା, ମଙ୍ଗଳୁରେ ଏଠିକାର ଆମ୍ୱ ଯେତେ ମିଠା, ସେ ମିଠା ସେଠିକାର କୌଣସି ଆମ୍ୱରେ ନାହିଁ । ଆଚ୍ଛା, ଗାଁର ଖବର କ’ଣ ?

 

ମଙ୍ଗଳୁକୁ କହିଲା, ସବୁତକ ଶୂନ୍‌ଶାନ୍‌ ଲାଗୁଛି ଭାଇ । ତୁମେ ଗାଁ ଛାଡ଼ି ଚାଲିଗଲ । ତୁମ ପରି କିଏ ଗାଁ ଘର ଛାଡ଼ି ଚାଲିଯାଏ କହିଲ ? ତୁମର ବାବା ମରିବା ପରେ ତୁମ ଘର ଦ୍ୱାର ଉଜୁଡ଼ିଗଲା । ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କ ହାତରେ କ’ଣ ହୋଇପାରିବ କହିଲ ?

 

ହରିଧନ କହିଲା, ସେ ଘର ଓ ପରିବାର ସଙ୍ଗରେ ମୋର ଆଉ କି ସମ୍ପର୍କ ଭାଇ ? ମୁଁ ତ ମୋର ଦେଣନେଣ ତୁଟାଇ ଦେଇଛି । ମଜୁରୀ ମୋତେ ମିଳିବତ ? ନ ହେଲେ ତୋରି ଗାଈ ଚରାଇବି । ମୋତେ ମୁଠାଏ ଖାଇବାକୁ ଦେବୁ ।

 

ମଙ୍ଗଳୁ ଅବିଶ୍ୱାସ ଗଳାରେ କହିଲା, ଆରେ ଭାଇ ! ଏ କ’ଣ କହୁଛୁ ? ତୋରି ପାଇଁ କହିଲେ ଜୀବନ ଦେଇଦେବି । କ’ଣ ଏବେ ଶଶୁର ଘର ଛାଡ଼ିଦେଲୁ ? କିଛି ଚିନ୍ତା ନାହିଁ । ପ୍ରଥମେ ତୋ’ ଘର ପଡ଼ିଛି । ତାକୁ ସମ୍ଭାଳ । ଛୋଟ ଛୋଟ ପିଲାମାନେ ଅଛନ୍ତି । ସେମାନଙ୍କୁ ସମ୍ଭାଳ । ତୁ ତୋର ନୂଆ ମା’କୁ ଖୁବ୍ ଡରୁଥିଲୁ । କିନ୍ତୁ ସେ ଖୁବ୍ ସାଦାସିଧା ମଣିଷ । ଠିକ୍ ତୋ ନିଜ ମାଆ ପରି, ତୋତେ ପାଇଲେ ସେ କୃତାର୍ଥ ହୋଇଯିବ । ଆଚ୍ଛା, ପିଲାମାନେ ତ ଆସୁଛନ୍ତି ?

 

ହରିଧନ ଉତ୍ତର ଦେଲା ତା’ ମୁହଁ ଆଉ ଦେଖିବି ନାହିଁ । ମୋ’ପାଇଁ ସେ ମରିଯାଇଛି ।

 

ମଙ୍ଗଳୁ କହିଲା, ତାହାହେଲେ ଆଉ ଗୋଟିଏ ବିଭା ହେବୁ । ତୋ’ପାଇଁ ଏମିତି ଝିଅଟିଏ ଯୋଗାଡ଼ କରିଦେବି, ଯାହାର ପାଦ ଧୋଇ ପାଣି ପିଇବାକୁ ଇଚ୍ଛା କରିବୁ । କିନ୍ତୁ ତତ୍‌ପୂର୍ବରୁ ଯଦି ତୋର ପରିବାରବର୍ଗ ଆସିଯାଆନ୍ତି ?

 

ହରିଧନ ଉତ୍ତର ଦେଲା, ନାଁ ସେ ଆଉ ଆସିବ ନାହିଁ ।

 

(ସାତ)

 

ହରିଧନ ତାଙ୍କ ଘରେ ପହଞ୍ଚିବା ମାତ୍ରେ ଭାଇ ଦୁଇଟି ‘‘ଭାଇ ଆସିଲେ, ଭାଇ ଆସିଲେ, ଭାଇ ଆସିଲେ’’ କହି ଘର ଭିତରକୁ ଦୌଡ଼ିଗଲେ ଓ ମା’କୁ ଖବର ଦେଲେ ।

 

ସେହି ଘରେ ପାଦ ଦେବାମାତ୍ରକେ ହରିଧନକୁ ଖୁବ୍ ଶାନ୍ତି ଲାଗିଲା । ତା’ର ମନେହେଲା, ସତେଅବା ସେ ମାଆର ଶାନ୍ତିଦାୟକ କୋଳ ଉପରେ ବସିଛି । ଏତେଦିନ ଧରି ସେ ଧକ୍‌କା ଖାଇ ଖାଇ ମନଟାକୁ କୋମଳ କରିସାରିଥିଲା । ଯେଉଁ ହୃହୟରେ ଦିନେ ଅଭିମାନ, ଆଗ୍ରହ ଓ ଗର୍ବ ଥିଲା, ଏବେ ସେହି ହୃଦୟରେ ନୈରାଶ୍ୟ, ପରାଜୟ ଓ ଅଭିଳାଷ ଖୁନ୍ଦି ହୋଇଯାଇଥିଲା । ତା’ ମନ ଓ ଦେହରେ ଥିବା ରୋଗର ବଳ କମି ଯାଇଥିଲା । ସାଦା ଔଷଧ ପାନକରେ ବି’ ତାହା ଛାଡ଼ିଯିବା ଅବସ୍ଥାରେ ଥିଲା । ସତେଅବା ଦୁଆର କବାଟର କିଳିଣୀ ଫିଟି ଯାଇଥିଲା । ଘର ଭିତରେ ପଶିବାକୁ ଯାହା ବାକି । ଯେଉଁ ଘର ଦିନେ ତାକୁ ବିରକ୍ତିଭରା ବୋଲି ମନେହେଉଥଲା, ଆଜି ସେହି ଘର ଆଦରପୂର୍ଣ୍ଣ କୋଳ ଦେଖାଇ ତାକୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ଅଛି । ହରିଧନର ନିଃସହାୟ ମନ ଏହିଭଳି ଏକ ଆନନ୍ଦ ଭରା ଆଶ୍ରୟ ଲାଭ କରି ତୃପ୍ତ ହେଲା ।

 

ସନ୍ଧ୍ୟାବେଳେ ତା’ର ନୂଆ ମା’ କହିଲା, ବାପ ତୁ ଏଥର ଫେରିଆସିଲୁ । ତୋତେ ଦେଖି ମୁଁ ଧନ୍ୟ ହେଲି । ନୂଆ ମା’ ସିନା ତୋର କେହି ନୁହଁ, ଏଇ ଛୋଟ ଛୋଟ ପୁଅମାନେ ତୋରି ବାପର ଚିହ୍ନ । ମୁଁ ଆଉ କିଛି କହିବି ନାହିଁ । ଘର କୋଣରେ ପଡ଼ି ରହିଥିବି । ଗଣ୍ଡେ କ’ଣ ଖାଇବାକୁ ଦେଲେ ଖାଇବି । ତୋର ନିଜ ମାଆ ସମ୍ପର୍କରେ ମୋର ଭଉଣୀ ଥିଲା । ସେହି ଦୃଷ୍ଟିରୁ ତୁ ତ ମୋର ପୁଅ ହେବୁ ।

 

ହରିଧନର ବିହ୍ୱଳ ଆଖିଆଗରେ ବିମାତା ତା’ର ନିଜ ମାଆ ପରି ଦେଖାଗଲା । ଘରର ପ୍ରତିଟି ଅଣୁ ପରମାଣୁରେ ମାଆର ସ୍ମୃତି ସବୁ ଜ୍ୟୋତ୍ସ୍ନାପରି ଜଡ଼ି ରହିଥିଲା । ବିମାତାର ଏ ପ୍ରୌଢ଼ ମୁଖମଣ୍ଡଳରେ ସେହି ସ୍ମୃତି-ଜ୍ୟୋତ୍ସ୍ନାର ରଙ୍ଗ ଲାଗିଥିଲା ।

 

ତା’ ପରଦିନ ହରିଧନ କାନ୍ଧରେ ଜୁଆଳି ପକାଇ କ୍ଷେତକୁ ଗଲା । ତା’ ମୁହଁରେ ଆନନ୍ଦର ଛିଟା ଥିଲା ଓ ଚାହାଣିରେ ଗର୍ବ ଥିଲା । ସେ ଆଜି କାହାରି ଆଶ୍ରିତ ନୁହେଁ, ଆଶ୍ରୟଦାତା-। ସେ ଆଜି ପର ଦୁଆରର ଭିକ୍ଷୁକ ନୁହେଁ ବରଂ ନିଜ ଗୃହର ରକ୍ଷକ ।

 

ଦିନେ ହରିଧନ ଶୁଣିବାକୁ ପାଇଲା, ଗୁମାନୀ ଅନ୍ୟ ବରଘର ଧରିଲାଣି । ମା’କୁ ତା’ର ପଚାରିଲା, ଗୁମାନୀ ଦ୍ୱିତୀୟ ହୋଇଯିବା ଶୁଣିଲୁ ?

 

ନୂଆ ମା’ କହିଲା, ପରଘର କରିବା କ’ଣ ଥଟ୍ଟା ପଡ଼ିଛି ? ବନ୍ଧୁବାନ୍ଧବ କ’ଣ ଅନ୍ଧ ହୋଇଛନ୍ତି ? ପଞ୍ଚାୟତ ନ ଶୁଣିଲା ନାହିଁ, ଅଦାଲତ କ’ଣ ଉଠିଯାଇଛି ?

 

ହରିଧନ କହିଲା, କଚେରି ଦରବାର କ’ଣ ? ଖୁବ୍‌ ଭଲ ହେଲା । ଆଜି ଯାଇ ମହାବୀର ପାଖରେ ଲଡ଼ୁ ଭୋଗ କରି ଆସିବି । ମୋର ତ ଭୟ ଥିଲା, କାଳେ ଆସି ବେକରେ ବାନ୍ଧି ହବ । ଭଗବାନ ମୋର ଗୁହାରି ଶୁଣିଲେ । ମୁଁ ତ ସେଇଠୁ ଠିକ୍‌ କରି ଆସିଥିଲି ଯେ, ଆଉ ଦିନେହେଲେ ତା’ ମୁହଁ ଚାହିଁବି ନାହିଁ ।

Image

 

ପଞ୍ଚାୟତ

 

ଗୋଟିଏ ଗାଁରେ ଦି’ଜଣ ବନ୍ଧୁ ଥିଲେ ।

 

ଜଣଙ୍କ ନାମ ଅଲଗୁ ଚୌଧୁରୀ ଓ ଅନ୍ୟ ଜଣକର ନାମ ଜୁମ୍ମନ୍ ଶେଖ୍ । ସେ ଦୁହେଁ ଖେତବାଡ଼ି ଓ କାରବାରରେ ପରସ୍ପରକୁ ସାହାଯ୍ୟ କରୁଥିଲେ । ଦୁହେଁ ବାଲ୍ୟବନ୍ଧୁ ଥିଲେ ଓ ଗୋଟିଏ ସ୍କୁଲରେ ଏକାଠି ପଢ଼ାଶୁଣା କରୁଥିଲେ ।

 

ଅଲଗୁ ଚୌଧୁରୀ ଧନ ବଳରେ ଓ ଜୁମ୍ମନ୍ ଶେଖ୍ ବିଦ୍ୟାବଳରେ ସମ୍ମାନ ଲାଭ କରିଥିଲେ । ଉଭୟଙ୍କ ବୁଝାମଣାରେ ଅନେକ ସାମଞ୍ଜସ୍ୟ ଥିଲା ।

 

ଶେଖ୍‌ର ଗୋଟିଏ ବୁଢ଼ୀ ମାଉସୀ ଥିଲା । ତା’ର ସନ୍ତାନ ସନ୍ତତି ନ ଥିଲେ । ଶେଖ୍ ତାକୁ କଥାଦେଇଥିଲା ଯେ ଆଜୀବନ ତା’ର ସେବା ଶୁଶ୍ରୂଷା କରିବ । ଏହା ଶୁଣି ବୁଢ଼ୀ ତା’ର ସମସ୍ତ ଜମିବାଡ଼ିର ମାଲିକାନା ଜୁମ୍ମନ୍ ଶେଖ୍ ନାଁରେ ଲେଖିଦେଲା । କିନ୍ତୁ ଶେଖ୍ ତା’ପରେ ବୁଢ଼ୀର କୌଣସି ଚର୍ଚ୍ଚା ବୁଝିଲା ନାହିଁ । ଏପରିକି ବୁଢ଼ୀକୁ ସେ ଖାଇବାକୁ ସୁଦ୍ଧା ଦେଲାନାହିଁ । ବୁଢ଼ୀ ଶେଷରେ ବାଧ୍ୟହୋଇ ପଞ୍ଚାୟତ କଲା ।

 

ଶେଖ୍ କିନ୍ତୁ ବେପରୁଆ ରହିଲା ।

 

ପଞ୍ଚାୟତରେ ଉଭୟପକ୍ଷ ନିଜ ନିଜର ସଫେଇ ଦେଲେ ।

 

ପଞ୍ଚାୟତ ସବୁ ଶୁଣି ରାୟ ଦେଲେ ଯେ, ବୁଢ଼ୀର ସମସ୍ତ ଖର୍ଚ୍ଚ ତୁଲାଇବାକୁ ଜୁମ୍ମନ୍ ଶେଖ୍ ବାଧ୍ୟ । ଯଦି ସେ ଖର୍ଚ୍ଚ ତୁଲାଇବାକୁ ଅସ୍ୱୀକାର କରେ, ତାହାହେଲେ ବୁଢ଼ୀର ରାଜିନାମା(ଦଲିଲ) ରବ୍ଦ ହେଲା ବୋଲି ଧରାଯିବ ।

 

ଏ ବିଚାର ଶୁଣି ଜୁମ୍ମନ୍‌ ଶେଖ୍ ଚୌଧୁରୀ ପ୍ରତି ଅସନ୍ତୁଷ୍ଟ ହେଲା ଏବଂ ତାକୁ ଶତ୍ରୁ ରୂପରେ ଧରିନେଲା । ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ସୁଯୋଗ ଖୋଜି ବୁଲିଲା ।

 

ଦିନେ ପ୍ରତିଶୋଧ ନେବା ଦିନ ଆସି ପହଞ୍ଚିଗଲା ।

 

ଚୌଧୁରୀର ଦୁଇଟି ବଳଦ ଥିଲେ । ପଞ୍ଚାୟତ ରାୟ ଦେବା ଠିକ୍ ମାସକ ପରେ ତହିଁରୁ ଗୋଟିଏ ବଳଦ ମରିଗଲା । ଅଲଗୁ ଭାବିଲା, ଶେଖ୍ ବିଷଦେଇ ତା’ର ବଳଦ ପଟକ ମାରିଦେଇଛି-

 

ଏଇ ଘଟଣାରୁ ସେମାନଙ୍କ ଭିତରେ ମତାନ୍ତର ଓ ମନାନ୍ତର ଆହୁରି ବଢ଼ିଗଲା । ସମସ୍ତେ ଭାବିଲେ, ଅଲଗୁ ଓ ଶେଖ୍ ଭିତରେ ମାଡ଼ଗୋଳ ଲାଗିଯିବ । କିନ୍ତୁ କଥା ସେତେଦୂରକୁ ନ ଯାଇ ଶାନ୍ତପଡ଼ିଗଲା ।

 

ଅଲଗୁ ଚୌଧୁରୀ ତା’ର ଅବଶିଷ୍ଟ ବଳଦ ପଟକ ସମଝୁ ସାହୁ ନାମକ ଜଣେ ବେପାରୀକୁ ବିକ୍ରି କରିଦେଲା । ଠିକ୍ ମାସକ ପରେ ସମଝୁ ସାହୁ ଟଙ୍କା ଦେବ ବୋଲି ସ୍ଥିର ହୋଇଥିଲା । ସମଝୁ ସାହୁ ବଳଦ ନେବା ପରେ ତାକୁ ସାମାନ୍ୟ ଟିକିଏ ବିଶ୍ରାମ ସୁଦ୍ଧା ନ ଦେଇ ଖାଲି ଖଟେଇବାକୁ ଲାଗିଲା । ଅଧିକ ପରିଶ୍ରମ ହେତୁ ଦିନେ ବଳଦଟି ରାସ୍ତାରେ ଯାଉ ଯାଉ ପଡ଼ିଯାଇ ମରିଗଲା । ଠିକ୍ ସେହି ରାତିରେ ସମଝୁ ସାହୁର କେତେକ ଜିନିଷ ଓ ଟଙ୍କା ଚୋରି ଗଲା-। ଏଇ ଘଟଣା ଦେଖି ତା’ ମନରେ ବେଇମାନୀ ଜାଗିଉଠିଲା । ସେ ଅଲଗୁ ଚୌଧୁରୀକୁ ବଳଦର ଦାମ୍ ଦେବାକୁ ମନା କରିଦେଲା ।

 

ଅନ୍ୟ କୌଣସି ଉପାୟ ଖୋଜି ନ ପାଇବାରୁ ଅଲଗୁ ଚୌଧୁରୀ ପଞ୍ଚାୟତ କରିବାକୁ ସ୍ଥିର କଲା ।

 

ଏଇ ସୁଯୋଗ ଦେଖି ସମଝୁ ସାହୁ, ଏକଦା ଚୌଧୁରୀର ମିତ୍ର ହେଲେ ମଧ୍ୟ ବର୍ତ୍ତମାନର ପରମ ଶତ୍ରୁ ଜୁମ୍ମନ୍ ଶେଖ୍‌କୁ ସରପଞ୍ଚ ବାଛିଲା ।

 

ଏ କଥା ଦେଖି ଅଲଗୁ ଚୌଧୁରୀ ସତରେ ଭୟ ପାଇଲା । କିନ୍ତୁ ତା’ର ବିଶ୍ୱାସ ଥିଲା ଯେ, ସତ୍ୟର ଜୟ ସୁନିଶ୍ଚିତ । ତେଣୁ ସେ ସାହୁର ପ୍ରସ୍ତାବରେ ବିରୋଧ କଲା ନାହିଁ ।

 

ଶେଖ୍ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲା । ସେ ସରପଞ୍ଚ ହେବାର ସୁଯୋଗ ଲାଭ କରି ଖୁବ୍‌ ଖୁସି ହେଲା । କିନ୍ତୁ ପଞ୍ଚାୟତ ଭିତରେ ସରପଞ୍ଚ ଭାବରେ ବସିବା ପରେ ସେ ଦାୟିତ୍ୱ-ସଚେତନ ହୋଇପଡ଼ିଲା । ପ୍ରତିଶୋଧ ନେବାର ପ୍ରବୃତ୍ତି ରହିଲା ନାହିଁ ।

 

ପଞ୍ଚାୟତ ଆରମ୍ଭ ହେଲା ।

 

ଉଭୟ ପକ୍ଷ ଆପଣା ଆପଣାର ଆପତ୍ତି ଜଣାଇଲେ । ଏଇ ଘଟଣାରେ ପଞ୍ଚାୟତର ସମସ୍ତ ସଭ୍ୟ ଏକମତ ହେଲେ ଯେ, ଅଲଗୁ ଚୌଧୁରୀ ତା’ର ବଳଦର ଦାମ୍ ଅବଶ୍ୟ ପାଇବ ।

 

ଜୁମ୍ମନ୍ ଶେଖ୍ ବି ନିଷ୍ପତ୍ତି ଦେଲା ଯେ, ସମଝୁ ସାହୁ ବଳଦର ପୂରା ଦାମ୍ ଅଲଗୁ ହାତରେ ଦେବ । କାରଣ ବଳଦର ମୃତ୍ୟୁ କୌଣସି ରୋଗଦ୍ୱାରା ହୋଇନାହିଁ । ଖାଇବା ପିଇବାରେ ଊଣା କରି ସାହୁ ତାକୁ ଅନେକ ଖଟାଇଥିବାରୁ ବଳଦର ମୃତ୍ୟୁ ହୋଇଯାଇଛି । କୌଣସି ସଦସ୍ୟ ସମଝୁ ସାହୁ ପଶୁ ଜାତି ପ୍ରତି ଅନ୍ୟାୟ ଆଚରଣ କରିଥିବାରୁ ତାକୁ ଦଣ୍ଡ ଦେବାକୁ ଚାହୁଁଥିଲେ । କିନ୍ତୁ ସେ କଥା ଚାପା ପଡ଼ିଗଲା ।

 

ଅଲଗୁ ଚୌଧୁରୀ ସେ ମୀମାଂସା ଶୁଣି ଖୁବ୍‌ ଖୁସିହେଲା । ସେ ପଞ୍ଚ ପରମେଶ୍ୱରର ଜୟ ଜୟକାର କରିବାକୁ ଲାଗିଲା । ଗ୍ରାମବାଲା ମଧ୍ୟ ତା’ସଙ୍ଗରେ ସହଯୋଗ କଲେ । ସମସ୍ତେ ମୁକ୍ତ କଣ୍ଠରେ ଜୁମ୍ମନ୍ ଶେଖ୍‌ର ପ୍ରଶଂସା କଲେ । ସମସ୍ତେ ବୁଝିଲେ ପଞ୍ଚାୟତ ପରମେଶ୍ୱରଙ୍କ ସାକ୍ଷାତ୍ ପ୍ରତିନିଧି ।

 

ସେହି ନ୍ୟାୟ ପଞ୍ଚାୟତ ପରେ ଯେଉଁ ଦୁଇଟି ବିଚ୍ଛେଦ ହୃଦୟ ପୁନର୍ମିଳିତ ହେଲା, ସେ ଦୁଇଟି ହୃଦୟ ଦୁଇଟି ଅନ୍ତରଙ୍ଗ ବନ୍ଧୁର । ସେମାନେ ହେଲେ ଅଲଗୁ ଚୌଧୁରୀ ଓ ଜମ୍ମୁନ୍ ଶେଖ୍ ।

Image

 

ଦଣ୍ଡ ବିଧାନ

 

ସର୍ଦ୍ଦାର ଶିବ ସିଂହ ଶାହାଜାହାଁପୁର ଜିଲାର ଇଞ୍ଜିନିୟର ଥିଲେ । ସେ ଭାରି ନ୍ୟାୟୀ, ଦୟାଳୁ ଏବଂ ସମ୍ମାନିତ ବ୍ୟକ୍ତି ଥିଲେ । ସେ ଲାଞ୍ଚ ନେଉନଥିଲେ କି ଉପରିସ୍ଥ ଅଫିସରଙ୍କୁ ଲାଞ୍ଚ ଖୁଆଇ ଦେଉନଥିଲେ । ତେଣୁ ଠିକାଦାର ଓ ଊର୍ଦ୍ଧ୍ୱତନ ଅଫିସର ଗୋଷ୍ଠୀ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

 

ତାଙ୍କ ସରଳତାର ସୁଯୋଗ ନେଇ ଘରର ଚାକର ବାକର ମଧ୍ୟ ତାଙ୍କର ଦାୟିତ୍ୱ ଠିକ୍ ଭାବରେ ତୁଲାଇଲେ ନାହିଁ ।

 

ଦିନକର କଥା—

 

ଇଞ୍ଜିନିୟର କୌଣସି ଏକ ପୋଲ ପ୍ରସ୍ତୁତି କାମ ପରିଦର୍ଶନ କରିବାକୁ ନିଶ୍ଚୟ କଲେ । ସକାଳୁ ଉଠି ଘୋଡ଼ାରେ ଯିବାର ସ୍ଥିର ହେଲା । ସେ ସକାଳୁ ଉଠି ଗସ୍ତପାଇଁ ପ୍ରସ୍ତୁତ ହୋଇସାରି ଛିଡ଼ା ହୋଇଛନ୍ତି, ଅଥଚ ସହୀଶର ଦେଖାନାହିଁ । ସେ ହୁଏତ ଆରାମରେ ଶୋଇଯାଇଥିଲା । ଚପରାସିର ବି ଦେଖାମିଳିଲା ନାହିଁ । ଯେଉଁ ଲୋକ ଡାକି ଆଣିବାକୁ ଯାଇଥିଲା ସେ ତା’ ବାଟରେ କୌଣସି ଦେବ ମନ୍ଦିରର ପ୍ରସାଦ ଲାଭ ଆଶାରେ ଅପେକ୍ଷା କରି ରହିଯାଇଥିଲା ।

 

ଇଞ୍ଜିନିୟର ଏ ସବୁ ଘଟଣା ଦେଖି ବ୍ୟସ୍ତ ହୋଇଉଠିଲେ । କିନ୍ତୁ କରିବେ କ’ଣ ? ପତ୍ନୀଙ୍କୁ କହିବାରୁ ସେ ଉତ୍ତର ପାଇଲେ, ଚାକର ବାକରଙ୍କୁ ମୁଣ୍ଡରେ ମୁଣ୍ଡାଇଲେ ତ ଏଇ ଦଶା ଭୋଗ କରିବାକୁ ପଡ଼େ ।

 

ଜିଲାର ଠିକାଦାରମାନେ ଇଞ୍ଜିନିୟରଙ୍କ ସଙ୍ଗେ ସହଯୋଗ କରୁନଥିଲେ । ଜିଲାର ସବୁ କାମ ପଡ଼ିରହିଲା । ବର୍ଷ ଶେଷରେ ମାର୍ଚ୍ଚ ମାସ ଆଗେଇ ଆସୁଥିଲା । ମୁଖ୍ୟ ଇଞ୍ଜିନିୟର ଜିଲାର କାମଦାମ ସବୁ ପରିଦର୍ଶନ କରିବାକୁ ଆସିବାର ଥିଲା । କିନ୍ତୁ ସେ ପର୍ଯ୍ୟନ୍ତ କାମଦାମ ସବୁ ଅସମ୍ପୂର୍ଣ୍ଣ ରହିଥିଲା । ରାସ୍ତା, ସଡ଼କ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲା । ମରାମତି ପାଇଁ ମାଟି କିମ୍ୱା ପଥର ବି’ ଜମା ହୋଇପାରିଲା ନାହିଁ ।

 

ଦିନେ ଇଞ୍ଜିନିୟର ବ୍ୟସ୍ତହୋଇ ସମସ୍ତ ଠିକାଦାରଙ୍କୁ ଡକାଇଲେ । ଅନେକ ଆଲୋଚନା ପଡ଼ିଲା । ଘଟଣାକ୍ରମେ ଇଞ୍ଜିନିୟର ପ୍ରକାଶ କଲେ, କ’ଣ ତୁମେ ଚାହଁ ଯେ ମୁଁ ଏଠାରୁ ବଦନାମ ପାଇ ଫେରିଯାଏ ? ମୁଁ କେବେହେଲେ ତୁମ ସଙ୍ଗରେ ଖରାପ ବ୍ୟବହାର କରିନାହିଁ । କେବେ କାହାରି କ୍ଷତି କରିନାହିଁ । ସେଇଥିପାଇଁ କ’ଣ ତୁମେ ସବୁ ଅସହଯୋଗ ପୁରସ୍କାର ଦେଉଛ-?

 

କିନ୍ତୁ ସେ ବୈଠକ ଓ ଇଞ୍ଜିନିୟରଙ୍କ ସ୍ପଷ୍ଟବାଦିତାର କୌଣସି ସୁଫଳ ଲାଭ ହେଲାନାହିଁ-। ଠିକାଦାରମାନେ ତାଙ୍କର ଆଲୋଚନା ଶୁଣିସାରିବା ପରେ ପରେ ହିଁ ସବୁକଥା ଭୁଲିଗଲେ । ସେମାନେ ଚାହୁଁଥିଲେ, ଯେକୌଣସି ମତେ ସେ ଇଞ୍ଜିନିୟର ଜଣକ ଚାଲିଯାଆନ୍ତୁ ।

 

ଏଣେ ଇଞ୍ଜିନିୟରଙ୍କ ଘରେ ମଧ୍ୟ ଅଭାବ ଅସୁବିଧା ପୂରିରହିଥିଲା । ଝିଅ ବିବାହଯୋଗ୍ୟ ହୋଇସାରିଥିଲା । ଗୋଟିଏ ସ୍ଥାନରେ ବରପାତ୍ର ବି’ ଯୋଗାଡ଼ ସରିଥିଲା । କିନ୍ତୁ ବରପିତା ଏତେଗୁଡ଼ିଏ ଟଙ୍କା ଦାବି କଲେ ଯେ, ସେକଥା ଶୁଣି ଇଞ୍ଜିନିୟରଙ୍କ ମୁଣ୍ଡ ଘୂରାଇ ଗଲା-। ସେ ଖୁବ୍ ବିଚଳିତ ହୋଇଉଠିଲେ । ଭାବିଲେ, ଲାଞ୍ଚ ଆକାରରେ ଟଙ୍କା ଜମାଇବେ କି ? କିନ୍ତୁ ବିବେକର ତାଡ଼ନାରେ ସେ ସେହି ଦୋଷାବହ କର୍ମରୁ ଦୂରେଇ ରହିଲେ । ଏପରିକି କଣ୍ଟ୍ରାକ୍ଟରର ବିଲ୍‌ ଉପରୁ କମିଶନି ନେବା ବି’ ଛାଡ଼ିଦେଲେ ।

 

ସଚ୍ଚୋଟପଣିଆରେ କୌଣସି ଦୁର୍ବଳତା ପ୍ରକାଶ ପାଇବା ଅଶୋଭନୀୟ ।

 

ଠିକ୍ ସମୟରେ ମୁଖ୍ୟ ଇଞ୍ଜିନିୟର ଆସି ପହଞ୍ଚିଗଲେ । କିନ୍ତୁ ଇଞ୍ଜିନିୟର ତାଙ୍କୁ କିମ୍ୱା ତାଙ୍କର କର୍ମଚାରୀମାନଙ୍କୁ ଖାଇବା ପିଇବାକୁ ଦେଇ ସନ୍ତୁଷ୍ଟ କରିପାରିଲେ ନାହିଁ । ସମସ୍ତେ ତାଙ୍କ ପ୍ରତି ଅସନ୍ତୁଷ୍ଟ ହେଲେ ।

 

ଏଣେ ଠିକାଦାରମାନଙ୍କ ଅସହଯୋଗ ଫଳରୁ ସବୁ କାମ ଅଧା ରହିଥାଏ ।

 

ମୁଖ୍ୟ ଇଞ୍ଜିନିୟର ଅସନ୍ତୋଷ ହୋଇ ତାଙ୍କ ବିରୁଦ୍ଧରେ ଅନେକ କଥା ଲେଖିଗଲେ । ତାରି ଫଳରେ ଇଞ୍ଜିନିୟରଙ୍କ ପାହ୍ୟା କମାଇ ଦିଆଗଲା ଓ ଗୋଟିଏ ଛୋଟିଆ ଜିଲାକୁ ପରିବର୍ତ୍ତନ ହେଲା ।

 

ବିଦାୟ ସମ୍ୱର୍ଦ୍ଧନା ସଭାରେ ବକ୍ତାମାନେ ଇଞ୍ଜିନିୟରଙ୍କୁ ଅନେକ ପ୍ରଶଂସା କରିଥିଲେ ।

 

ଇଞ୍ଜିନିୟରଙ୍କ ସ୍ତ୍ରୀ ମନ୍ତବ୍ୟ ଛଳରେ ପ୍ରକାଶ କରିଥିଲେ, ଏହାହିଁ ତ ଆଜି ଦୁନିଆର ବିଚାର ! ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । କାରଣ ଏଭଳି ଦଣ୍ଡ ଆଦେଶ ଏ ଯୁଗରେ ସଜ୍ଜନ ଓ ନିର୍ଦ୍ଦୋଷକୁ ହିଁ ମିଳିଥାଏ ।

Image

 

ବଡ଼ଘର ଝିଅ

 

ବେଣୀମାଧବ ସିଂହ ନାମରେ ଜଣେ ଜମିଦାର ଥିଲେ ।

 

ତାଙ୍କର ପୂର୍ବ ବଂଶଧରମାନେ ଖୁବ୍ ଧନଶାଳୀ ଥିଲେ ହେଁ ବେଣୀମାଧବଙ୍କ ଅମଳରେ ଅର୍ଥର ଅନାଟନ ହେବାକୁ ଲାଗିଲା । ପୂର୍ବେ ଘରର ଦୁଆରମୁହଁରେ ଯେଉଁଠି ହାତୀ ବନ୍ଧା ହେଉଥିଲା, ସେଇଠି ମଇଁଷି ବନ୍ଧା ହେଲା ।

 

ବେଣୀ ମାଧବଙ୍କ ଦୁଇଟି ପୁଅ ଥିଲେ ।

 

ବଡ଼ ପୁଅ ଶ୍ରୀକଣ୍ଠ । ସେ ବି.ଏ. ପାସ୍‍ କଲାପରେ କୌଣସି ଏକ ସରକାରୀ ଅଫିସରେ ଚାକିରି କରୁଥିଲା । ଛୋଟପୁଅ ଲାଲବିହାରୀର କମ୍ ଲେଖାପଢ଼ା ହେତୁ ଘରେ ରହି ଘରୋଇ କାମ କରୁଥିଲା । ଲାଲବିହାରୀ ଦେଖିବାକୁ ବେଶ୍‌ ସ୍ୱାସ୍ଥ୍ୟବାନ୍ ଥିଲା ।

 

ଶ୍ରୀକଣ୍ଠ ସିଂହ ସଙ୍ଗରେ ଆନନ୍ଦୀ ନାମକ ଗୋଟିଏ ଝିଅର ବିବାହ ହେଲା ।

 

ଆନନ୍ଦୀର ପିତା ଖୁବ୍ ଧନୀ ଥିଲେ । ତାଙ୍କ ଝିଅମାନଙ୍କ ମଧ୍ୟରୁ ପ୍ରଥମ ତିନୋଟି ଝିଅର ବିବାହ ବଡ଼ ଧୁମ୍‌ଧାମ୍‍ ଭାବରେ ଶେଷ କରିଥିଲେ । କିନ୍ତୁ ଆନନ୍ଦୀର ଶ୍ୱଶୁରଘର ଟିକିଏ ଗରିବ ଥିବାରୁ ଆନନ୍ଦୀର ବିବାହ ପୂର୍ବପରି ଧୁମ୍‌ଧାମ୍‌ ସହକାରେ କରାଗଲା ନାହିଁ ।

 

ଆନନ୍ଦୀ ତା’ ବାପଘରେ ଅଇଶରେ ଚଳୁଥିଲା, କିନ୍ତୁ ଶ୍ୱଶୁର ଘରେ ସେ ଅଇଶ କରିବାରେ ସୁବିଧା କାହିଁ ? କାରଣ ଶ୍ୱଶୁର ଘର ବାପଘର ତୁଳନାରେ ଖୁବ୍ ଗରିବ । ସାଧାରଣ ପରିବାର ପରି ଚଳିବା ବ୍ୟତୀତ ଆଡ଼ମ୍ୱର ଖୋଜିଲେ ମିଳିବ ନାହିଁ ।

 

ଆନନ୍ଦୀର ପ୍ରଥମେ ପ୍ରଥମେ ଅସୁବିଧା ହେଲେ ହେଁ ପରେ ପରେ ନିଜକୁ ସଜାଡ଼ିନେଲା-। ସେ ନିଜକୁ ସମସ୍ତଙ୍କ ଭିତରେ ଜଣେ କରିନେଲା । ପରିବାରର ପ୍ରେମ ଓ ସହଯୋଗ ପାଇବା ଫଳରେ ସବୁ ଅସୁବିଧା ସୁଧୁରି ଗଲା ।

 

ଦିନକର ଘଟଣା—

 

ଲାଲବିହାରୀ ସିଂହ ଖରାବେଳଟାରେ ଗୋଟିଏ ଶିକାର ଚଢ଼େଇ ଆଣି ତରକାରୀ କରିବାକୁ କହିଲା । ରନ୍ଧାବଢ଼ା ଶେଷ ହୋଇଯାଇଥିଲେ ବି, ଆନନ୍ଦୀ ମାଂସ ତରକାରୀ କଲା । ଘିଅ ପାଆକରୁ ବି ଊଣା ଥିଲା । ଆନନ୍ଦୀ ସବୁ ଘିଅତକ ମାଂସରେ ଢାଳିଦେଲା ।

 

ଲାଲବିହାରୀ ଖାଇବସି ଦେଖିଲା, ଡାଲିରେ ଘିଅ ନାହିଁ । କାରଣ ବୁଝିବାରେ ଜଣାପଡ଼ିଲା ଯେ, ଆନନ୍ଦୀ ସବୁ ଘିଅତକ ମାଂସରେ ପକାଇ ଦେଇଛି । ଏହା ଶୁଣି ଲାଲବିହାରୀ ଖୁବ୍ ରାଗିଗଲା ଓ କଡ଼ା କଡ଼ା କଥା କହିଲା । ଆନନ୍ଦୀ ବି ଟାଣ ଟାଣ ଦି’ପଦ ଶୁଣାଇଦେଲା । ଆନନ୍ଦୀର କଥା ସହି ନ ପାରି ଲାଲବିହାରୀ କ୍ରୋଧରେ ତା’ଉପରକୁ କଠାଉ ଫିଙ୍ଗି ପକାଇଲା । କଠାଉ ଆଘାତରେ ଆନନ୍ଦୀର ଆଙ୍ଗୁଠିରୁ ରକ୍ତ ବୋହିବାକୁ ଲାଗିଲା । ସେଦିନ ସେ ନ ଖାଇ ନ ପିଇ କାନ୍ଦି କାନ୍ଦି ଶୋଇଗଲା ।

 

ଶନିବାର ଦିନ ଶ୍ରୀକଣ୍ଠ ସିଂହ ଘରେ ପହୁଞ୍ଚିବା କଥା । ସେଦିନ ଲାଲବିହାରୀ ତା’ ଆଗରେ ଆନନ୍ଦୀର ଅନେକ ବଦନାମ କଲା । ଜମିଦାର ବେଣୀମାଧବ ମଧ୍ୟ ଲାଲବିହାରୀ ସଙ୍ଗେ ସହଯୋଗକରି ଆନନ୍ଦୀକୁ ବୁଝାଇବାକୁ ପରାମର୍ଶ ଦେଲେ ।

 

ଶ୍ରୀକଣ୍ଠ ଆନନ୍ଦୀକୁ ଯାଇ ସବୁ ଘଟଣା ପଚାରିଲା । କିନ୍ତୁ ଆନନ୍ଦୀ କଠାଉରେ ମାଡ଼ ଖାଇବା କଥା ଶୁଣି ରାଗରେ ତାତିଉଠିଲା ।

 

ରାତିଟା ଯେକୌଣସି ପ୍ରକାରେ କଟିଗଲା । ସକାଳ ନ ପାହୁଣୁ ଶ୍ରୀକଣ୍ଠ ଯାଇ ବାପା ପାଖରେ ହାଜର । କହିଲା, ଏତେଦିନ ଏ ଘରେ ଦୁଃଖକଷ୍ଟ ସହି ଚଳିଆସିଲି । ବର୍ତ୍ତମାନ କିନ୍ତୁ ଦୁଃଖ ଭାଗ ବଳାଇ ଯାଇଛି, ଆଉ ଏ ଘରେ ଚଳିପାରିବି ନାହିଁ ।

 

ଶ୍ରୀକଣ୍ଠର କଥାଶୁଣି ବେଣୀମାଧବ ସଙ୍କଟରେ ପଡ଼ିଲେ । ସେ ଯାହା ବୁଝାଇଲେ ବି’ ବଡ଼ପୁଅ ମାନିଲା ନାହିଁ । ଗାଁବାଲାମାନେ ଜମିଦାର ଘର କଳି ଶୁଣିବାର ସୁଯୋଗ ପାଇ ଚାଲିଆସିଲେ । ଘର ଗୋଟାକ ଘୋ’ ଘୋ’ ହେଲା । ତଥାପି ଶ୍ରୀକଣ୍ଠ ନଛୋଡ଼ବନ୍ଧା । କହିଲା ଏ ଘରେ ଲାଲବିହାରୀ ରହିଲେ ମୁଁ କଦାପି ରହିବି ନାହିଁ ।

 

ଲାଲବିହାରୀ ଦରଜା ପାଖରେ ଛିଡ଼ାହୋଇ ବଡ଼ଭାଇର କଥା ଶୁଣୁଥାଏ । ସେତିକିବେଳକୁ ଲାଜରେ ସେ ଲାଲ ପଡ଼ି ଯାଇଛି । ମନେମନେ ଘରଛାଡ଼ି ଚାଲିଯିବାକୁ ଲାଲବିହାରୀ ନିଶ୍ଚୟ କଲା ।

 

ଲାଲବିହାରୀ ଭାଉଜ ପାଖରେ ଛିଡ଼ାହୋଇ କ୍ଷମା ଭିକ୍ଷା କଲା ।

 

ଆନନ୍ଦୀର କ୍ରୋଧ ଶାନ୍ତ ହେଲା । ସେ ଘର ଛାଡ଼ିବା ଇଚ୍ଛା ତ୍ୟାଗ କଲା । ତା’ପରେ ଶ୍ରୀକଣ୍ଠ ପାଖକୁ ଆସି କହିଲା, ଲାଲବିହାରୀ ବାହାରେ ଛିଡ଼ାହୋଇ କାନ୍ଦୁଛନ୍ତି । ସେ ଘର ଛାଡ଼ିଦେବେ ବୋଲି କହୁଛନ୍ତି ତାଙ୍କୁ ଭିତରକୁ ଡାକିଆଣ ।

 

କିନ୍ତୁ ଶ୍ରୀକଣ୍ଠର କ୍ରୋଧ ଶାନ୍ତ ପଡ଼ି ନ ଥାଏ । ସେ ଲାଲବିହାରୀ ପାଖକୁ ଯିବାକୁ ମଙ୍ଗିଲା ନାହିଁ ।

 

ଲାଲବିହାରୀ ଘରଛାଡ଼ି ବାହାରିଯିବାକୁ ବସିଛି, ଆନନ୍ଦୀ ଘର ନ ଛାଡ଼ିବାକୁ ରାଣ ନିୟମ ଦେଲା ।

 

ଏହି ସମୟରେ ଶ୍ରୀକଣ୍ଠର ମଧ୍ୟ ହୃଦୟ ପରିବର୍ତ୍ତନ ହୋଇସାରିଥିଲା । ସେ ଲାଲବିହାରୀ ପାଖରେ ପହୁଞ୍ଚିଲା । ଦି’ଭାଇଯାକ ପରସ୍ପରକୁ କୁଣ୍ଢେଇପକାଇ ଅନେକ କାନ୍ଦିଲେ ।

 

ବେଣୀମାଧବ ସିଂହ ବି ପାଖକୁ ଆସିସାରିଥିଲେ । ଦି’ଭାଇଙ୍କର ମିଳନ ଦୃଶ୍ୟ ଦେଖି ଖୁବ୍ ଖୁସିହେଲେ । କହିଲେ, ବଡ଼ ଘରର ଝିଅ ଆନନ୍ଦୀ ପରି ସୁଶୀଳା ଓ ଗୁଣବତୀ ହୁଅନ୍ତି ।

Image

 

ସଉତୁଣୀ

 

ପଣ୍ଡିତ ଦେବଦତ୍ତ ଜଣେ ଉଦାରମନା ଓ ସାଦାସିଧା ଗୃହସ୍ଥ ଥିଲେ । ଗୋଦାବରୀ ସଙ୍ଗେ ବିବାହ କରିବାର ଅନେକଦିନ ବିତିଯାଇଥିଲେ ମଧ୍ୟ ସନ୍ତାନ ମୁଖ ଦର୍ଶନ କରିନଥିଲେ । ବାପ ମା’ ଜୀବିତ ଥିଲାବେଳେ ସେମାନେ ପୁଅକୁ ପୁନର୍ବିବାହ କରିବାକୁ ଅନେକ ବୁଝାବୁଝି କଲେ, କିନ୍ତୁ ଦେବଦତ୍ତ ସେମାନଙ୍କ କଥା ଶୁଣିଲେ ନାହିଁ । କାରଣ ସେ ପତ୍ନୀ ଗୋଦାବରୀକୁ ଖୁବ୍ ଭଲପାଉଥିଲେ । ସେ ଠିକ୍‍ରୂପେ ବୁଝିପାରିଥିଲେ ଯେ, ପୁନର୍ବିବାହ ପରେ ଘରର ସୁଖଶାନ୍ତି ଆଉ ରହିବ ନାହିଁ ।

 

ଦେବଦତ୍ତ କିନ୍ତୁ ଅନେକ ଧର୍ମଗ୍ରନ୍ଥ ପାଠ କରୁଥିଲେ । ନିଜର ନିଃସନ୍ତାନତା କଥା ତାଙ୍କୁ ଖୁବ୍ ଦୁଃଖ ହେଉଥିଲା । କିନ୍ତୁ କରିବେ କ’ଣ ? ବହୁଦିନ ପର୍ଯ୍ୟନ୍ତ ଗୋଦାବରୀ ବି ନିରାଶ ହୋଇନଥିଲେ । ସେ ନାନା ଦେବାଦେବୀ, ଡେଉଁରିଆ ଓ ମନ୍ତ୍ରତନ୍ତ୍ରର ଆଶ୍ରୟ ନେବାକୁ ଲାଗିଲେ । କିନ୍ତୁ କାହିଁରେ ହେଲେ ଫଳ ହେଲା ନାହିଁ । ସେ ନିରୁପାୟ ହୋଇ ଶେଷ କର୍ତ୍ତବ୍ୟ ସ୍ଥିର କଲେ ।

 

ଦିନେ ଗୋଦାବରୀ ଦେବଦତ୍ତଙ୍କୁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବାର ପ୍ରସ୍ତାବ ଦେଲେ । ସଉତୁଣୀ ପାଖରେ ଚଳାଚଳ କରିବାକୁ ନିଜକୁ ବି ପ୍ରସ୍ତୁତ କରି ନେଲେ ।

 

ପଣ୍ଡିତ ଦେବଦତ୍ତ ଗୋଦାବରୀଙ୍କ ମୁହଁରୁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବାର ପ୍ରସ୍ତାବ ଶୁଣି ହସରେ ତାକୁ ଉଡ଼ାଇଦେଲେ । କିନ୍ତୁ ଗୋଦାବରୀର ଆନ୍ତରିକ ଇଚ୍ଛା ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅନୁରୋଧକୁ ଏଡ଼ାଇ ଦେଇ ନ ପାରି ଶେଷରେ ଗୋମତୀ ନାମରେ ଗୋଟିଏ ଝିଅକୁ ପୁନର୍ବିବାହ କରିନେଲେ । ଗୋମତୀ ସକାଶେ ଗୋଦାବରୀ ନିଜ ଦେହର ସବୁ ସାଜ ଅଳଙ୍କାର ଓହ୍ଲାଇଦେଲେ-

 

ବିବାହର ପ୍ରଥମାବସ୍ଥାରେ ଗୋଦାବରୀ ଖୁବ୍ ଆନନ୍ଦିତା ଥିଲେ । ଦେବଦତ୍ତ ମଧ୍ୟ ତାଙ୍କୁ ଖୁବ୍ ଆଦର କରୁଥିଲେ । ଘର ଚଳାଇବା କାମ ଗୋଦାବରୀ ଉପରେ ନ୍ୟସ୍ତ ଥିଲା । ସେ ଗୋମତୀକୁ ନିଜ ଇଚ୍ଛାରେ ଚଳାଉଥିଲେ । ତାକୁ ଭଲ ମନ୍ଦ ଶିକ୍ଷା ଦେଉଥିଲେ ।

 

କିନ୍ତୁ—

 

ଧୀରେ ଧୀରେ ଗୋମତୀ ସଉତୁଣୀର ଶାସନକୁ ସହିପାରିଲା ନାହିଁ । ଛୋଟ ଛୋଟ କଥାରେ ଗୋଦାବରୀର ପରାମର୍ଶ ମାଗିବାକୁ ସଂକୋଚ ବୋଧ କଲା ।

 

ଗୋଦାବରୀ ସଉତୁଣୀର ମନର ଭାବ ବୁଝିପାରିଲେ । କିନ୍ତୁ ଗୋମତୀକୁ ସେ ସମର୍ଥନ କରିପାରିଲେ ନାହିଁ । ବରଂ ଗୋମତୀର ଛୋଟ ଛୋଟ କଥାକୁ ବଡ଼ କରି ଦେବଦତ୍ତ ଆଗରେ ବାଢ଼ିବସିଲେ ।

 

ପଣ୍ଡିତ ଦେବଦତ୍ତ ଗୋଦାବରୀ କଥାକୁ ଆଉ ପସନ୍ଦ କଲେ ନାହିଁ ।

 

ଧୀରେ ଧୀରେ ଗୋଦାବରୀଙ୍କ ପ୍ରକୃତି ବଦଳିବାକୁ ଲାଗିଲା । ସେ କଠୋର ଓ ଗମ୍ଭୀର ହେବାକୁ ଲାଗିଲେ । ନିହାତି ଛୋଟ ଛୋଟ ଭୁଲ୍ ଦେଖିଲେ ମଧ୍ୟ ସହିପାରିଲେ ନାହିଁ । ଗୋମତୀକୁ କଡ଼ା କଡ଼ା କଥା କହି ଜବତ କରିବାକୁ ଇଚ୍ଛା କଲେ । ଯଦି ଡାଲି କିମ୍ୱା ତରକାରୀରେ କିଛି ଅଧିକ ଲଙ୍କା ପଡ଼ିଗଲା ତ ଗୋଦାବରୀ ରାଗରେ ପାଚିଯାଇ ଅଭିଶାପ ଦେଲେ, ‘ଏମିତି ଲୋକର ଜିଭ କେମିତି ପୋଡ଼ି ଯାଉ ନାହିଁ ଯେ......’ । ଦେବଦତ୍ତଙ୍କୁ ଗୋଦାବରୀର ଏପ୍ରକାର ବ୍ୟବହାର ମୋଟେ ହେଲେ ଭଲ ଲାଗୁନଥାଏ । କିନ୍ତୁ ସେ ମୁହଁ ଖୋଲି କିଛି ହେଲେ କହିପାରୁନଥିଲେ । କାରଣ ସେ ଅଳସ ପ୍ରକୃତିର ଗୃହସ୍ଥ ଥିଲେ । ଗୋଦାବରୀ ହିଁ ଘରର ସବୁ ବୋଝ ସମ୍ଭାଳି ଥିଲେ ।

 

ଗୋଦାବରୀ ସ୍ୱାମୀ ଦେବଦତ୍ତଙ୍କ ମନକଥା ବୁଝିଲେ ନାହିଁ । କ୍ରମେ ସେ ଦେବଦତ୍ତ ଆଗରେ ଗୋମତୀର କୌଣସି ଚର୍ଚ୍ଚା କଲେ ନାହିଁ । ମନ ଭିତରେ ଗୋମତୀ ପ୍ରତି ଈର୍ଷା ବଢ଼ିଲା । ଦେବଦତ୍ତଙ୍କ ପ୍ରତି ମଧ୍ୟ ବେଖାତିର ଭାବ ଜାଗ୍ରତ ହେଲା । ସେ ଗୋମତୀକୁ ଅସୁବିଧାରେ ପକାଇବାକୁ ଲାଗିଲେ । ଖାଇବା ପିଇବାରେ ମଧ୍ୟ ବିଶୃଙ୍ଖଳା ଦେଖାଦେଲା । ଦେବଦତ୍ତ ଦିନେ ଏହାର କାରଣ ବୁଝିବାରୁ ଗୋଦାବରୀ ରାଗିଯାଇ କହିଲେ, ତୁମେ ନିଜେ କିଛି ଘରକୁ ନ ଆଣିଲେ ମୁଁ କେଉଁଠୁ ଆଣି ଖାଇବାକୁ ଦେବି ଯେ, ମୋ’ପାଇଁ କ’ଣ ଚାକର ନୌକର କିଛି ରଖିଛ ?

 

କଳହ ବଢ଼ିବାକୁ ଲାଗିଲା । ଦିନେ ଗୋଦାବରୀ ନିଜ ଦାୟିତ୍ୱରେ ଥିବା ଚାବିକାଠି ଫିଙ୍ଗିଦେଲେ ଓ ଘରର ଖବର ବୁଝିବା ଛାଡ଼ିଦେଲେ ।

 

ଗୋମତୀ ଘରର ବୋଝ ସମ୍ଭାଳିନେଲା ।

 

ଘର ଚଳାଇବା ଦାୟିତ୍ୱ ଛାଡ଼ିଦେବା ପରେ ପଡ଼ୋଶୀଙ୍କ ଆଗରେ ଗୋଦାବରୀର ପ୍ରତିଭା କମିଗଲା । କୌଣସି କୌଣସି ଲୋକ ଗୋଦାବରୀ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପଣ୍ଡିତ ଦେବଦତ୍ତଙ୍କୁ ଦୋଷ ଦେଲେ । ସେକଥା ଶୁଣି ଗୋଦାବରୀଙ୍କର ମନର ରାଗ ଆହୁତି ପାଇଲା । ପରେ ପରେ ଘର ପ୍ରତି ତାଙ୍କର ଉଦାସୀନତା ପ୍ରକାଶ ପାଇଲା ।

 

ଘରର ଦାୟିତ୍ୱ ଗୋମତୀ ମୁଣ୍ଡେଇ ନେଇଥିବାରୁ, ଗୋଦାବରୀଙ୍କୁ ପ୍ରତ୍ୟେକ ଦରକାରୀ ଜିନିଷପାଇଁ ଗୋମତୀ ହାତକୁ ଅପେକ୍ଷା କରିବାକୁ ପଡ଼ିଲା । ଗୋମତୀ ମଧ୍ୟ ଗୋଦାବରୀ ପ୍ରତି ଅନେକ କଟକଣା କଲା । ଏପରିକି ଗୋଦାବରୀ ପିନ୍ଧାଲୁଗା ଖଣ୍ଡେ ମଧ୍ୟ ଠିକ୍‌ ସମୟରେ ପାଇପାରିଲେ ନାହିଁ ।

 

ଶେଷରେ ଗୋଦାବରୀ ଅଭିମାନ କରି ଜୀବନ ହାରି ଦେବାକୁ ମନସ୍ଥ କଲେ । ସେ ଘରେ ମଧ୍ୟ ଏକଥା ପ୍ରକାଶ୍ୟରେ ସୂଚେଇ ଦେଲେ ।

 

ଦିନେ ପଣ୍ଡିତ ଦେବଦତ୍ତ ବିରକ୍ତ ହୋଇ କହିଲେ, ‘ତୁ ମରିଗଲେ ଯାଇ ରକ୍ଷା ! ମଣିଷ ନିଶ୍ଚିନ୍ତ ହୋଇପାରିବ ।’

 

ଏହାଶୁଣି ଗୋଦାବରୀ ନିଃସହାୟ ଭାବରେ ଅନେକ କାନ୍ଦିଲେ । ବିଶେଷତଃ ଦେବଦତ୍ତଙ୍କ ମୁହଁରୁ ସେ କଠୋର ଉତ୍ତର ଶୁଣିବା ପରେ ଗୋଦାବରୀଙ୍କୁ ବଞ୍ଚିବାକୁ ଆଉ ଭଲଲାଗିଲା ନାହିଁ । ସେଦିନ ରାତି ନ ପାହୁଣୁ ଗଙ୍ଗାରେ ଝାସଦେଲେ । ଝାସଦେବା ପୂର୍ବରୁ ସ୍ୱାମୀଙ୍କ ପାଇଁ ଲେଖିଯାଇଥିଲେ, ‘‘ଏ ପ୍ରାଣ ତୁମରି ପାଇଁ ବିସର୍ଜନ କଲି । ମୋର ସମସ୍ତ ଅପରାଧ କ୍ଷମାକରିବ ।’’

 

ପଣ୍ଡିତ ଦେବଦତ୍ତ ଗୋଦାବରୀଙ୍କ ସର୍ବଶେଷ ଚିଠିଟି ପଢ଼ି ମୂର୍ଚ୍ଛାଗଲେ ।

Image

 

ଦାରୋଗା

 

ମୁନ୍‌ସୀ ବଂଶୀଧର ଜଣେ ଶିକ୍ଷିତ ଲୋକ ଥିଲେ । ଖାଲିଟାରେ ଘରେ ବସି ରହିବାରୁ ଖର୍ଚ୍ଚ ନିଅଣ୍ଟ ପଡ଼ିଲା । ତେଣୁ ସେ ଚାକିରି ଖୋଜିବା ଉଦ୍ଦେଶ୍ୟରେ ଘର ଛାଡ଼ିଲେ । ତାଙ୍କୁ ଚାକିରି ପାଇବାରେ ସାହାଯ୍ୟ କରିବାକୁ କେହି ନ ଥିଲେ । ତଥାପି ସୌଭାଗ୍ୟ କ୍ରମେ ତାଙ୍କୁ ସଙ୍ଗେ ସଙ୍ଗେ ଲୁଣ ଦାରୋଗା ଚାକିରି ମିଳିଗଲା ।

 

ସେ ସମୟରେ ଲୁଣ ଦାରୋଗା ପଦର ବହୁତ ସମ୍ମାନ ଥିଲା । ବଡ଼ ବଡ଼ ଓକିଲ ମଧ୍ୟ ଏଇ ପଦଲାଭ ସକାଶେ ଲାଳାୟିତ ଥିଲେ । ଦରମା ମୋଟା ଧରଣର ଥିଲା । ଦରମା ଉପରେ ‘ଉପୁରି’ ଆୟ ବି କମ୍ ନଥିଲା ।

 

ବଂଶୀଧରଙ୍କ ପିତା ଏ ଖବର ପାଇ ବିଶେଷ ଆନନ୍ଦିତ ହେଲେ ।

 

ଚାକିରିର ଅଳ୍ପଦିନ ପରେ ମୁନ୍‌ସୀ ବଂଶୀଧରଙ୍କର ସୁନାମ ହୋଇଗଲା । ଅଫିସରମାନେ ତାଙ୍କ କାମରେ ସନ୍ତୁଷ୍ଟ ଥିଲେ ।

 

ଦିନକର ଘଟଣା—

 

ସେଦିନ ରାତିରେ ଖୁବ୍ ଥଣ୍ଡା ପଡ଼ିଥାଏ ।

 

ବଂଶୀଧର ଶୋଇଯାଇଥିଲେ । ନିଦ ଭାଙ୍ଗିବା ମାତ୍ରକେ ଶଗଡ଼ ଗାଡ଼ିର କେଁ କଟର ଶବ୍ଦ ଶୁଣିବାକୁ ପାଇଲେ । ଶୀଘ୍ର ସେ ବିଛଣା ଛାଡ଼ି ତା’ର ସନ୍ଧାନ ନେବାକୁ ସ୍ଥିର କଲେ ଓ ପ୍ରସ୍ତୁତ ହୋଇ ଶବ୍ଦ ଆସୁଥିବା ପୋଲଆଡ଼କୁ ଛୁଟିଗଲେ । ତାଙ୍କର ସନ୍ଦେହ ହେଲା, ଶଗଡ଼ ଗାଡ଼ିରେ ଲୁଣ ଯାଉଛି ।

 

ବଂଶୀଧର ଦେଖିଲେ, ଗାଡ଼ି ପୋଲ ଉପରୁ ଗଡ଼ି ଗଡ଼ିକା ଚାଲିଯାଉଛି । ପଚାରି ବୁଝିଲେ ସେ ଗାଡ଼ି ପଣ୍ଡିତ ଅଲୋପୀଦୀନଙ୍କର ।

 

ପଣ୍ଡିତ ଅଲୋପୀଦୀନ ସେ ଅଞ୍ଚଳର ପ୍ରସିଦ୍ଧ ଜମିଦାର । ସେ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିଲେ ।

 

ବଂଶୀଧର ପଣ୍ଡିତ ଆଲୋପୀର ନାମ ଶୁଣି ଅଳ୍ପ ଶଙ୍କି ଗଲେ । କିନ୍ତୁ ସାହସ ସଞ୍ଚୟ କରି ପଶ୍ନ କଲେ, ଗାଡ଼ି ଭିତରେ କ’ଣ ଅଛି ?

 

କିନ୍ତୁ କେହି ହେଲେ ଉତ୍ତର ଦେଲେ ନାହିଁ ।

 

ଏହା ଦେଖି ବଂଶୀଧରଙ୍କ ସନ୍ଦେହ ଦୃଢ଼ୀଭୂତ ହେଲା । ସେ ନିଜେ ଯାଇ ବସ୍ତା ତଦାରଖ କରନ୍ତିତ ଦେଖିଲେ ତା’ ଭିତରେ ଲୁଣ ଅଛି ।

 

ସେ ସମୟରେ ଲୁଣର ଚୋରା କାରବାରକୁ ଅପରାଧ ବୋଲି ଧରାଯାଉଥିଲା ।

 

ପଣ୍ଡିତ ଆଲୋପୀଦୀନ ଯେତେବେଳେ ଜାଣିଲେ ଯେ, ତାଙ୍କ ଗାଡ଼ିକୁ ବନ୍ଦ କରି ଦିଆଯାଇଛି, ସେ ବାଧ୍ୟହୋଇ ବଂଶୀଧରଙ୍କ ପାଖକୁ ଆସିଲେ । ପଣ୍ଡିତଙ୍କର ଟଙ୍କା ପଇସା ଉପରେ ପୂରା ବିଶ୍ୱାସ ଥିଲା । ସେ ଭାବୁଥିଲେ ଟଙ୍କା ବଳରେ ସବୁକିଛି କରାଯାଇ ପାରିବ । ସେ ସାଙ୍କୁଳା ସାଙ୍କୁଳି କରି କିଛି ଲାଞ୍ଚ ଦେଇ ପାରିହେବାର ଇସାରା ଦେଲେ । କିନ୍ତୁ ବଂଶୀଧରଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିଲା ନାହିଁ । ସେ ଜମିଦାର ବଦଲୁ ସିଂହକୁ ସବୁ ଜିନିଷ ଜବତ୍ କରିବାକୁ ଆଦେଶ ଦେଲେ ।

 

ଆଲୋପୀଦୀନ ଜୀବନରେ ପ୍ରଥମଥର ବୁଝିଲେ ଯେ ତାଙ୍କ ପ୍ରତି ଓ ତାଙ୍କ ସମ୍ପତ୍ତି ପ୍ରତି ଅବମାନନା ପ୍ରକାଶ କରାଯାଇଛି । ସେ ନିଜ ମୁକ୍ତାର ହାତରେ ହଜାରେ ଟଙ୍କାର ଭେଟି ବନ୍ଦୋବସ୍ତ କଲେ ।

 

ବଂଶୀଧର କିନ୍ତୁ ନିଜ ସିଦ୍ଧାନ୍ତରେ ଅଟଳ । ସେ ପ୍ରକାଶ କଲେ, ହଜାରେ କ’ଣ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇଲେ ବି’ ମୁଁ ନୀତି ବିଚ୍ୟୁତ ହେବିନାହିଁ ।

 

ଟଙ୍କାର ପରିମାଣ ବଢ଼ି ବଢ଼ି ଚାଳିଶ ହଜାର ଟପିଲା । କିନ୍ତୁ କିଛିହେଲେ ସୁବିଧା ମିଳିଲା ନାହିଁ । ଶେଷରେ ଜମିଦାର ଆଲୋପୀଦୀନ ନିରାଶ ହେଲେ । ସେ କଳ୍ପନା କଲେ ଯେ, କୌଣସି ବ୍ୟକ୍ତି ତାଙ୍କୁ ହାତକଡ଼ା ପିନ୍ଧାଇବ ବୋଲି ପାଖକୁ ପାଖକୁ ମାଡ଼ିଆସୁଛି । ଏ କାଳ୍ପନିକ ଦୃଶ୍ୟ ଦେଖି ସେ ମୂର୍ଚ୍ଛା ଗଲେ ।

 

କଥାଟା କ୍ରମେ ରାଷ୍ଟ୍ର ହେଲା ।

 

ଲୋକେ ଜମିଦାରଙ୍କୁ ନିନ୍ଦା କରିବାକୁ ଲାଗିଲେ । ମୋକଦ୍ଦମା ଚାଲୁହେଲା ।

 

କିନ୍ତୁ ଧନ ଜୋରରେ ସେ ସମସ୍ତଙ୍କୁ ଆପଣା ପକ୍ଷ କରିନେଲେ । ତାଙ୍କପାଇଁ ଲଢ଼ିବା ସକାଶେ ଅନେକ ଓକିଲ ମହଜୁଦ୍ ଥିଲେ । ମାଜିଷ୍ଟ୍ରେଟଙ୍କ ଫଏସଲ ଜମିଦାରଙ୍କ ସପକ୍ଷରେ ଗଲା । ସେ ନିର୍ଦ୍ଦୋଷରେ ଖଲାସ ହୋଇଗଲେ । ଓଲଟା ବଂଶୀଧରଙ୍କ ଉପରେ ଦୋଷ ଲଦାହେଲା । କେବଳ ସେତିକି ନୁହେଁ, ସପ୍ତାହକ ପରେ ବଂଶୀଧରଙ୍କୁ ଛଟେଇ ଆଦେଶ ମିଳିଗଲା ।

 

ବିଚାରା ବଂଶୀଧର !

 

ବଂଶୀଧରଙ୍କ ପିତା ପ୍ରଥମରୁ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । କହିଲେ, ତୋତେ ଦେଖି ମୋର ଏମିତି ଇଚ୍ଛାହେଉଛି ବଂଶୀଧର ଯେ ତୋର ଆଉ ମୋର ଉଭୟଙ୍କର ମୁଣ୍ଡ କାଟି ପକାନ୍ତି ।

 

ବଂଶୀଧର ନିରୁତ୍ତର ରହିଲେ ।

 

ତା’ର ସପ୍ତାହକ ପରର ଘଟଣା—

 

ଗୋଟିଏ ସୁସଜ୍ଜିତ ରଥରେ ବସି ନିଜେ ଜମିଦାର ଅଲୋପୀଦୀନ ବଂଶୀଧରଙ୍କ ଘରେ ଆସି ପହଞ୍ଚିଲେ । ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କଲେ ।

 

ଜମିଦାର ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମେନେଜର ହେବାକୁ ବଂଶୀଧରଙ୍କୁ ପ୍ରସ୍ତାବ ଦେଲେ । ବାର୍ଷିକ ଛ’ହାଜର ଟଙ୍କା ଦରମା ସଙ୍ଗରେ ଅନ୍ୟାନ୍ୟ ସୁବିଧାସୁଯୋଗ ଦେବା ସେ ଚାକିରିର ସର୍ତ୍ତ ଥିଲା ।

 

ଜମିଦାର ଅଲୋପୀଦୀନ ବଂଶୀଧରଙ୍କ ସଚ୍ଚୋଟ ପଣିଆ ଦେଖି ମୁଗ୍‌ଧ ହୋଇଯାଇଥିଲେ । ସର୍ବୋପରି ବଂଶୀଧରଙ୍କ କର୍ତ୍ତବ୍ୟପରାୟଣତା ତାଙ୍କୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିଥିଲା ।

 

ଲୋକେ ଏ ଘଟଣା ଦେଖି ଆହୁରି ବିସ୍ମିତ ହେଲେ ।

 

ପ୍ରଥମେ ବଂଶୀଧର ଦୋ’ ଦୋ’ ପାଞ୍ଚ ହୋଇ ସ୍ୱୀକୃତି ଜଣାଇବାରେ ସଙ୍କୋଚ ପ୍ରକାଶ କରୁଥିଲେ । କିନ୍ତୁ ଜମିଦାର ବହୁତ ଜୋର୍‌ ଦେଇ ବାରମ୍ୱାର ବୁଝାଇ କହିବା ପରେ, ବଂଶୀଧର ଜମିଦାରଙ୍କୁ ଅନ୍ତରର କୃତଜ୍ଞତା ଜ୍ଞାପନ ପୂର୍ବକ ସେ ପଦବୀ ଗ୍ରହଣ କରିବାକୁ ସ୍ୱୀକୃତି ପ୍ରଦାନ କଲେ-

 

ବଂଶୀଧରଙ୍କ ମୁହଁରୁ ସ୍ୱୀକୃତିଲାଭ କଲାପରେ ଜମିଦାର ଅଲୋପୀଦୀନ କୃତକୃତ୍ୟ ହେଲେ । ସେ ଏକଦା ସଚ୍ଚୋଟ ଦାରୋଗା ବଂଶୀଧରଙ୍କୁ ପ୍ରଫୁଲ୍ଲିତ ଚିତ୍ତରେ ଆଲିଙ୍ଗନ କଲେ ।

Image

 

ଉପଦେଶ

 

ପ୍ରୟାଗ ସହରରେ ଦେବରତ୍ନ ଶର୍ମା ନାମରେ ଜଣେ ବିଦ୍ୱାନ ବ୍ରାହ୍ମଣ ବାସ କରୁଥିଲେ । ସେ ଉଚ୍ଚ ଶିକ୍ଷିତ ଥିଲେ । ଦେଶସେବା କାମରେ ବି ସେ ଖୁବ୍ ମନଯୋଗୀ ଥିଲେ । ଏଇଥିପାଇଁ ସେ ସରକାରୀ ଚାକିରି ପାଇଥିଲେ ମଧ୍ୟ ତହିଁରେ ଯୋଗଦେଇନଥିଲେ । ଲୋକମାନେ ତାଙ୍କୁ ଚାକିରିରେ ଯୋଗଦେବାକୁ ଅନେକପ୍ରକାର ପ୍ରବର୍ତ୍ତନା ଦେଲେ ମଧ୍ୟ, ସେ ଚାକିରି ମୋହରେ ପଡ଼ିଲେ ନାହିଁ କି ସେମାନଙ୍କ କଥା ଶୁଣିଲେ ନାହିଁ । ଏତଦ୍ୱାରା ତାଙ୍କର ସମ୍ମାନ ଆହୁରି ବଢ଼ିଗଲା । ସେ କେତୋଟି ସାଧାରଣ ଅନୁଷ୍ଠାନରେ ଯୋଗଦେଇ ସମ୍ପାଦକ, ସଭାପତି ତଥା କାର୍ଯ୍ୟକାରୀ ସମିତି ସଭ୍ୟ ଭାବରେ ମନୋନୀତ ହେଲେ ।

 

ଦେବରତ୍ନ ‘ଦେଶସେବା ଅନୁଷ୍ଠାନ’ରେ ଖୁବ୍ ଆଗ୍ରହ ସହକାରେ କାମ କରିବାକୁ ଲାଗିଲେ । ପତ୍ର ପତ୍ରିକାରେ ତାଙ୍କର ବିଭିନ୍ନ ଲେଖା ପ୍ରକାଶିତ ହେଲା । ଏହା ଦେଖି ସେ ଖୁବ୍‌ ଖୁସି ହେଲେ ।

 

କିନ୍ତୁ ତାଙ୍କର ଏହି ଦେଶସେବା ଅନେକ କିଛି ସିଦ୍ଧାନ୍ତ ଉପରେ ହିଁ ପର୍ଯ୍ୟବସିତ ଥିଲା ।

 

ଥରେ ପ୍ରୟାଗରେ ପ୍ଲେଗ୍ ରୋଗ ଦେଖାଦେଲା । ସହରର ଧନୀ ଲୋକେ ସହର ଛାଡ଼ି ପଳାଇବାକୁ ଲାଗିଲେ । ଗରିବମାନେ ପ୍ଲେଗଦ୍ୱାରା ସଂକ୍ରମିତ ହୋଇ ମୂଷାପଲ ପରି ମରିବାକୁ ଲାଗିଲେ ।

 

ସେତିକିବେଳେହିଁ ସେବାର ପ୍ରକୃଷ୍ଟ ସମୟ ଆସିଗଲା । କିନ୍ତୁ ଦେବରତ୍ନ ଶର୍ମାଙ୍କୁ ଭୟ ଲାଗିଲା । ସେ ମଧ୍ୟ ସହର ଛାଡ଼ି ଯିବାକୁ ଉପାୟ ଖୋଜି ବୁଲିଲେ । ସେ ସହକର୍ମୀମାନଙ୍କୁ କିନ୍ତୁ ବୁଝାଉ ଥିଲେ, ଈଶ୍ୱର ତୁମ୍ଭମାନଙ୍କୁ ସେବା କାର୍ଯ୍ୟପାଇଁ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି । ଏଇ ଅବସରରେ ତୁମେ ମନ ପ୍ରାଣଦେଇ ସେବା କାର୍ଯ୍ୟରେ ଲାଗିପଡ଼ । ଲୋକେ ବୁଝନ୍ତୁ ଯେ, ସେବା କରିବାକୁ ଏବେମଧ୍ୟ ଭାରତରେ ମହାପୁରୁଷ ଅଛନ୍ତି । ତା’ପରେ ନିଜକଥା ପ୍ରକାଶ କଲାବେଳେ ପ୍ରକାଶ କଲେ, ମୁଁ ମଧ୍ୟ ତୁମ୍ଭ ସଙ୍ଗରେ ସହଯୋଗ କରିବାକୁ ଚାହିଁଥିଲି, କିନ୍ତୁ ମୋଫସଲରେ ମଧ୍ୟ ପ୍ଲେଗ୍ ରୋଗ ବ୍ୟାପିଗଲାଣି, ତେଣୁ ମୋତେ ମୋଫସଲ ଯିବାକୁ ପଡ଼ିବ ।

 

ଏହା କହିସାରି ସେ ପ୍ରୟୋଗ ଛାଡ଼ି ନିଜ ଗାଁକୁ ବାହାରିଲେ ।

 

ଇତିପୂର୍ବରୁ ସେ କେବେହେଲେ ମୋଫସଲକୁ ଯାଇନଥିଲେ । କିନ୍ତୁ ଗାଁର ଧାନ ଆମଦାନିରୁ ସହରରେ ରହି ଅୟସ କରି ଚଳୁଥିଲେ । ଗ୍ରାମକୁ ଗଲାବେଳେ ସହରର ଜଣେ ଓକିଲ ବନ୍ଧୁଙ୍କ ସଙ୍ଗରେ ଦେଖାହେଲା । ସେ ଶର୍ମାଜୀଙ୍କ କଥା ଭାଷାରୁ ତାଙ୍କର ଚାଲାକି ବୁଝିପାରିଲେ । କିନ୍ତୁ ଯେକୌଣସି ପ୍ରକାରେ ଓକିଲଙ୍କ କବଳରୁ ମୁକ୍ତିପାଇ ସେ ଗାଁରେ ଆସି ପହୁଞ୍ଚିଲେ-

 

ଏହାହିଁ ଥିଲା ଶର୍ମାଙ୍କର ପ୍ରଥମ ଗ୍ରାମ୍ୟ-ରହଣି । ସେ କାହାରି ସଙ୍ଗେ ମିଳାମିଶା କରୁନଥିଲେ । ବହି ଓ ସମ୍ୱାଦପତ୍ର ପଢ଼ି ସେ ସମଗ୍ର ସମୟ ଅତିବାହିତ କରୁଥିଲେ । କିନ୍ତୁ ଚାଷୀମାନଙ୍କ ସମ୍ପର୍କରେ ନିଜେ ମେନେଜର ଓ ସିପାହୀ ପ୍ରଭୃତି କର୍ମଚାରୀଙ୍କ ମୁହଁରୁ ଅତିରଞ୍ଜିତ କଥା ଶୁଣି ଗ୍ରାମବାସୀଙ୍କୁ ଆଡ଼େଇ ଦେବାକୁ ବସିଥିଲେ । ତାଙ୍କୁ ବୁଝାଇ ଦିଆଯାଇଥିଲା ଯେ, ଗ୍ରାମବାସୀମାନେ କାମଦାମ କରିବାକୁ ଚାହାନ୍ତି ନାହିଁ ।

 

ଦିନେ ଶର୍ମାଜୀ ବୁଲାଚଲା କରିବାକୁ ବାହାରିଛନ୍ତି, ଲାଲା ବାବୁଲାଲ ସଙ୍ଗରେ ଦେଖାହେଲା । ବାବୁଲାଲ ତାଙ୍କ ସଙ୍ଗରେ ସହରରେ ବି ଦେଖା କରୁଥିଲେ । ସେ ସର୍ବପ୍ରଥମେ ଶର୍ମାଜୀଙ୍କୁ ଗ୍ରାମବାସୀଙ୍କ ସମ୍ୱନ୍ଧରେ ସ୍ପଷ୍ଟ ଧାରଣା ଦେଲେ । ତାଙ୍କ ମେନେଜର ଓ ସିପାହୀମାନେ ଗ୍ରାମବାସୀଙ୍କ ସମ୍ପର୍କରେ ଯେ ଭ୍ରାନ୍ତ ଧାରଣା ଦେଇଛନ୍ତି, ତାହା ମଧ୍ୟ ସୂଚେଇ ଦେଲେ । ନିଜର ବ୍ୟକ୍ତିଗତ ଭଲମନ୍ଦର ଚର୍ଚ୍ଚା ମଧ୍ୟ କଲେ ।

 

ତଥାପି ଶର୍ମାଜୀଙ୍କ ଧାରଣା ସମ୍ପୂର୍ଣ୍ଣରୂପେ ବଦଳିଲା ନାହିଁ ।

 

ତା’ପରେ ସେ ନିଜ ବଙ୍ଗଳାକୁ ଫେରିଆସିଲେ । ସେଇଠି ପୋଲିସ୍ କର୍ମଚାରୀଙ୍କ ଦୁର୍ବ୍ୟବହାର ତାଙ୍କ ଆଖିରେ ପଡ଼ିଲା । ତେବେଯାଇ ତାଙ୍କର ଆଖି ଖୋଲିଲା । ସେ ଗ୍ରାମର ଚାଷୀ ମଜୁରିଆଙ୍କ ଉପରେ ଯେ କିଭଳି ଅତ୍ୟାଚାର ଚାଲିଛି ତାହା ଭାବି ମର୍ମାହତ ହେଲେ ।

 

ଶର୍ମାଜୀ ଆଉ ଥୟ ଧରି ରହିପାରିଲେ ନାହିଁ । ସେ ନିଜେ ଯାଇ ବାବୁଲାଲଙ୍କ ସଙ୍ଗରେ ସାକ୍ଷାତ କଲେ । ତାଙ୍କ ସଙ୍ଗରେ ବିଶଦ ଆଲୋଚନା ବେଳେ ନିଜ ପକ୍ଷରୁ ଏତେଦିନ ପର୍ଯ୍ୟନ୍ତ ଶୁଣିଆସିଥିବା କଥା ସବୁ ପ୍ରକାଶ କଲେ । ତା’ପରେ ଅତ୍ୟାଚାରର ପ୍ରତିକାର ସକାଶେ ତାଙ୍କର ସହଯୋଗ ପ୍ରାର୍ଥନା କଲେ ।

 

ଘଟଣା ଏତେଦୂରକୁ ବଢ଼ିଯାଇଥିଲା ଯେ, ଶର୍ମାଜୀ ବାବୁଲାଲଙ୍କ କଥାମାନି ଅନୁଗତ ଶିଷ୍ୟପରି କାମ କରିବାକୁ ପ୍ରସ୍ତୁତ ହୋଇଗଲେ । କାରଣ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ।

Image

 

ପରୀକ୍ଷା

 

ସର୍ଦ୍ଦାର ସୁଜନ ସିଂହ ଦେବଗଡ଼ ଷ୍ଟେଟ୍‍ର ଦେବାନ ଥିଲେ । ସେ ଦେବାନ ପଦରେ ସୁଦୀର୍ଘ ଚାଳିଶ ବର୍ଷକାଳ ମୁତୟନ ହୋଇ ଅତି ବିଜ୍ଞତା ସହକାରେ ଦେବାନୀ କାର୍ଯ୍ୟ ଚଳାଉଥିଲେ-। ସେହି କାମ କରୁ କରୁ ସେ ବୁଢ଼ା ହୋଇଗଲେ ।

 

ସୁଜନ ସିଂହ ବିଚାରବନ୍ତ ମଣିଷ ଥିଲେ । ଭାବିଲେ, ବୁଢ଼ାକାଳେ ଯଦି କିଛି ଭୁଲ୍ ହୋଇଯାଏ, ତାହାହେଲେ ବଦନାମ୍ ପାଇବା ସାର ହେବ । ତେଣୁ ସେ ରାଜ୍ୟର ରାଜାଙ୍କୁ ସେ କାମରୁ ତାଙ୍କୁ ଅବ୍ୟାହତି ଦେବାକୁ ଅନୁରୋଧ କଲେ ।

 

ରାଜାସାହେବ ନିଜର ଅଭିଜ୍ଞ ଦେବାନଙ୍କୁ ଖୁବ୍ ଆଦର କରୁଥିଲେ । ଚାକିରିରୁ ଅବ୍ୟାହତି ନ ନେବାକୁ ଦେବାନଙ୍କୁ ସେ ଅନେକପ୍ରକାର ବୁଝାଇଲେ । କିନ୍ତୁ ଦେବାନ ନିଜ ସଂକଳ୍ପରେ ଅଟଳ ଥିବା ଦେଖି ସେ ତାଙ୍କ ଅନୁରୋଧ ଗ୍ରହଣ କଲେ । ଦେବାନଙ୍କ ଅବ୍ୟାହତି ଉପରେ ଏଇ ସର୍ତ୍ତ ରହିଲା ଯେ, ସେ ନିଜେ ହିଁ ରାଜ୍ୟର ଦେବାନ ବାଛି ନିଯୁକ୍ତ କରିବାର ଭାର ନେବେ ।

 

ସେହି ଅନୁସାରେ ଦେଶର ପ୍ରସିଦ୍ଧ ସମ୍ୱାଦପତ୍ରରେ ବିଜ୍ଞାପନ ଦିଆଗଲା । ତହିଁରେ ଲେଖାଥିଲା ଯେ, ଦେବଗଡ଼ ଷ୍ଟେଟ୍‍ପାଇଁ ଦେବାନ ପଦ ସକାଶେ ନିଜକୁ ଯେଉଁମାନେ ସୁଯୋଗ୍ୟ ମନେକରୁଛନ୍ତି, ସେମାନେ ଆସି ପୁରୁଣା ଦେବାନ ସୁଜନ ସିଂହଙ୍କ ଆଗରେ ଉପସ୍ଥିତ ହୁଅନ୍ତୁ । ଏଥିପାଇଁ ଗ୍ରାଜୁଏଟ୍ ହେବା ନିହାତି ଜରୁରୀ ନୁହେଁ । ପ୍ରାର୍ଥୀମାନଙ୍କୁ ଏକମାସ କାଳ ନିଜ ଆଚାର ବ୍ୟବହାର, କାର୍ଯ୍ୟ ଦକ୍ଷତାର ପରୀକ୍ଷା ଦେବାକୁ ପଡ଼ିବ । ତହିଁରେ ବିଦ୍ୟା ଅପେକ୍ଷା କର୍ତ୍ତବ୍ୟ ପରାୟଣତାର ଅଧିକ ବିଚାର କରାଯିବ ।

 

ବିଜ୍ଞାପନ ଦେଖି ରାଜ୍ୟର ପ୍ରତି ପୁର ପ୍ରାନ୍ତରୁ ଲୋକ ଆସି ପହୁଞ୍ଚିଗଲେ । ସେମାନଙ୍କ ଭିତରେ ଅନେକପ୍ରକାର ଓ ଅନେକ ଭିନ୍ନ ଆଚରଣର ଲୋକଥିଲେ । ସର୍ଦ୍ଦାର ସୁଜନ ସିଂ ସେମାନଙ୍କର ଆଦର ସତ୍କାର ପାଇଁ ସମସ୍ତପ୍ରକାର ବନ୍ଦୋବସ୍ତ କରି ଦେଇଥିଲେ ।

 

ସମବେତ ପ୍ରତ୍ୟେକ ପ୍ରାର୍ଥୀ ନିଜକୁ ଯୋଗ୍ୟ ପ୍ରତିପାଦିତ କରିବା ସକାଶେ ଅହରହ ଚେଷ୍ଟିତ ଥିଲେ । ନିଜ ନିଜର ବିଚାର ବୁଦ୍ଧି ପ୍ରୟୋଗ କରି ନିଜକୁ ଶ୍ରେଷ୍ଠ ରୂପରେ ପରିଚୟ ଦେବା ସକାଶେ ସେମାନେ ଇଚ୍ଛା କରୁଥିଲେ । ତହିଁରୁ କେତେକ ନିଜର ପୁରୁଣା ଅଭ୍ୟାସ ଛାଡ଼ି ସମ୍ପୂର୍ଣ୍ଣ ନୂତନ ପ୍ରକାର କାର୍ଯ୍ୟ କରୁଥିଲେ ।

 

ବୃଦ୍ଧ ସୁଜନ ସିଂହ ସେହି ସମାଗତ ପ୍ରାର୍ଥୀମାନଙ୍କ ଆଢ଼ୁଆଳରେ ରହି ବଗ ପଲ ଭିତରେ ହଂସ କିଏ ତାକୁ ହିଁ ଖୋଜୁଥିଲେ । ସୁନାରି ଯେମିତି କଷଟି ପଥର ସାହାଯ୍ୟରେ ସୁନାର ଭଲମନ୍ଦ ଗୁଣ ପରୀକ୍ଷା କରିନିଏ, ବୃଦ୍ଧ ଦେବାନ ନିଜର ଅଭିଜ୍ଞ ବିଚାର ବୁଦ୍ଧି ପ୍ରୟୋଗ କରି ପ୍ରାର୍ଥୀମାନଙ୍କ ଭିତରୁ ଉତ୍ତମ ବ୍ୟକ୍ତିର ଅନୁସନ୍ଧାନ କରୁଥିଲେ ।

 

ଦିନକର କଥା—

 

ସେଦିନ ନୂଆ ଫେସନ୍‌ର ସ୍ତାବକମାନଙ୍କ ଭିତରେ ହକି ଖେଳର ଆୟୋଜନ ହେଲା । ଖେଳ ଆରମ୍ଭ ହୋଇଗଲା । ଲୋକ ଖୁବ୍‌ ଉତ୍ସାହିତ ହୋଇଉଠିଥିଲେ । ସନ୍ଧ୍ୟା ଗଡ଼ିଗଲା, ତଥାପି ହାର ଜିତ୍‌ର ମୀମାଂସା ହୋଇପାରିଲା ନାହିଁ । ଅନ୍ଧାର ହେବା ଦେଖି ଅଂଶ ଗ୍ରହଣକାରୀମାନେ ନିଜ ନିଜର ବସାଘରକୁ ଫେରିଆସିବାକୁ ଆରମ୍ଭ କଲେ ।

 

ଖେଳପଡ଼ିଆ ପାଖରେ ଗୋଟିଏ ନାଳଥିଲା । ତହିଁରେ ପୋଲ ପଡ଼ିନଥିଲା । ଖେଳ ସରିବା ପରେ ପରେ ଗୋଟିଏ ଚାଷୀ ଆଖୁ ଶଗଡ଼ଟିଏ ନେଇ ନାଳ ପାଖରେ ପହୁଞ୍ଚିଲା । ଶଗଡ଼ର ବଳଦ ଦୁଇଟି ଦୁର୍ବଳ ଥିଲେ । ତେଣେ ନାଳଟା କିନ୍ତୁ ଖୁବ୍ ଉଚ୍ଚ ଥିଲା । ସେଇଥିପାଇଁ ଚାଷୀଟି ଶଗଡ଼କୁ ନାଳ ପାରିକରି ପାରୁନଥିଲା । ମନେହେଉଥିଲା, ସେ ବଡ଼ ଦୁର୍ଯ୍ୟୋଗରେ ପଡ଼ିଛି ।

 

ଏଇ ସମୟରେ ହକି ଖେଳାଳିମାନେ ସେହି ରାସ୍ତାରେ ଆସୁଥିଲେ । ସେମାନେ ଚାଷୀର ଏ ଦୁର୍ଦ୍ଦଶା ଦେଖି ମଧ୍ୟ ଆଡ଼େଇ ହୋଇ ଚାଲିଗଲେ । ସେମାନଙ୍କ ମନରେ ଚାଷୀପ୍ରତି ଦୟା କି ସହାନୁଭୂତି ଉଦୟ ହେଲା ନାହିଁ ।

 

କିନ୍ତୁ ସେହି ଦଳ ଭିତରୁ ଜଣେ ହୃଦୟବାନ ଲୋକ ବାହାରିଆସିଲା । ହକି ଖେଳିଲାବେଳେ ତା’ଦେହରେ ଆଘାତ ଲାଗିଥିଲା । ସେ ଲୋକଜଣକ ଚାଷୀର ଦୁରବସ୍ଥା ଦେଖି ଅକୁହା ଅଡ଼କରାରେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା । ସେ ଆପେ ନାଳ ତଳକୁ ଓହ୍ଲାଇ ଗଲା ଓ ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇ ଶଗଡ଼ଟିକୁ ନାଳ ଉପରକୁ ପାରି କରାଇଦେଲା ।

 

ଚାଷୀ ଲୋକଟି ସେହି ହୃଦୟବାନ୍‌ ଲୋକର କାମ ଦେଖି ଖୁବ୍‌ ଖୁସି ହେଲା । ସେ ସାହାଯ୍ୟକାରୀ ଯୁବକ ପାଖରେ କୃତଜ୍ଞତା ଜ୍ଞାପନ କଲା ।

 

ଏହାଦେଖି ଯୁବକଟି କହିଲା, କ’ଣ କିଛି ପୁରସ୍କାର ଦେବ କି ?

 

ଚାଷୀଟି ଉତ୍ତର ଦେଲା, ଭଗବାନ ଚାହିଁଲେ ରାଜ୍ୟର ଦେବାନ ପଦ ତୁମକୁ ହିଁ ମିଳିବ ।

 

ସେ ଉତ୍ତର ଶୁଣି ଯୁବକଟି ଆହୁରି ବିସ୍ମୟ ପ୍ରକାଶ କଲା । ମନେ ମନେ ଭାବିହେଲା, ଏଇ ବୃଦ୍ଧ ଜଣକ ସୁଜନ ସିଂହ ନା କ’ଣ ?

 

ଶେଷରେ ଫଳ ପ୍ରକାଶ ପାଇବା ଦିନ ପହଞ୍ଚିଗଲା । ବୃଦ୍ଧ ଦେବାନ ସୁଜନ ସିଂହ ଦରବାର ଭିତରେ ଛିଡ଼ାହୋଇ ପ୍ରକାଶ କଲେ, ଅତି ଆନନ୍ଦର ବିଷୟ ଏହିଯେ, ମୁଁ ଷ୍ଟେଟ୍‌ର ଦେବାନ ପଦପାଇଁ ସୁଯୋଗ୍ୟ ପ୍ରାର୍ଥୀର ସନ୍ଧାନ ପାଇଛି । ଷ୍ଟେଟ୍ ବାସିନ୍ଦା ପଣ୍ଡିତ ଜାନକୀନାଥଙ୍କୁ ମୁଁ ଦେବାନ ପଦରେ ଅଭିଷିକ୍ତ କରୁଛି ଓ ତାଙ୍କୁ ଏ ପ୍ରାପ୍ତି ପାଇଁ ଅଭିନନ୍ଦନ ଜ୍ଞାପନ କରୁଛି ।

 

ସେ ଏତେବଡ଼ ସିଦ୍ଧାନ୍ତରେ ପହଞ୍ଚିବାରେ ଯେଉଁ ପରୀକ୍ଷା ନେଇଥିଲେ ତାହା ମଧ୍ୟ ବ୍ୟକ୍ତ କଲେ । କହିଲେ, ଯେଉଁ ଯୁବକ ନିଜେ ଆଘାତ ପାଇ ମଧ୍ୟ ଗରିବ ପ୍ରଜାର ସାହାଯ୍ୟ କରିବାକୁ ଆଗଭର ହୋଇଆସିଥିଲା, ମୋ’ ବିଚାରରେ ସେ ପ୍ରଜାକୁଳକୁ କେବେହେଲେ ହଇରାଣରେ ପକାଇବ ନାହିଁ ।

 

ତା’ପରେ ସେ ଅତୀତର ସମସ୍ତ ଘଟଣା ବର୍ଣ୍ଣନା କଲେ ଓ ପରିଶେଷରେ ପ୍ରକାଶ କଲେ, ବୋଧହୁଏ ପ୍ରାର୍ଥୀ ବାଛିବାରେ ମୁଁ ଯେଉଁ ଉପାୟ ଅବଲମ୍ୱନ କରି ଉପଯୁକ୍ତ ବ୍ୟକ୍ତି ବାଛି ଆଣିଛି ତାଙ୍କୁ ଦେବାନ ରୂପରେ ଗ୍ରହଣ କରିବାରେ ଷ୍ଟେଟ୍‌ର କାହାରି ଆପତ୍ତି ରହିବ ନାହିଁ ।

Image